ନରସିଂହ ମିଶ୍ରଙ୍କ ୩.୨୭ କୋଟି

ରାଜ୍ୟ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାର୍ଷିକ ଆୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି। ଶ୍ରୀ ମିଶ୍ରଙ୍କ ବାର୍ଷିକ ଆୟ ୨୦୧୩-୧୪ରେ ୧୩ ଲକ୍ଷ ୧୨୦ ଟଙ୍କା ରହିଥିଲା। ତାହା ବୃଦ୍ଧି ପାଇ ୨୦୧୭-୧୮ ଆର୍ଥିକ ବର୍ଷରେ ୨୪ ଲକ୍ଷ ୪୮ ହଜାର ୮୧୯ ଟଙ୍କା ହୋଇଥିବା ଜଣାଯାଇଛି। ତେବେ ତାଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୩ କୋଟି ୨୬ ଲକ୍ଷ ୭୭ ହଜାର ୧୨୧ ଟଙ୍କା ବୋଲି ସେ ଦାଖଲ କରିଥିବା ସତ୍ୟପାଠରୁ ଜଣାଯାଇଛି। ନରସିଂହଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୫୮ଲକ୍ଷ ୭୭ ହଜାର ୧୨୧ ଟଙ୍କା ହୋଇଥିବା ବେଳେ ସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୬୮ ଲକ୍ଷ ଟଙ୍କା। ସେହିପରି ତାଙ୍କ ପତ୍ନୀ କୁସୁମ ମିଶ୍ରଙ୍କ ଅସ୍ଥାବର ସମ୍ପତ୍ତି ମୂଲ୍ୟ ପ୍ରାୟ ୧କୋଟି ୭୧ ଲକ୍ଷ ୪୮ହଜାର ୨୧୬ ଟଙ୍କା ଓ ସ୍ଥାବର ସମ୍ପତ୍ତି ୧୪ଲକ୍ଷ ୫୦ ହଜାର ଟଙ୍କା। ଶ୍ରୀ ମିଶ୍ରଙ୍କ ଚାଷ ଜମି ଛତାମଖନା, କନ୍ଧପାଲି, ତୁଲଣ୍ଡିରେ ରହିଛି। ଅଣ କୃଷି ଜମି ଟିଟିଲାଗଡ ଓ ଛତାମଖନାଠାରେ ମଧ୍ୟ ରହିଛି। ବଲାଙ୍ଗୀରରେ ପିତାଙ୍କ ସୂତ୍ରରେ ପାଇଥିବା ଘର, ଭୁବନେଶ୍ୱର ଜାଗମରାରେ ରେସିଡେନସିଆଲ ବିଲ୍ଡିଂ, ବିନିକା ମିଶ୍ରପାଲିରେ ଏକ ଘର ରହିଛି। ବିରୋଧୀ ଦଳନେତା ଶ୍ରୀ ମିଶ୍ରଙ୍କ ଗହଣା ୪୮ ଗ୍ରାମ ଯାହାକି ବର୍ତ୍ତମାନ ବଜାର ମୂଲ୍ୟରେ ୧ଲକ୍ଷ ୪୪ ହଜାର ଟଙ୍କା ଦର୍ଶାଇଛନ୍ତି। ସେହିପରି ତାଙ୍କ ପତ୍ନୀଙ୍କ ୪୯୦ ଗ୍ରାମ ଗହଣା ଥିବା ଦର୍ଶାଯାଇଛି। ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ତାଙ୍କ ନିଜସ୍ୱ କୌଣସି ଯାନବାହନ ନଥିବା ସତ୍ୟପାଠରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର