କଟକ-ମହାନଦୀବିହାର : ମନ୍ତ୍ରୀଙ୍କ ନାଁ ରହିଲାନି ବୋଲି ତାଡ଼ି ନେଲେ ଫଳକ। ଶେଷ ମୁହୂର୍ତ୍ତରେ ବାତିଲ୍ ହେଲା ତାଳଦଣ୍ଡା କେନାଲ୍ ବ୍ରିଜ୍ ଉଦ୍ଘାଟନ ଉତ୍ସବ। ଆଜି ଏଭଳି ଏକ ଅଭାବନୀୟ ଘଟଣା କଟକ ନୂଆବଜାରଠାରେ ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ନୂଆବଜାର ପୁରୁଣା ଓଟପିଠିଆ ପୋଲ ନିକଟରେ ୨କୋଟି ୨୪ଲକ୍ଷଟଙ୍କା ବ୍ୟୟରେ ଏହି ପୋଲ ନିର୍ମାଣ କରାଯାଇଛି। ପ୍ରାୟ ବର୍ଷକ ତଳେ ଆରଏଣ୍ଡ୍ବି-୨ ପକ୍ଷରୁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ କାମ ନିକଟରେ ଶେଷ ହେବା ପରେ ଆଜି ତାହାର ଉଦ୍ଘାଟନ ହେବାର ଥିଲା। ଏଥିପାଇଁ ସବୁ ପ୍ରସ୍ତୁତି ସରିଥିଲା। ଗତକାଲି ଫଳକ ବି ମରାଯାଇଥିଲା। ଚୌଦ୍ବାର-କଟକ ବିଧାୟକ ପ୍ରଭାତ ରଂଜନ ବିଶ୍ବାଳ ଉଦ୍ଘାଟକ ରୂପେ ଫଳକରେ ନାଁ ଥିବା ବେଳେ ମେୟର ମୀନାକ୍ଷୀ ବେହେରା, ଡେପୁଟି ମେୟର ଅଜୟ କୁମାର ବାରିକ, ୪୨ନମ୍ବର ୱାର୍ଡ କର୍ପୋରେଟର ଚିରଞ୍ଜୟ ସାହୁ, ୫୩ନମ୍ବର ୱାର୍ଡ କର୍ପୋରେଟର ପ୍ରଦୀପ ସାମନ୍ତରାୟଙ୍କ ନାଁ ଥିଲା। ଆଜି ଦିନ ୧୦ଟାରେ ପୋଲ ଉଦ୍ଘାଟନ ହେବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଏହାର ଦୁଇ ଘଣ୍ଟା ପୂର୍ବରୁ ସକାଳ ୮ଟା ବେଳେ କେହି ଫଳକକୁ ତାଡ଼ି ନେଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ନାଁ ନଥିବାରୁ ଏଭଳି କାଣ୍ଡ ଘଟିଛି। ଏହାକୁ ନେଇ ମଧ୍ୟ ରାଜନୈତିକ ଆରୋପ, ପ୍ରତ୍ୟାରୋପ ଦେଖିବାକୁ ମିଳିଛି।
ଅନ୍ୟପକ୍ଷରେ, ଫଳକ ତଡ଼ା ଯାଇଥିବା କଥା ସେ ଜାଣି ନାହାନ୍ତି ବୋଲି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ସୁଧିର ପଣ୍ଡା କହିଛନ୍ତି।