ଏ ବର୍ଷ ୪.୧୫ ନିୟୁତ ଟନ ଆଲୁମିନିୟମ ଉତ୍ପାଦନ କରିବ ନାଲକୋ

ଭୁବନେଶ୍ୱର: ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ) ପକ୍ଷରୁ ୨୦୧୮-୧୯ ଆର୍ଥକ ବର୍ଷରେ ୯୩୫୦ କୋଟି ଟଙ୍କାର ରାଜସ୍ୱ ଅର୍ଜ୍ଜନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରାଳୟ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଲକ୍ଷ୍ୟ, ଏ ଯାବତ୍‌ ସର୍ବାଧିକ ଏବଂ ଗତ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ । ଆଜି ନୂଆଦିଲ୍ଲୀ ଠାରେ ଏହି ବୁଝାମଣାପତ୍ରଟି ଖଣି ମନ୍ତ୍ରାଳୟର ସଚିବ ଅନୀଲ ଗୋପୀଶଙ୍କର ମୁକିମ ଏବଂ ନାଲ୍‌କୋର ଅଧ୍ୟକ୍ଷ ଡଃ ତପନ କୁମାର ଚାନ୍ଦଙ୍କ ଦ୍ୱାରା ସ୍ୱକ୍ଷରିତ ହୋଇଥିଲା। ଏହି ବୁଝାମଣାପତ୍ର ଅନୁସାରେ, କମ୍ପାନୀ ଚଳିତ ଆର୍ଥକ ବର୍ଷରେ ୧୦୦ ପ୍ରତିଶତ କ୍ଷମତା ଉପଯୋଗ ସହ ୨.୧ ନିୁୟତ ଟନ୍‌ ଆଲୁମିନା ଏବଂ ୪.୧୫ ନିୟୁତ ଟନ୍‌ ଆଲୁମିନିୟମ୍‌ ଉତ୍ପାଦନ କରିବ ବୋଲି ଧାର୍ଯ୍ୟ କରାଯାଇଛି। ଉତ୍ପାଦନ କ୍ଷମତାରେ ଉନ୍ନତିରେ ଅଂଶ ଭାବେ ନେଟ୍‌ କାର୍ବନ୍‌ ଉପଯୋଗରେ ହ୍ରାସ ଆଣିବା ସହ ଆର୍‌ ଆଣ୍ଡ୍‌ ଡି ଉତ୍ପାଦଗୁଡ଼ିକର ବ୍ୟବସାୟୀକରଣ ପାଇଁ ମଧ୍ୟ ନାଲ୍‌କୋ ପଦକ୍ଷେପ ଗ୍ରହଣ କରିବ ବୋଲି ଏହି ବୁଝାମଣାପତ୍ରରେ ଉଲ୍ଲେଖ ହୋଇଛି। ଚଳିତ ଆର୍ଥିକ ବର୍ଷରେ ପାଇଁ ନାଲକୋ ପକ୍ଷରୁ ୧୧୦୦ କୋଟି ଟଙ୍କାର କ୍ୟାପେକ୍ସ ବା ପୁଞ୍ଜି ବ୍ୟୟ ଧାର୍ଯ୍ୟ କରାଯାଇଛି। ଏଥିରେ ୧ ନିୟୁତ ଟନ୍‌ ରିଫାଇନେରୀ, ଉତ୍କଳ-ଡି ଓ ଉତ୍କଳ-ଇ କୋଇଲା ବ୍ଲକର ବିକାଶ, ପବନଚାଳିତ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ, ବିଭିନ୍ନ ଯୌଥ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ଆଧୁନିକୀକରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

ସମ୍ବନ୍ଧିତ ଖବର