ନାଟମଣ୍ଡପରେ ବି ଫାଟ

କଟକ: ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଥିବା ଗରୁଡ ସ୍ତମ୍ଭ ନିକଟ ନାଟମଣ୍ଡପ ପଥର ବିମ୍‌ରେ ଫାଟ ରହିଛି। ବିମ୍‌ର ପୂର୍ବପାର୍ଶ୍ୱରେ ଗୋଟିଏ ବଡ଼ ଫାଟ ରହିଥିବା ବେଳେ ତଳ ପଟେ ଛୋଟ ଫାଟ ସ୍ପଷ୍ଟ ଦେଖାଯାଉଛି। ଜଗମୋହନ ବିମ୍‌ରେ ଯେପରି ଫାଟ ସୃଷ୍ଟି ହୋଇଥିଲା ଠିକ୍‌ ସେହିପରି ନାଟମଣ୍ଡପ ବିମ୍‌ରେ ଫାଟ ଦେଖାଦେଇଛି ବୋଲି ଭାରତୀୟ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ପକ୍ଷରୁ ହାଇକୋର୍ଟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି।

ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ ଓ ଡକ୍ଟର ଜଷ୍ଟିସ୍‌ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶ୍ରୀଜଗନ୍ନାଥ ମନ୍ଦିର ମରାମତି ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ସମୟରେ ଏଏସ୍‌ଆଇ ସୁପରିନ୍‌ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଏ.ଏଚ୍‌.ନାୟକ ମରାମତି କାର୍ଯ୍ୟର ଅଗ୍ରଗତି ସଂପର୍କରେ ସତ୍ୟପାଠ ଦାଖଲ କରିଥିଲେ।

ଏଏସ୍‌ଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ ଗରୁଡସ୍ତମ୍ଭ ନିକଟ ପ୍ରସ୍ତାବିତ ମରାମତି ପାଇଁ ଡିସେମ୍ବର ୧୩ରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଶାସନ ପକ୍ଷରୁ ନିରୂପଣ କରାଯାଇଥିବା ସ୍ଥାନ ପ୍ରଦାନ କରାଯାଇଥିଲା। ପରେ ମରାମତି ପାଇଁ ତୁରନ୍ତ ଅସ୍ଥାୟୀ ମଞ୍ଚ(ଫ୍ରେମ୍‌) ନିର୍ମାଣ କରାଯାଇଥିଲା। ଦୁର୍ବଳ ହୋଇଥିବା ପ୍ଲାଷ୍ଟର ଛଡା ଯାଇଥିଲା। ନାଟମଣ୍ଡପ ବିମ୍‌ରେ ଗୁରୁତର ଫାଟ ଥିବା ଦେଖା ଯାଇଥିଲା। ପୂର୍ବରୁ ଚଟାଣରୁ କରାଯାଇଥିବା ଅନୁଧ୍ୟାନରୁ ବିମର ମୂଳ ଢାଞ୍ଚାରେ କିଛି ଫାଟ ନଥିବା ଓ କେତେକ ସ୍ଥାନରେ ପ୍ଲାଷ୍ଟର ଦୁର୍ବଳ ହୋଇ ପଡିଥିବା ଦେଖା ଯାଇଥିଲା। ଏପରି ବଡ ଫାଟ ସଂପର୍କରେ ଜଣା ପଡି ନଥିଲା। ଡିସେମ୍ବର ୧୫ରେ ଏଏସ୍‌ଆଇ ଅଧିକାରୀ, କୋର୍‌ କମିଟି ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନର ଇଂଜିନୟର ବିମ୍‌ରେ ଥିବା ଫାଟକୁ ଅନୁଧ୍ୟାନ କରିଥିଲେ। ପ୍ଲାଷ୍ଟର ଛଡା ଯିବା ପରେ ବିମ୍‌ର ଦୁଇଟି ସ୍ଥାନରେ ବଡ ଫାଟ ଥିବା ଦେଖା ଯାଇଥିଲା। ଏଥି ସହିତ ବିମ୍‌କୁ ସମର୍ଥନ ଦେଉଥିବା ପଥର ସ୍ତମ୍ଭରେ ମଧ୍ୟ ଫାଟ ଥିବା ଜଣା ପଡିଥିଲା। ଏପରି ପରିସ୍ଥିତିରେ ନାଟମଣ୍ଡପ ଛାତ, ବିମ୍‌ ଓ ପଥର ସ୍ତମ୍ଭର ସବିଶେଷ ଅନୁଧ୍ୟାନ କରି ମରାମତି ପାଇଁ ନିଷ୍ପତ୍ତି ନିଆଯିବା ଆବଶ୍ୟକ। ବିମ୍‌ରେ ଦେଖା ଦେଇଥିବା ଫାଟ କେତେ ଗଭୀର ଓ କଣ ମରାମତି ଆବଶ୍ୟକ ଏଥି ପାଇଁ ନିଷ୍ପତ୍ତି ନେବା ଲାଗି ଅତି କମ୍‌ରେ ୨୦ ଦିନ ଆବଶ୍ୟକ। ଅନ୍ୟପକ୍ଷରେ ୨୦୧୭, ଡିସେମ୍ବର ୧୫ରେ ଶ୍ରୀଜଗନ୍ନାଥ ମନ୍ଦିର ପକ୍ଷରୁ ଚିଠି ମାଧ୍ୟମରେ ଅବଗତ କରାଯାଇଥିଲା ଯେ ଡିସେମ୍ବର ମାସ ଦ୍ୱିତୀୟାର୍ଦ୍ଧରେ ପ୍ରସ୍ତାବିତ ମରାମତି ପାଇଁ ନିରୂପଣ କରାଯାଇଥିବା ସ୍ଥାନ ଏଏସ୍‌ଆଇକୁ ପ୍ରଦାନ କରିବା ସମ୍ଭବ ନୁହେଁ। ଯାତ୍ରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏପରି ପ୍ରସ୍ତାବ ଦିଆଯାଇଥିବା ବେଳେ ୨୦୧୮, ଜାନୁଆରି ପ୍ରଥମ ସପ୍ତାହରେ ମରାମତି ପାଇଁ ସ୍ଥାନ ପ୍ରଦାନ କରାଯାଇ ପାରିବ ବୋଲି କୁହାଯାଇଥିଲା। ଅନ୍ୟପକ୍ଷରେ ଜାନୁଆରି ୩ ତାରିଖରୁ ମରାମତି ପାଇଁ ନିରୂପଣ କରାଯାଇଥିବା ସ୍ଥାନ ପ୍ରଦାନ ପାଇଁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଡିସେମ୍ବର ୧୮ରେ ଚିଠି ଲେଖାଯାଇଛି ବୋଲି ଏଏସ୍‌ଆଇ ପକ୍ଷରୁ ଦାଖଲ ସତ୍ୟପାଠରେ ଉଲ୍ଳେଖ କରାଯାଇଛି। ଏଥି ସହିତ ବେହେରଣ ଦ୍ୱାର ନିକଟରେ ମରାମତି କାର୍ଯ୍ୟ ଚାଲିଛି। ଏହି ମରାମତି କାର୍ଯ୍ୟ ୨୦୧୮, ଫେବ୍ରୁଆରି ୨୮ସୁଦ୍ଧା ଶେଷ କରାଯିବା ପାଇଁ ଯୋଜନା ରହିଛି। ମରାମତି କାର୍ଯ୍ୟର ଅଗ୍ରଗତି ସଂପର୍କରେ ଡିସେମ୍ବର ୧୫ରେ କୋର୍‌ କମିଟି ସଦସ୍ୟ ଅନୁଧ୍ୟାନ କରିଛନ୍ତି ବୋଲି ଏଏସ୍‌ଆଇ ପକ୍ଷରୁ ଦର୍ଶାଯାଇଛି। ଅନ୍ୟପକ୍ଷରେ ଇଂଜିନିୟର ଏନ.କେ.ମହାନ୍ତି କମିସନ୍‌ ମଧ୍ୟ ଗରୁଡସ୍ତମ୍ଭ ନିକଟ ପ୍ରସ୍ତାବିତ ମରାମତି କାର୍ଯ୍ୟର ସ୍ଥାନ ଡିସେମ୍ବର ୧୮ରେ ଅନୁଧ୍ୟାନ କରିଛନ୍ତି। ଆଜି ଏନ୍‌.କେ.ମହାନ୍ତିଙ୍କ ପକ୍ଷରୁ ଦାଖଲ ରିପୋର୍ଟରେ ଉଲ୍ଲେଖ କରାଯାଇଛି ନାଟମଣ୍ଡପର ବିମ୍‌ରେ ଦେଖା ଦେଇଥିବା ଫାଟ ସଂପର୍କରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ମରାମତି ପାଇଁ ଯୋଜନା ପ୍ରସ୍ତୁତ ପାଇଁ ଏଏସ୍‌ଆଇକୁ ପରାମର୍ଶ ପ୍ରଦାନ କରାଯାଇଛି।

୨୦୧୮, ଜାନୁଆରି ୧୭ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ଏଏସ୍‌ଆଇ ମରାମତି କାର୍ଯ୍ୟର ଅଗ୍ରଗତି ଓ ଯୋଜନା ସଂପର୍କରେ ସାନି ସତ୍ୟପାଠ ଦାଖଲ କରିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଜଗମୋହନ ମରାମତି କାର୍ଯ୍ୟ ସଂପାଦନ ସଂପର୍କରେ ମଧ୍ୟ ଏଏସଆଇ ସତ୍ୟପାଠରେ ଉଲ୍ଲେଖ କରିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଆବେଦନକାରୀ ଅଭିଷେକ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଡକ୍ଟର ଅଶୋକ କୁମାର ମହାପାତ୍ର, ସୂର୍ଯ୍ୟପ୍ରକାଶ ଆର୍ତ୍ତ ବିଦ୍ୟାଧର ମଙ୍ଗରାଜ, ଚିତ୍ରସେନ ପରିଡା, ତ୍ରିଲୋଚନ ଦାଶ, ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାପାତ୍ର, ଏଏସ୍‌ଆଇ ପକ୍ଷରୁ ସିଜିସି ଚନ୍ଦ୍ରକାନ୍ତ ପ୍ରଧାନ ଓ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଆଇନଜୀବୀ ସୁବ୍ରତ ଶତପଥୀ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର