ରାଜ୍ୟପାଳଙ୍କ ତୁଣ୍ଡରେ ଅସତ୍ୟ କୁହାଇଲେ ସରକାର: ନରସିଂହ

ପ୍ରତି ଜିଲ୍ଲାରେ ସାଇବର୍ କ୍ରାଇମ୍‌ ଥାନା ପ୍ରତିଷ୍ଠା ହେଉ: ସୌମ୍ୟରଞ୍ଜନ
ବିରୋଧୀ ଦଳକୁ ମୋ ସରକାର ଓ ୫‘ଟି’ ଭୟ ଘାରିଛି

ଭୁବନେଶ୍ବର : ଓଡ଼ିଶାରେ ଯିଏ କେହି ବି ରାଜ୍ୟପାଳ ଆସିଲେ ତାଙ୍କ ତୁଣ୍ଡରେ ସରକାର ଅସତ୍ୟ କୁହାଇଲେ। ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ତାର ଜବାବ୍‌ ମୁଖ୍ୟମନ୍ତ୍ରୀଙ୍କଠାରୁ ମିଳେନାହିଁ। ଖରିଫ ଧାନ ସଂଗ୍ରହ ଋତୁ ସରିବାକୁ ବସିଲାଣି। ତଥାପି ଧାନ ମଣ୍ଡିରେ ଗଦା ଗଦା ଧାନ ପଡ଼ିଛି। ମିଲର ଓ ଦଲାଲମାନଙ୍କ ଶୋଷଣର ଶିକାର ହେଉଛି ଚାଷୀ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧୀ ଏପରି ସରକାରଙ୍କୁ ଘେରିଛନ୍ତି। ବିରୋଧୀଙ୍କୁ ଜବାବ ଦେଇ ଶାସକ ଦଳ ସଭ୍ୟ କହଥିଲେ ଯେ ବିରୋଧୀଙ୍କ ବିଚାର ବିଭ୍ରାଟ ଯୋଗୁ ସରକାରଙ୍କ ଭଲ କାର୍ଯ୍ୟଗୁଡ଼ିକ ଦୃଷ୍ଟିକୁ ଆସିପାରୁନି। ୫’ଟି’ ଓ ମୋ ସରକାର ଲାଗୁ ହେବା ପରେ ବିରୋଧୀଙ୍କ ମନରେ ଭୟ ସୃଷ୍ଟି କରିଛି।

ସୋମବାର ଅପରାହ୍ନ ଅଧିବେଶନରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଥିଲେ ଯେ ଗୃହରେ ବାରମ୍ବାର ରାଜ୍ୟପାଳଙ୍କ ଜରିଆରେ ରାଜ୍ୟବାସୀଙ୍କୁ ସରକାର ଅସତ୍ୟ ତଥ୍ୟ ପ୍ରଦାନ କରିଆସିଛନ୍ତି। ଏପରିକି ବିରୋଧୀ ସଦସ୍ୟମାନେ ଆଲୋଚନା କଲାବେଳେ ଅ​ଫିସର୍‌ ଗ୍ୟାଲେରିରେ କୌଣସି ଅଫିସର ରହୁନଥିବା ନେଇ ଗୃହ ଅଚଳ ହେଲା। ଗତ ଶନିବାର ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ୍‌ ପ୍ରସ୍ତାବ ଆଲୋଚନା ବେଳେ ଅଫିସର ଗ୍ୟାଲେରିରେ ଜଣେ ମାତ୍ର ଅଧିକାରୀଙ୍କୁ ବସିଥିବା ଦେଖିବାକୁ ମିଳିଥିଲା। କିନ୍ତୁ ସେ ଅଫିସର ଜଣକ ବିରୋଧୀ କହୁଥିବା କଥାରେ କିଛି ବି ଲେଖୁନିଥିଲେ। ଆଜି ସେହି ଅଧିକାରୀଙ୍କ ସମେତ ଆଉ କିଛି ଅଧିକାରୀ ଅଛନ୍ତି। କିନ୍ତୁ ସେ କେଉଁ ବିଭାଗର ଜଣାନାହିଁ। ଜଳସେଚନ ନେଇ ୨୦୦୬ ଓ ୨୦୦୮ରେ ସରକାର ରାଜ୍ୟପାଳଙ୍କ ଜରିଆରେ ଏ ଗୃହରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା କେବଳ ପ୍ରତିଶ୍ରୁତିରେ ରହିଛି। ସ୍ବଚ୍ଛ ପିଇବା ପାଣି ଯୋଗାଣ ନେଇ ଚଳିତଥର ରାଜ୍ୟପାଳଙ୍କ ଇଂରାଜି ଓ ଓଡ଼ିଆ ପୁସ୍ତିକାର ଅନୁଚ୍ଛେଦ ୨୯ରେ ଭିନ୍ନଭିନ୍ନ ଅର୍ଥ ରହିଛି। ଇଂରାଜି ପୁସ୍ତିକା ଅନୁଯାୟୀ ସମସ୍ତଙ୍କୁ ପିଇବା ପାଣି ଯୋଗାଇ ଦେଇଛନ୍ତି ସରକାର କହୁଥିବା ବେଳେ ଓଡ଼ିଆ ପୁସ୍ତିକାରେ ଆଗକୁ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀଙ୍କୁ ମିଳୁନି ଅଥଚ ଚାଷୀଙ୍କ ଆୟ ଦୁଇଗୁଣ କରିଥିବା ନେଇ ସରକାର ରାଜ୍ୟପାଳଙ୍କ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି। ଧାନ କିଣାରେ ୫୦୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଖୋଦ ଯୋଗାଣ ମନ୍ତ୍ରୀ ମଧ୍ୟ ସ୍ବୀକାର କରିଛନ୍ତି। ରାଜ୍ୟରେ ଥିବା କୌଣସି ବି ମଣ୍ଡିରେ ଏଫ୍‌ଏକ୍ୟୁ ମାନର ଧାନ ନିର୍ଣ୍ଣୟ କରିବା ପାଇଁ ଆବଶ୍ୟକ ଯନ୍ତ୍ର ନାହିଁ କି ଅଣଏଫଏକ୍ୟୁ ମାନର ଧାନ ନିର୍ଣ୍ଣୟ କରିବା ପାଇଁ ବି ବ୍ୟବସ୍ଥା ନାହିଁ। ଆଜି ବି ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡିର ଚାଷୀ ଟୋକନ୍‌ ପାଇ ବି ଧାନ ବିକ୍ରି କରିପାରୁନାହାନ୍ତି ବୋଲି ଶ୍ରୀ ମିଶ୍ର କହିଥିଲେ।

ଆଲୋଚନାରେ ଭାଗ ନେଇ ଶାସକ ଦଳ ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ସାରାଭାରତ ଆର୍ଥିକ ସଂକଟ ଦେଇ ଗତି କରୁଥିବାବେଳେ ରାଜ୍ୟ ସରକାର ପ୍ରତିକୂଳ ପରିସ୍ଥିତିରେ ଅଭିବୃଦ୍ଧି ବଜାୟ ରଖିଛନ୍ତି ଯାହା ପ୍ରଶଂସନୀୟ। ଆଜି ଓଡ଼ିଶାର ପରିଚିତି ବଦଳିଛି। ଅନାହାର ଦୂର କରିବାରେ ଓଡ଼ିଶାକୁ ସଫଳତା ମିଳିଛି। ଖାଲି ସେତିକି ନୁହେଁ, ଆସନ୍ତା ୨ରୁ ୩ ବର୍ଷ ଭିତରେ ସବୁ ଗରିବଙ୍କ ମୁଣ୍ଡ ଉପରେ ଛାତ ରହୁ ସେଥିପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ମୋ ସରକାର ଓ ୫’ଟି’କୁ ପରିହାସ କରାଯାଉଛି। ବାସ୍ତବରେ ଏହା ହିଁ ରାଜ୍ୟର ସଫଳତା। ୫-ଟି ଅଛି ବୋଲି ସ୍ବାସ୍ଥ୍ୟ ଓ ପୁଲିସ ଥାନାରେ କିପରି ସେବା ମିଳୁଛି ସେଥିପାଇଁ ସମସ୍ତ ତତ୍ପର ହୋଇପଡ଼ିଛନ୍ତି। ଜଗନ୍ନାଥଙ୍କ ପାଇଁ ଏ ସରକାର ଯାହା କରିଛନ୍ତି ତାହା ଭାରତବର୍ଷରେ ନିଆରା। ସରକାର କେବଳେ ଐତିହ୍ୟ ସହର ପୁରୀର ସୋନ୍ଦର୍ଯ୍ୟୀକରଣ ପାଇଁ ପାଇଁ ପଦକ୍ଷେପ ନେଇନାହାନ୍ତି। ସଂଖ୍ୟାଲଘୁମାନଙ୍କ ଅନୁଷ୍ଠାନର ବିକାଶ ପାଇଁ ବି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଯେଉଁ ବିଷୟରେ ଗତ ଅଧିବେଶନରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ଅବସରରେ ଶ୍ରୀ ପଟ୍ଟନାୟକ ନିଜ ନିର୍ବାଚନମଣ୍ଡଳୀରେ ଥିବା କଣ୍ଟିଲୋ ନୀଳମାଧବ ପୀଠର ସୌନ୍ଦର୍ଯ୍ୟୀକରଣ ପାଇଁ ସରକାର ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ପଞ୍ଚଦଶ ଅର୍ଥ କମିସନଙ୍କ ସୁପାରିସ ଅନୁଯାୟୀ, ଯେଉଁ ରାଜ୍ୟରୁ ଅଧିକ ଦାଦନ ଖଟିବାକୁ ଯିବେ ସେ ରାଜ୍ୟକୁ କମ୍‌ ଆର୍ଥିକ ସହାୟତା ମିଳିବ। ଅନ୍ୟପକ୍ଷରେ ଯେଉଁ ରାଜ୍ୟକୁ ଦାଦନ ଶ୍ରମିକ ଅଧିକ ଯିବେ ସେ ରାଜ୍ୟକୁ ଅଧିକ ସହାୟତା ମିଳିବ। ରାଜ୍ୟରେ ଅଧିକରୁ ଅଧିକ କିପରି ପୁଞ୍ଜି ବିନିଯୋଗ ହେବ ଓ ଅପବ୍ୟୟ ରୋକାଯାଇପାରିବ ସେଥିପାଇଁ ଅର୍ଥମନ୍ତ୍ରୀ ଦୃଷ୍ଟି ଦେବାକୁ ଶ୍ରୀ ପଟ୍ଟନାୟକ ଗୃହରେ ସରକାରଙ୍କୁ ଅନୁରୋଧ କରିଥିଲେ। ରକ୍ତ ପ୍ରଦାନ ପୂର୍ବରୁ ରକ୍ତ ପରୀକ୍ଷା କରିବା ପାଇଁ କଛି ସ୍ବଳ୍ପ ଅର୍ଥ ପଇଠ କରିବାକୁ ପଡ଼ିଥାଏ। ଏଥିପାଇଁ ସାଧାରଣ ଲୋକଙ୍କ ଭିତରେ କିଛିଟା ଅସନ୍ତୋଷ ରହିଛି। ଏହି ଅସନ୍ତୋଷକୁ ଦୂର କରିବା ପାଇଁ ସରକାର ଏହି ରକ୍ତ ପରୀକ୍ଷା ଅର୍ଥ ବହନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଥିଲେ। ଏହାସହିତ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍‌ ଥିଲେ ବି ସାଇବର୍‌ କ୍ରାଇମ୍‌ ଦିନକୁ ଦିନ ବଢ଼ିଛାଲିଛି। ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏଁ ସାଇବର୍ ଥାନା ପ୍ରତିଷ୍ଠା ହେବା ଦରକାର। ବିରୋଧୀ କେନ୍ଦ୍ର ଓ ରାଜ୍ୟର ଅଂଶ ଭିତରେ ନ ପଶି ସରକାରଙ୍କୁ ସହାୟତାର ହାତ ବଢ଼ାଇଲେ ରାଜ୍ୟବାସୀଙ୍କ ବିକାଶ ଆହୁରି ତ୍ବରାନ୍ବିତ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଶାସକ ଦଳ ସଭ୍ୟ ଅତନୁ ସବ୍ୟସାଚି ନାୟକ କହିଥିଲେ ଯେ ରାଜ୍ୟ ସରକାରଙ୍କ ୫’ଟି’ ଓ ମୋ ସରକାର ବ୍ୟବସ୍ଥାକୁ ଭାରତ ସରକାରଙ୍କ ନୀତି ଆୟୋଗ ପ୍ରଶଂସା କରିଛନ୍ତି। ୨୦ ବର୍ଷ ଧରି ବିଜୁ ଜନତା ଦଳ ଲୋକଙ୍କ ସହିତ ଥିବାରୁ ପଞ୍ଚମ ଥର ପାଇଁ ଲୋକେ ଦଳକୁ ଶାସନକୁ ଆଣିଛନ୍ତି। ଏ ସରକାର ଲୋକଙ୍କୁ ଖାଲି ପ୍ରତିଶ୍ରୁତି ଦିଅନ୍ତିନି ତାକୁ ଅକ୍ଷରେ ଅକ୍ଷରେ ପାଳନ ବି କରିଥାନ୍ତି। ରାଜ୍ୟପାଳଙ୍କ ଅଭିଭାଷଣରେ ସବୁ ତଥ୍ୟ ଅସତ୍ୟ ବୋଲି ଯାହା ବିରୋଧୀ ଅଭିଯୋଗ କରୁଛନ୍ତି ତା ଆଦୌ ଠିକ୍‌ ନୁହେଁ। ମୁଖ୍ୟମନ୍ତ୍ରୀ ସବୁ ବେଳେ ଲୋକଙ୍କ ପାଇଁ ୩ଟି ବିଷୟ ଉପରେ ଗୁରୁତ୍ବ ଦେଇଛନ୍ତି। ପିଇବା ପାଣି, ସ୍ବାସ୍ଥ୍ୟସେବା ଓ ଶିକ୍ଷାରେ ଓଡ଼ିଶାକୁ ଏକ ନମ୍ବର କରିବାକୁ ସେ ଅହରହ ଉଦ୍ୟମ ଜାରି ରଖିଛନ୍ତି ବୋଲି ଶ୍ରୀ ନାୟକ କହିଥିଲେ।

ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଜେ଼ଡି ବିଧାୟକ ପ୍ରତାପ ଦେବ, ଦେବୀ ରଞ୍ଜନ ତ୍ରିପାଠୀ, ଲତିକା ପ୍ରଧାନ, କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନୀପତି, ବିଜେପି ବିଧାୟକ ମୁକେଶ ମହାଲିଙ୍ଗ, ଭାସ୍କର ମଢ଼େଇ, ନିତ୍ୟାନନ୍ଦ ଗଣ୍ଡ ଓ ସିପିଏମ୍‌ ସଦସ୍ୟ ଲକ୍ଷ୍ଣଣ ମୁଣ୍ଡା ପ୍ରମୁଖ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର