୬ଷ୍ଠ ଶ୍ରାର୍ଦ୍ଧବାର୍ଷିକୀ ଉତ୍ସବ : ‘ନଳିନୀବାବୁ ଜନମାନସର ନେତା ଥିଲେ’

ରାଜନଗର : ପରକୁ ଆପଣାର କରିବାର କୌଶଳ, ଦୁଃଖୀ ଦରିଦ୍ର ମଣିଷମାନଙ୍କ ଦୁଃଖରେ ନିଜକୁ ସମର୍ପଣ କରିବାରେ ସେ ଥିଲେ ଧୂରନ୍ଦର। ସେ ଜନମାନସର ନେତା ଥିଲେ। ପୂର୍ବତନ ମନ୍ତ୍ରୀ ତଥା ରାଜନଗରର ପୂର୍ବତନ ବିଧାୟକ ସ୍ୱର୍ଗତ ନଳିନୀକାନ୍ତ ମହାନ୍ତିଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ଏହି ମତପ୍ରକାଶ ପାଇଛି।

ନଳିନୀକାନ୍ତ ସ୍ମୃତି କମିଟି ପକ୍ଷରୁ ବ୍ଲକ କଂଗ୍ରେସ କାର୍ଯ୍ୟାଳୟଠାରେ ବ୍ଲକ କଂଗ୍ରେସ ସଭାପତି ଚୌଧୁରୀ ରବିନ୍ଦ୍ର କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶ୍ରାଦ୍ଧବାର୍ଷିକୀରେ ସ୍ୱର୍ଗତ ମହାନ୍ତିିଙ୍କ ପୁତ୍ର ତଥା ରାଜନଗର ବିଧାୟକ ଅଂଶୁମାନ ମହାନ୍ତି ଯୋଗଦେଇଥିଲେ। ସେ କହିଥିଲେ ଯେ, ଦୀର୍ଘ ୩୩ ବର୍ଷ ଧରି ସ୍ୱର୍ଗତ ମହାନ୍ତି ରାଜନଗର ଅଞ୍ଚଳର ସେବା କରି ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ଅଧୁରା ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଉତ୍ସବରେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ମହାନ୍ତି, ଦେବେନ୍ଦ୍ର କୁମାର ଜେନା, ବନମାଳୀ ସ୍ୱାଇଁ, ରବିନ୍ଦ୍ର ନାଥ ପାତ୍ର, ସୁଧୀର ଚନ୍ଦ୍ର ପାଲ୍‌, ସରପଞ୍ଚ ଦିପ୍ତୀମୟୀ ବେହେରା, ନିରଂଜନ ବେରା, ସଂଗୀତା ବଳ, ସସ୍ମିତା ରାଉତ, କୀରଣ କୁମାର ନାୟକ ପ୍ରମୁଖ ଯୋଗଦେଇ ନଳିନୀବାବୁଙ୍କ ଦେହାନ୍ତ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟି କରିଛି ଆଉ କୌଣସି ରାଜନେତାଙ୍କ ଦ୍ୱାରା ପୂରଣ ହେବା ସମ୍ଭବ ନୁହେଁ ବୋଲି ମତ ରଖିଥିଲେ। ନଳିନୀବାବୁ କେବଳ ରାଜନଗର ନୁହେଁ ସମଗ୍ର ଓଡିଶାର ବିକାଶଧାରାରେ ନିଜକୁ ସାମିଲ କରି ଯୁଗୋଜୟୀ ହୋଇପାରିଛନ୍ତି ବୋଲି କହିଥିଲେ।

ପୂର୍ବାହ୍ନ ୧୧ଟାରେ ବ୍ଲକ କଂଗ୍ରେସ କମିଟି ତରଫରୁ ବିଶାଳ ମଟର ସାଇକେଲ୍‌ ଶୋଭାଯାତ୍ରାରେ ସ୍ୱର୍ଗତ ମହାନ୍ତିଙ୍କ ଫଟୋଚିତ୍ରକୁ ସୁସଜ୍ଜିତ ଗାଡିରେ ରଖାଯାଇ ରାଜନଗର, ସାନବଡ ଗୋପାଳପୁର, ମହିଷାସୁର, କୁରୁଣ୍ଟିି, ବ୍ରାହ୍ମଣସାହି, ହାତୀନା, ଡ଼େରା, ଗୁପ୍ତି, ଚାନ୍ଦିବାଉଁଶମୂଳ, ଭିତରଗଡ, କଣ୍ଡିରା, ମହୁଲିଆ ପ୍ରଭୃତି ପଞ୍ଚାୟତ ପରିକ୍ରମା କରାଯାଇଥିଲା। ସେହିପରି ବ୍ଲକ କଂଗ୍ରେସ କାର୍ଯ୍ୟାଳୟଠାରେ ଗତକାଲି ଠାରୁ ନାମଯଜ୍ଞ, ବେଦପାଠ, ନଗରକୀର୍ତନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର