ଆଖି ବୁଜିଲା ‘ନନ୍ଦିନୀ’

ଢେଙ୍କାନାଳ : ୮ ମାସ ତଳେ ହିନ୍ଦୋଳ ନନ୍ଦିନିଆ ଜଙ୍ଗଲରୁ ଉଦ୍ଧାର ହୋଇ କପିଳାସରେ ଛଡ଼ା ଯାଇଥିବା ମାଈ ହାତୀ ଛୁଆ ‘ନନ୍ଦିନୀ’ ଆଜି ଆଖି ବୁଜିଛି। ରାଜ୍ୟରେ ଶୀତ ଲହରି ଜାରି ରହିଥିବା ବେଳେ ନନ୍ଦିନୀ ମଧ୍ୟ ଥଣ୍ଡାରେ ଥରି ଉଠୁଥିଲା। ବନ ବିଭାଗ ଥଣ୍ଡାର ଉପଚାର ଚଳାଇଥିବା ବେଳେ ନନ୍ଦିନୀ କିନ୍ତୁ ଭିନ୍ନ ରୋଗରେ ପ୍ରାଣ ହରାଇଛି। ତା’ର ହୃତପିଣ୍ଡରେ ଅସ୍ୱାଭାବିକ ମାଂସ ପିଣ୍ଡୁଳା ବୃଦ୍ଧି ମୃତ୍ୟୁର କାରଣ ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଠିକଣା ସମୟରେ ରୋଗ ଚିହ୍ନା ପଡ଼ିଲା ନାହିଁ। ତେଣୁ ଅକାଳେ ନନ୍ଦିନୀର ମୃତ୍ୟୁ ହେଲା ବୋଲି ଆଲୋଚନା ହେଉଛି।

ଉଲ୍ଲେଖଯୋଗ୍ୟ, ଗତ ମଇ ମାସରେ ହିନ୍ଦୋଳ ନନ୍ଦିନିଆ ଜଙ୍ଗଲରୁ ଏହି ଛୁଆ ହାତୀକୁ ପାଇଥିଲା ବନ ବିଭାଗ। ସେତେବେଳେ ତାକୁ ମାତ୍ର ୧୨ମାସ ହୋଇଥିଲା। ତେଣୁ ଜଙ୍ଗଲକୁ ଫେରି ପାରୁନଥିବା ଛୁଆ ହାତୀକୁ କପିଳାସ ପ୍ରାଣୀ ଉଦ୍ୟାନରେ ଲାଳନ ପାଳନ ପାଇଁ ଛଡ଼ାଯାଇଥିଲା। ସେବେଠାରୁ ‘ନନ୍ଦିନୀ’ ନାଁରେ ବେଶ୍‌ ପରିଚିତ ହୋଇଥିଲା। ପ୍ରାୟ ୮ମାସ କାଳ କପିଳାସରେ ରହିବା ପରେ ନନ୍ଦିନୀକୁ ମଝିରେ ମଝିରେ ଥଣ୍ଡା ଧରୁଥିଲା। ଉଦ୍ୟାନ କର୍ତୃପକ୍ଷ ନନ୍ଦିନୀର ଥଣ୍ଡା ଉପଚାର କରିଥିଲେ। ଏକ ଘରେ ରଖି ଚିକିତ୍ସା କରାଇଥିଲେ। ୨ଟି କମ୍ବଳ ଘୋଡ଼ାଯିବା ସହିତ ହିଟର ସହାୟତାରେ ତାଙ୍କୁ ଥଣ୍ଡା ଦାଉରୁ ସୁରକ୍ଷା ଦିଆଯାଉଥିଲା। ଆଜି ସକାଳେ ଅବସ୍ଥା ବିଗିଡ଼ିବାରୁ ଯୋରନ୍ଦା ପଶୁ ଡାକ୍ତର ଚିକିତ୍ସା କରିଥିଲେ। ଦୁଇଟି ଇଞ୍ଜେକ୍‌ସନ ଦେବା ସତ୍ତ୍ୱେ ନନ୍ଦିନୀ ଅପରାହ୍‌ଣ ପ୍ରାୟ ୪ଟାରେ ଆଖି ବୁଜିଥିବା ପ୍ରାଣୀ ଉଦ୍ୟାନ ତତ୍ୱାବଧାରକ ତଥା ରେଂଜର ଦର୍ଶନିଆ ଭୋଇ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର