ବଢ଼ିବ ନନ୍ଦନକାନନ ଆକାର

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଆକାର ବଢ଼ିବ। ଏବେ ଯେତିକି ଅଞ୍ଚଳରେ ପ୍ରାଣୀଉଦ୍ୟାନ ଅଛି ତାହାର ତିନିଗୁଣା ହେବ। ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏବେ ନନ୍ଦନକାନନ ୪୦୦ହେକ୍ଟର ଅଞ୍ଚଳରେ ଥିବାବେଳେ ଆହୁରି ୭୦୦ହେକ୍ଟର ଅଞ୍ଚଳକୁ ମିଶାଇ ନନ୍ଦନକାନନର ଆକାର ବୃଦ୍ଧି କରାଯିବ। ପ୍ରାୟ ୧୧୦୦ ହେକ୍ଟର ଜମିରେ ନନ୍ଦନକାନନର ଆକାର କିପରି ହେବ, କ’ଣ କ’ଣ ସୁବିଧା ସୁଯୋଗ ଉପଲବ୍ଧ ହେବ ତାହା ଯୋଜନା ହୋଇଛି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଛନ୍ତି।

ପରିବର୍ଦ୍ଧିତ ନନ୍ଦନକାନନରେ ଭାଲୁ ସଫାରି, ହାତୀ ସଫାରି ରହିବ। ଏହାବାଦ୍‌ ଏବେ କେବଳ ଧଳା ବାଘଙ୍କୁ ନେଇ ସଫାରି ଥିବାବେଳେ ପରିବର୍ଦ୍ଧିତ ନନ୍ଦନକାନନରେ ସବୁ ପ୍ରଜାତିର ବାଘ ରହିବେ। ସିଂହ ସଫାରି ବନ୍ଦ ହୋଇଯାଇଥିବା ବେଳେ ଏହାର ଆକାର ବୃଦ୍ଧି କରି ଅଧିକ ସିଂହ ରଖାଯିବ। ଜଙ୍ଗଲ ଓ ପରିବେଶ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପରିବର୍ଦ୍ଧିତ ନନ୍ଦନକାନନ ପାଇଁ ଚନ୍ଦକା-ଡମପଡ଼ା ଜଙ୍ଗଲରୁ ୭୦୦ ଏକର ଜମି ଅଧିଗ୍ରହଣ ହେବ। କେଉଁ ଦିଗରେ କେତେ ଜମି ଅଧିକୃତ ହେବ ତାହା ଚିହ୍ନଟ କରାଯିବା ପରେ ପାଚେରି ବୁଲାଯିବ। ଏହାପରେ ବିଭିନ୍ନ ସ୍ଥାନରେ ଖୁଆଡ଼ ନିର୍ମାଣ କରାଯିବ।

ସେହିପରି ଚନ୍ଦକା ଡମପଡ଼ା ଜଙ୍ଗଲରେ ଏବେ ହଜାର ହଜାର ମୟୂର ଥିବାବେଳେ ସେମାନଙ୍କୁ ନେଇ ସ୍ୱତନ୍ତ୍ର ସଫାରି ହେବ। ମୟୂରଙ୍କୁ ଖୁଆଡ଼ରେ ନ ରଖି ଜଙ୍ଗଲରେ ଯେପରି ରହୁଛନ୍ତି ସେହିପରି ରଖାଯିବ। ଏହାଦ୍ୱାରା ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ। ନନ୍ଦନକାନନରେ ଘଡ଼ିଆଳ ଓ ମଗର ପ୍ରଜାତିର କୁମ୍ଭୀର ଅଧିକ ଥିବାରୁ ସେମାନଙ୍କୁ ବିସ୍ତୀର୍ଣ୍ଣ ଅଞ୍ଚଳରେ ରଖାଯିବ। ଏଥିପାଇଁ ନୂତନ ହ୍ରଦ ନିର୍ମାଣ କରିବା ସହ କୁମ୍ଭୀର ପ୍ରଜନନକୁ ଅଧିକ ଗୁରୁତ୍ୱ ଦିଆଯିବ। ପର୍ଯ୍ୟଟକ ଯେପରି ଅତି ନିକଟରୁ କୁମ୍ଭୀରଙ୍କୁ ଦେଖିବେ ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସେହିପରି ବାଘ, ଭାଲୁ, ସିଂହ ସଫାରିକୁ ପର୍ଯ୍ୟଟକଙ୍କୁ ଛୋଟ ଗାଡ଼ିରେ ଛଡ଼ାଯିବ। ଯେପରି ଦେଶର ଅନ୍ୟ ସଫାରିଗୁଡ଼ିକରେ ଲୋକମାନେ ଅତି ନିକଟରୁ ବାଘ, ସିଂହଙ୍କୁ ଦେଖୁଛନ୍ତି ସେହିପରି ଏଠାରେ ବ୍ୟବସ୍ଥା କରାଯିବ। ଏହି ସଫାରିଗୁଡ଼ିକ କିପରି ପର୍ଯ୍ୟଟକଙ୍କ ଦ୍ୱାରା ଆଦୃତ ହେବ ସେଥିପାଇଁ ଏଠାରେ ପର୍ଯ୍ୟଟକଙ୍କ ରାତ୍ରିଯାପନ ବ୍ୟବସ୍ଥା ନେଇ ମଧ୍ୟ ଯୋଜନା କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଏହା ସମ୍ଭବ ହେଲେ ଏହି ସୁବିଧା ଉପଲବ୍ଧ ହେବ।

ପରିବର୍ଦ୍ଧିତ ନନ୍ଦନକାନନ ପାଇଁ ଜମି ସମସ୍ୟା ନଥିବାରୁ ପଶୁପକ୍ଷୀ ଅଦଳବଦଳ ଯୋଜନା ସଫଳ ହେଲେ ଏବଂ ବିଭିନ୍ନ ଚିଡ଼ିଆଖାନାରୁ ନୂଆ ପ୍ରଜାତିର ପଶୁପକ୍ଷୀ ଆଣିବା ନେଇ ଚାଲିଥିବା ଯୋଜନା ଫଳପ୍ରଦ ହେଲେ ଆମେ କାର୍ଯ୍ୟ ଆରମ୍ଭ କରିବୁ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି।

ଏଥର ରାଜ୍ୟରେ ବାଘ ସଂଖ୍ୟା ୬୦ ଟପିପାରେ

୨୦୧୬ମସିହାରେ ହୋଇଥିବା ବାଘ ଗଣନାରେ ଓଡ଼ିଶାରେ ୩୨ଟି ବାଘ ଥିବା ଜଣାପଡ଼ିଥିବା ବେଳେ ଏଥର ଏହା ୬୦ଟପିପାରେ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ କହିଛନ୍ତି। ଏବେ ରାଜ୍ୟର ପ୍ରାୟ ସମସ୍ତ ଜଙ୍ଗଲରେ ବାଘ ସଂଖ୍ୟା ବଢ଼ିଛନ୍ତି। ବିଶେଷକରି ଶିମିଳିପାଳରେ। ରାଜ୍ୟରେ ବାଘ ସଂଖ୍ୟା ଯେତିକି ବଢ଼ିଛି ସେଥିରୁ ଅଧିକାଂଶ ବିରଳ ପ୍ରଜାତିର ବାଘ। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)ଙ୍କ ପକ୍ଷରୁ ହେବାକୁ ଥିବା ବାଘ ଗଣନାରେ ଓଡ଼ିଶାରେ ବାଘ ସଂଖ୍ୟା ବଢ଼ିବ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନିକଟରେ ଶିମିଳିପାଳରେ ୧୦ଟି ବାଘ ଛୁଆ ଠାବ ହୋଇଥିବାବେଳେ ଏଥିରୁ ଗୋଟିଏ ଛୁଆକୁ କୁମ୍ଭୀର ଖାଇ ଯାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ଆଉ ୯ଟି ବାଘ ଛୁଆଙ୍କୁ କ୍ୟାମେରାରେ ଦେଖାଯାଇଛି। ସେହିପରି ଚହଲାରେ ଗୋଟିଏ ବାଘୁଣୀ ଓ ଦୁଇଟି ଛୁଆ, ହଦଗଡ଼, କୁଲଡିହା, କରଞ୍ଜିଆ ଆଦି ଜଙ୍ଗଲରେ ବାଘ ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। ଏଥିରୁ ଅଧିକାଂଶ ବିରଳ ପ୍ରଜାତିର। ଏହି ପ୍ରଜାତିର ବାଘଙ୍କ ଦେହରେ କଳା ପଟି ଦାଗ ରହିଛି। ନନ୍ଦନକାନନରେ ଥିବା ବିରଳ ପ୍ରଜାତିର ବାଘ ଭଳି ଏହା ଦେଖାଯାଉଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର