ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା

ବିଧାନସଭାରେ ବିରୋଧୀ ଦଳ ନେତା ଗର୍ଜିଲେ

କାହିଁକି ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବାକୁ ପଛଘୁଞ୍ଚା?

ଭୁବନେଶ୍ୱର : ଚାଷୀ ଆତ୍ମହତ୍ୟା ଘଟଣାର ମାଜିଷ୍ଟ୍ରେଟ୍‌ସ୍ତରୀୟ ତଦନ୍ତ କରିବାରେ ସରକାର କାହିଁକି ପଛଘୁଞ୍ଚା ଦେଲେ? ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରିବାର ଦୀର୍ଘ ଦିନ ପରେ ବି ଲୋକାୟୁକ୍ତ ନିଯୁକ୍ତି ନ ଦେଇ ସରକାର ରାଜ୍ୟବାସୀ ଓ ବିଧାନସଭାକୁ ଧୋକା ଦେଇନାହାନ୍ତି କି? ମାନବାଧିକାର କମିସନ ଅଧ୍ୟକ୍ଷ ନିଯୁକ୍ତି କ୍ଷେତ୍ରରେ ବି କାଳକ୍ଷେପଣ ନୀତି? ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ପୁଲିସ ଅଫିସରଙ୍କୁ ସୁରକ୍ଷା ଦେଇ ସରକାର ମା’କୁ ସମ୍ନାନ ସ୍ଲୋଗାନ ଦେଉଛନ୍ତି। ଦୁର୍ନୀତିମୁକ୍ତ ବୋଲି କହୁଛ, କିନ୍ତୁ ଏସବୁ କାର୍ଯ୍ୟରେ ପ୍ରତିଫଳିତ ହେଉନି କାହିଁକି?

ଅତ୍ୟନ୍ତ କଡ଼ା ଶବ୍ଦରେ ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଗର୍ଜିଥିଲେ ପାଖାପାଖି ଦେଢ ଘଣ୍ଟା। ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀ, ରାଜନେତାଙ୍କ ଠାରୁ ଆରମ୍ଭ କରି ଖଣି ମାଫିଆଙ୍କ ଯାଏ ସରକାର କିଭଳି ସୁରକ୍ଷା ଦେଉଛନ୍ତି, ଆଇନଶୃଙ୍ଖଳା ପରିସ୍ଥିତି ପର୍ଯ୍ୟନ୍ତ ଡ଼ଜନେରୁ ଅଧିକ ପ୍ରସଙ୍ଗରେ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଠାରୁ କୈଫିୟତ ମାଗିଥିଲେ। ବିଜେପି ବି ଅତ୍ୟନ୍ତ ଶାଣିତ ଶବ୍ଦ ପ୍ରୟୋଗ କରି ସରକାରଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ଉପସ୍ଥାପନ କରିଥିଲା। ପ୍ରତି ଜବାବରେ ରାଜ୍ୟ ସରକାରଙ୍କ ସବୁ ଭଲ କାମର ତାଲିକା ରଖିଥିଲେ ବିଜେଡି ବିଧାୟକ। ବିରୋଧୀ ସବୁକଥାକୁ ରାଜନୀତିରେ ତଉଲୁଛନ୍ତି ବୋଲି ଅଭିଯୋଗ ରଖି ମାଓଦମନ ଠାରୁ ଆରମ୍ଭ କରି ପୁଲିସର ଦୈନନ୍ଦିନ କାର୍ଯ୍ୟଧାରା ସଂପର୍କରେ ବିଧାୟକମାନେ ଏକ ଗୋଲାପି ଚିତ୍ର ରଖିଥିଲେ।

ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରୁ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା କହିଥିଲେ, ରାଜ୍ୟ ସରକାର ଏହାକୁ ଯେ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହନ୍ତି। ନିୟମ ରହିଛି, ସବୁ ଅପମୃତ୍ୟୁ ମାମଲାର ତଦନ୍ତ ପୁଲିସ କରିବ। ଆଇନର ବ୍ୟବସ୍ଥାକୁ ଆମେ କେମିତି ଏଡ଼ାଇଯିବା? ଘଟଣା ସଂପର୍କରେ ଗୃହକୁ କିଛି ବି ସରକାର ଜଣାଇବେନି?

ଦେଶରେ ଲୋକପାଳ ଆଇନ ହେଲା। ଲୋକପାଳ ନିଯୁକ୍ତି ଦେବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି କାହିଁକି? ଏଠି ବିଧାନସଭାରେ ବି ଲୋକାୟୁକ୍ତ ଆଇନ ଅନୁମୋଦନ ଲାଭ କଲା। ୨୦୧୫ ଜାନୁଆରି ୧୬ରୁ ରାଷ୍ଟ୍ରପତି ଏହି ଆଇନକୁ ସମ୍ମତି ଦେଲେଣି। ବିଜ୍ଞପ୍ତିଟିଏ ପ୍ରକାଶ ପାଇପାରୁନାହିଁ? ସରକାରଙ୍କ ମନୋବୃତ୍ତି ଥିଲେ, ଗୋଟିଏ ଘଣ୍ଟାରେ ସବୁ ହେବ। ଲୋକାୟୁକ୍ତ ବି ନିଯୁକ୍ତି ଦିଆଯାଉନି। ତେବେ କାହିଁକି ଏ ଆଇନ ପାରିତ ହେଲା? କଣ ପାଇଁ ଗୃହର ବହୁମୂଲ୍ୟ ସମୟ ନଷ୍ଟ ହେଲା ଓ ରାଜସ୍ୱ ମଧ୍ୟ?

ଶାହା କମିସନଙ୍କ ରିପୋର୍ଟ ଭୟରେ ଏହି ଆଇନ କାର୍ଯ୍ୟକାରୀ ହେଉନି କି? କାରଣ ଶାହା କମିସନ ସିରାଜୁଦ୍ଦିନ୍‌ ଖଣି ସଂପର୍କରେ ଅତ୍ୟନ୍ତ ସାଂଘାତିକ ମନ୍ତବ୍ୟ ରଖିଛନ୍ତି। ୧୯୭୯ରୁ ଏହି ସଂସ୍ଥାର କାର୍ଯ୍ୟକଳାପ ନେଇ ପ୍ରଶ୍ନ ଉଠିଛି। ୨୦୦୯ରେ ରାଜ୍ୟ ଭିଜିଲାନ୍ସ ମକଦ୍ଦମା ରୁଜୁ କରିଥିଲା। ରାଜ୍ୟ ସରକାର ବି ସଂପୃକ୍ତ ଖଣିକୁ ୭୫୦ କୋଟି ଟଙ୍କାର ଜରିମାନା ଦେଇଛନ୍ତି। ଏ ସଂସ୍ଥା ବିରୋଧରେ ଏତେ ସଙ୍ଗିନ୍‌ ପ୍ରମାଣ ଅଛି ଯେ ଜେଲ୍‌ ଯିବ। ସଂପତ୍ତି ବି ବାଜ୍ୟାପ୍ତି ହେବ। ସରକାରୀ ଅଧିକାରୀଙ୍କ ଭୂମିକା ନେଇ ବି ପ୍ରଶ୍ନ ଉଠିଛି। ସରକାର ଡରୁଛନ୍ତି କାରଣ, ଏ ନେଇ ଲୋକାୟୁକ୍ତଙ୍କ ପାଖରେ ମାମଲା ହେବ? ଲୋକପାଳ ଜଷ୍ଟିସ ପି କେ ପାତ୍ରଙ୍କ ପରଲୋକ ପରେ ବି କାହାକୁ ନିଯୁକ୍ତି ଦିଆଯାଉନାହିଁ। ମାତ୍ର ସେଠାରେ କର୍ମଚାରୀ ଅଛନ୍ତି, ସେମାନଙ୍କୁ ଦରମା ଦିଆଯାଉଛି। ସେହିପରି ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ପଦବି ପୂରଣ ହେଉ ନାହିଁ। ସଦସ୍ୟ ପଦ ବି। ଓଡ଼ିଶା ପୁଲିସ ବିଲ୍‌ର ସ୍ଥିତି ଏବେ କ’ଣ? ସରକାର ତରବରିଆ ଭାବେ ଏ ବିଲ୍‌କୁ ପାରିତ କରାଇନେଲେ। ଏବେ ଏହା ସ୍ୱୀକୃତି ପାଉନାହାନ୍ତି। ତା ପରେ ଆଉ ଗୃହକୁ ଅଣାଯାଉନି।

ବଲାଙ୍ଗୀର ଜିଲ୍ଲାର ଜଣେ ପୁଲିସ ଅଧିକାରୀଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା କହିଥିଲେ ଯେ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ କାହିଁକି ସୁରକ୍ଷା ଦିଆଯାଉଛି। ରାଜକନିକାରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିବା ବ୍ୟକ୍ତିକୁ ଡିଜିଙ୍କ ହସ୍ତକ୍ଷେପ ପରେ ନ୍ୟାୟ ମିଳିଲା। ଡିଜିଙ୍କୁ କେତେଜଣ କହିପାରିବେ? ବିରୋଧୀ ଦଳ ନେତା କହିଥିଲେ, ମୁଖ୍ୟମନ୍ତ୍ରୀଙ୍କର ଗୃହ ପ୍ରତି ସାମାନ୍ୟ ସମ୍ମାନ ନାହିଁ। ସମ୍ବିଧାନ ପ୍ରତି କି ସଂସଦୀୟ ବ୍ୟବସ୍ଥା ପ୍ରତି। ମୁଖ୍ୟମନ୍ତ୍ରୀ ଅଭ୍ୟାସଗତ ଭାବେ ଗୃହରେ ରହୁନାହାନ୍ତି । ରାଜ୍ୟରେ ଦଣ୍ଡବିଧାନ ହାର ବହୁତ ତଳେ ରହିଛି, ୬%। କ୍ୟା଼ଡ଼ର ପିପି ଓ ଏପିପି ନିଯୁକ୍ତି ଦିଆଗଲେ ହିଁ ସ୍ଥିତିରେ ଉନ୍ନତି ଘଟିବ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ ସେତେବେଳେ ଗୋଟିଏ ଅଂଜନା ଦୁଷ୍କର୍ମ ପ୍ରସଙ୍ଗ ଉଠିଥିଲା। ଏବେ ରାଜ୍ୟରେ ଶହ ଶହ ଅଂଜନା ଦୁଷ୍କର୍ମର ଶିକାର ହେଉଛନ୍ତି। ପୂର୍ବତନ ବିଧାୟକ ରମେଶ ଜେନାଙ୍କ ବିରୋଧରେ ପୁଲିସ ଆକ୍ରୋଶମୂଳକ ଭାବେ ଯେଉଁଭଳି ଗୋଟିକ ପରେ ଗୋଟିଏ ମାମଲାରେ ଛନ୍ଦିଚାଲିଛି, ଏଥିରୁ ସରକାର କେତେ ସ୍ୱଚ୍ଛ, ନିରପେକ୍ଷ ବୋଲି ସ୍ପଷ୍ଟ ହୋଇଯାଉଛି। ସେହିପରି ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କୁନ୍ଦୁଲି ପୀଡ଼ିତାଙ୍କୁ ପୁଲିସ କିପରି ଯୋଜନାବଦ୍ଧ ଭାବେ ନିର୍ଯାତନା ଦେଇଛି, ତା’ର ଘଟଣାକ୍ରମ ବର୍ଣ୍ଣନା କରିଥିଲେ। ବିଜେପି ବିଧାୟକ ବସନ୍ତ କୁମାର ପଣ୍ଡା ପଦ୍ୟ ଜରିଆରେ ରାଜ୍ୟ ସରକାରଙ୍କୁ ବିଭିନ୍ନ କ୍ଷେତ୍ରରେ ସମାଲୋଚନା କରିଥିଲେ। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ସାଧାରଣ ପ୍ରଶାସନ ବିଭାଗର ନଗ୍ନ ଚିତ୍ର ଉପସ୍ଥାପନ କରିଥିଲେ।

ବିରୋଧୀଙ୍କ ଅଭିଯୋଗକୁ ଅସ୍ୱୀକାର କରି ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ କହିଲେ ଯେ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ ଦେଶରେ ଅପରାଧ କ୍ଷେତ୍ରରେ ଓଡ଼ିଶାର ସ୍ଥାନ ୧୭, ତୃତୀୟ ନୁହେଁ। ପୁଲିସ ଅବହେଳା ହେଲେ ମୁଖ୍ୟମନ୍ତ୍ରୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି। ତା’ର ଏକ ଦୃଷ୍ଟାନ୍ତ ହେଉଛି ୨୦୦୯ରେ ଜଗତ୍‌ସିଂହପୁରର ଏସିଡ୍‌ ମାଡ଼ କରିଥିବା ଆସାମୀଙ୍କୁ ଗିରଫ କରିବାରେ ଅବହେଳା ପୁଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା। ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ, ବିଧାୟକ ସଂଜୟ କୁମାର ଦାସବର୍ମା, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବେଦପ୍ରକାଶ ଅଗ୍ରଓ୍ଵାଲ୍‌, ପୂର୍ଣ୍ଣଚନ୍ଦ୍ର ସେଠୀ, ପ୍ରଶାନ୍ତ ମୁଦୁଲି ପ୍ରମୁଖ ସରକାରଙ୍କ ସଫଳତା ବଖାଣିଥିଲେ। ସରକାରଙ୍କୁ ସମର୍ଥନ କରିଥିଲେ ସ୍ୱାଧୀନ ବିଧାୟକ ସନାତନ ମହାକୁଡ଼। ଅନ୍ୟପକ୍ଷରେ ବିରୋଧୀ ବିଧାୟକ ପ୍ରଦୀପ ପୁରୋହିତ, ଦେବେନ୍ଦ୍ର ଶର୍ମା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସବୁ ଠିକ୍‌ଠାକ୍‌ ଅଛି: ମୁଖ୍ୟମନ୍ତ୍ରୀ
ବିରୋଧୀଙ୍କ ଅଭିଯୋଗର ଜବାବ ମିଳିଲାନି

ଭୁବନେଶ୍ୱର : ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚଦାବି ଆଲୋଚନା ଆଳରେ ବିରୋଧୀ ଦଳ ଅଭିଯୋଗର ପାହାଡ଼ ଲଦି ଦେଇଥିଲେ ସରକାରଙ୍କ ଉପରେ। ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା ଶେଷରେ ଯେଉଁ ଉତ୍ତର ଦେଇଛନ୍ତି, ସେଥିରେ ବିରୋଧୀଙ୍କ କୌଣସି ପ୍ରଶ୍ନର ଉତ୍ତର ବା ସ୍ପଷ୍ଟୀକରଣ ନାହିଁ। ଲୋକାୟୁକ୍ତ ଠାରୁ ଆରମ୍ଭ କରି ସ୍ୟାଟ୍‌ ପର୍ଯ୍ୟନ୍ତ ବିରୋଧୀ ଦଳ ନେତା ଯେତେ ସବୁ କଥା କହିଥିଲେ, ତାହାକୁ ଆଦୌ ଗୁରୁତ୍ୱ ଦେଇନାହାନ୍ତି ମୁଖ୍ୟମନ୍ତ୍ରୀ।

ସେ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି ଓ ବାମପନ୍ଥୀ ଉଗ୍ରବାଦ ବି ନିୟନ୍ତ୍ରଣାଧୀନ। କେବଳ ସେତିକି ନୁହେଁ, ଦୁୁର୍ନୀତି ବିରୋଧୀ ଓ ସ୍ୱଚ୍ଛତା ରାଜ୍ୟ ସରକାରଙ୍କ ଦୁଇଟି ମୁଖ୍ୟ ଅସ୍ତ୍ର ବୋଲି ସୂଚାଇ ସରକାରୀ ବ୍ୟବସ୍ଥା ଓ ପ୍ରକ୍ରିୟାରେ ଏହା ବେଶ୍‌ ପରିଦୃଷ୍ଟ ବୋଲି ଦୃଢ ମତ ରଖିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ଉତ୍ତର ବିରୋଧୀ ଦଳକୁ ଆଜି ତତାଇ ଦେଇଛି। ବିରୋଧୀ କଂଗ୍ରେସ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ବର୍ଜନ କରି କକ୍ଷତ୍ୟାଗ କରିଥିଲେ। ଏଥିସହିତ ଗୃହ ବିଭାଗର ୧୬୧ କୋଟି ୩୪ ଲକ୍ଷ ୭୦ ହଜାର ଟଙ୍କା ଏବଂ ସାଧାରଣ ପ୍ରଶାସନ ବିଭାଗର ୭୬ କୋଟି ୬୯ ଲକ୍ଷ ୯୪ ହଜାର ଟଙ୍କାର ଖର୍ଚ୍ଚର୍ଦାବି ଗୃହର ମଞ୍ଜୁରି ଲାଭ କରିଥିଲା।

ଆଲୋଚନା ଶେଷରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବକ୍ତବ୍ୟ ରଖି କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି। ପୁଲିସ ଭିତ୍ତିଭୂମି, ସଶସ୍ତ୍ର କର୍ମଚାରୀଙ୍କ ନିଯୁକ୍ତି, ତାଲିମ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ଘଟିଛି। ତେବେ ଓଡ଼ିଶାର ଲୋକେ ହିଂସାକାଣ୍ଡକୁ ସମର୍ଥନ କରନ୍ତି ନାହିଁ। ଏଣୁ ମାଓବାଦୀଙ୍କର ସ୍ଥାନୀୟ ଅଞ୍ଚଳରେ ଭିତ୍ତିନାହିଁ। କିନ୍ତୁ ସମସ୍ୟାଟି ହେଉଛି ଏୟା ଯେ ଛତିଶଗଡ଼, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶରୁ ଓଡ଼ିଶାକୁ ମାଓବାଦୀ ଅନୁପ୍ରବେଶ କରୁଛନ୍ତି। ବିଶେଷକରି ଛତିଶଗଡ଼ ସୀମାରେ ବିକ୍ଷିପ୍ତ ଭାବେ କେନ୍ଦ୍ରୀୟ ଫୋର୍ସ ମୁତୟନ ଓଡ଼ିଶା ପାଇଁ ବିପଦ ସାଜୁଛି, ଯାହା ସଂପର୍କରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ରାଜ୍ୟର ଆବଶ୍ୟକତା ସତ୍ତ୍ୱେ କେନ୍ଦ୍ର ସରକାର ପର୍ଯ୍ୟାପ୍ତ କେନ୍ଦ୍ରୀୟ ସାମରିକ ବାହିନୀ ମୁତୟନ କରୁନାହାନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ଆବଶ୍ୟକ ଅର୍ଥ ଦେଉନାହାନ୍ତି। ଏହାସତ୍ତ୍ୱେ ମାଓବାଦୀକୁ ମୂଳପୋଚ୍ଛ କରିବା ଲାଗି ରାଜ୍ୟର ଯେଉଁ ପ୍ରତିବଦ୍ଧତା ରହିଛି। ମାଓବାଦୀ ହିଂସା ହଟାଇବା ଦିଗରେ ଗୁରୁପ୍ରିୟା ସେତୁ ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ କରାଯାଉଛି, ଯାହା ଦ୍ୱାରା ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ବ୍ୟବସ୍ଥା ଉନ୍ନତି କରାଇବାରେ ସାହାଯ୍ୟ କରିବ।

ସମାଜର ଅସୁରକ୍ଷିତ ବର୍ଗ ଯଥା: ମହିଳା, ଶିଶୁ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତିର ଲୋକମାନଙ୍କ ବିରୋଧରେ ଅପରାଧ ନିୟନ୍ତ୍ରଣ କ୍ଷେତ୍ରରୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି ଦୃଢ ମତ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କୁ ନ୍ୟାୟ ଦେବା ବ୍ୟବସ୍ଥା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ସିଧାସଳଖ ଏପିପି ନିଯୁକ୍ତି, ମହିଳା ଓ ଶିଶୁ ଡେସ୍କ ସ୍ଥାପନ, ମହିଳା ନିର୍ଯାତନା ମାମଲାକୁ ରେଡ୍‌ଫ୍ଲାଗ୍‌ ମାନ୍ୟତା ଆଦି ବିଷୟରେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଅପରେସନ ମୁସ୍କାନ-୩ ଜରିଆରେ ୩୭୪୮ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଥିବା ପଦକ୍ଷେପକୁ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପ୍ରଶଂସା କରିଛି ବୋଲି ସୂଚାଇଛନ୍ତି ମୁଖ୍ୟମନ୍ତ୍ରୀ।

ସାଧାରଣ ପ୍ରଶାସନ ବିଭାଗ ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟ ସରକାର ୨୪ଟି ବିଭାଗ ଅଧୀନରେ ୩୩୩ଟି ଲୋକସେବା ଓଡ଼ିଶା ଲୋକସେବା ଅଧିକାର ଆଇନ ପରିସରଭୁକ୍ତ କରିଛନ୍ତି। ସେହିପରି ଓଡ଼ିଶା ସିଭିଲ୍‌ ସର୍ଭିସ ପରୀକ୍ଷା ଠିକ୍‌ ସମୟରେ ପରିଚାଳନା, ହରିଶ୍ଚନ୍ଦ୍ର ଯୋଜନାରେ ୫୦ ହଜାର ହିତାଧିକାରୀଙ୍କୁ ସହାୟତା, ୫ ହଜାରରୁ ଅଧିକ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଜରିଆରେ ସହାୟତା କରାଯାଇଛି।

ସମ୍ବନ୍ଧିତ ଖବର