ଜମିଅତ୍ ଉଲେମାର ‘ନିଶା-ମୁକ୍ତ‌ ଭାରତ’ ଅଭିଯାନ

ଭୁବନେଶ୍ବର : ଜମିଅତ ଉଲେମା ଏ ହିନ୍ଦ ପକ୍ଷରୁ ନିଶା-ମୁକ୍ତ ଭାରତ ଅଭିଯାନ ଆରମ୍ଭ ହୋଇଛି। ଏଥିପାଇଁ ଦେଶର ବିଭିନ୍ନ ସ୍ଥାନରେ ଶିବିରର ଆୟୋଜନ କରାଯାଉଛି। ଯୁବକମାନଙ୍କୁ ନିଶାଠାରୁ ଦୂରେଇ ରଖିବା ଲାଗି ଆରମ୍ଭ ହୋଇଥିବା ଏହି ଅଭିଯାନରେ ସଂଗଠନକୁ ସଫଳତା ମିଳୁଛି। ଓଡ଼ିଶାରେ ମଧ୍ୟ ଖୁବଶୀଘ୍ର ଏଭଳି ଶିବିର ଆୟୋଜନ କରାଯିବ। ଏହି ସୂଚନା ଦେଇଛନ୍ତି ସଂଗଠର ବରିଷ୍ଠ ନେତା ମୌଲାନା ସୟଦ ଅର୍ସଦ ମୀର। ଆଜି ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ କହିଛନ୍ତି ଯେ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଥିବା ଏହି ସଂଗଠନ ଏବେ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ‌ନିୟୋଜିତ କରିଛି। ଭାରତର ଯୁବକମାନଙ୍କୁ ଆଇଏସଆଇଏସ୍ ଭଳି ଦୁର୍ଦାନ୍ତ ଆତଙ୍କବାଦୀ ସଂଗଠନର ପ୍ରଭାବରୁ ଦୂରେଇ ରଖିବା ଲାଗି ତାଙ୍କ ସଂଗଠନ ବଡ଼ ଧରଣର ଅଭିଯାନ ଆରମ୍ଭ କରିଥିଲା। ଏଥିରେ ସଫଳତା ମଧ୍ୟ ମିଳିଛି। ଏବେ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି। ସ୍କୁଲମାନଙ୍କରେ ପାଠ ପଢ଼ିବା ଲାଗି ପିଲାମାନଙ୍କୁ ଉତ୍ସାହିତ କରାଯାଉଛି।

ତେବେ ୨୦୧୭ରୁ ସଂଗଠନ ନୂଆ ଅଭିଯାନ ଆରମ୍ଭ କରିଛି। ଏହା ହେଉଛି ନିଶା ମୁକ୍ତ ଭାରତ। ବିଭିନ୍ନ ସ୍ଥାନରେ ଶିବିର ଆୟୋଜନ କରାଯାଉଛି। ଧାର୍ମିକ ସଭାମ‌ାନଙ୍କରେ ନିଶା ଓ ଆତଙ୍କବାଦ ବିରୋଧରେ ପ୍ରବଚନକୁ ଗୁରୁତ୍ବ ଦିଆଯାଉଛି। ସଚେତନତା ସୃଷ୍ଟି କରାଯାଉଛି ବୋଲି ମୌଲାନା ମୀର କହିଥିଲେ। ସେ ଆହୁରି କହିଥିଲେ ଯେ ତାଙ୍କ ସଂଗଠନର ଅଭିଯାନ କେବଳ ମୁସଲିମ ସଂପ୍ରଦାୟରେ ସୀମିତ ନୁହେଁ। ଗୁଜରାଟ ହେଉ କି କେରଳ ଯେଉଁଠି ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ସେଠାରେ ସଂଗଠନର କର୍ମୀ ତତକ୍ଷଣାତ ପହଂଚି ରିଲିଫ ଓ ଉଦ୍ଧାର କାର୍ଯ୍ୟ‌େର ସାମିଲ ହେଉଛନ୍ତି। କର୍ମୀମାନେ ସ୍ବଚ୍ଛତା ଅଭିଯାନରେ ମଧ୍ୟ ସକ୍ରିୟ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ‘ମନ୍ କି ବାତ୍’ରେ ଏଥିଲାଗି ଜମିଅତ୍ ଉଲେମାର ପ୍ରଶଂସା କରିଥିବା ସେ କହିଥିଲେ। ସୂଚନାଯୋଗ୍ୟ ଯେ ମୌଲାନା ମୀର ସୁରଟ ଜମିଅତ ଉଲେମାର ସଂପାଦକ ମଧ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର