କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ସୁଯୋଗ ରହିଛି: ଧର୍ମେନ୍ଦ୍ର

କଟକରେ ଜାତୀୟସ୍ତରୀୟ ବାଣିଜ୍ୟ ବିକାଶ କାର୍ଯ୍ୟକ୍ରମ ଉଦ୍‌ଘାଟିତ

କଟକ :ରାଜ୍ୟରେ ସାଢେ ଚାରିକୋଟି ଗ୍ରାହକ ଅଛନ୍ତି। ଓଡିଶାରେ ପ୍ରାକୃତିକ ସାମଗ୍ରୀ ପ୍ରଚୁର ପରିମାଣରେ ମିଳୁଥିବା ବେଳେ ଏଠାରେ ପର୍ଯ୍ୟଟନ, ହସ୍ତଶିଳ୍ପ, ତାରକସି ତଥା ଅନ୍ୟାନ୍ୟ କ୍ଷୁଦ୍ର ଶିଳ୍ପ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ହେଲେ ଇଚ୍ଛାଶକ୍ତି ଅଭାବରୁ ଏହା ସାକାର ହୋଇପାରୁନାହିଁ। ଏ ନେଇ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ହେବ। ରାଜ୍ୟରେ ଅଣୁ, କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ବିକାଶ ସଂସ୍ଥାନ (ଏମଏସଏମଇ)ର ଅଧୋଗତି ନେଇ ଏପରି କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରାଲିୟମ ଏବଂ ଦକ୍ଷତା ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କଟକର ଚାଉଳିଆଗଞ୍ଜଠାରେ ଆଜି ଜାତୀୟସ୍ତରୀୟ ବାଣିଜ୍ୟ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆସନ୍ତା ଏପ୍ରିଲ ସୁଦ୍ଧା ଓଡିଶାର ୪୦ ଲକ୍ଷ ଲୋକଙ୍କ ଘରେ ମାଗଣାରେ ବିଦ୍ୟୁତ ସଂଯୋଗ ହେବ। ସାରାଦେଶରେ ଏଥିପାଇଁ ୧୬ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ଓଡିଶା ପାଇଁ ଏହାର ଭାଗ ସର୍ବାଧିକ। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳୁଥିବା ଘର ଏବେ ୭୦ ହଜାରରୁ ବୃଦ୍ଧି ପାଇ ଦେଢଲକ୍ଷ ଟଙ୍କାରେ ପହଞ୍ଚିଛି। ଓଡିଶାରେ ନାଲ୍‌କୋ, ଏମ୍‌ସିଏଲ, ହାଲ, ରେଳବାଇ, ଏନ୍‌ଏଚ୍‌ଏଆଇ ଏନ୍‌ଟିପିସି ପରି କେନ୍ଦ୍ରୀୟସଂସ୍ଥା ବର୍ଷକୁ ୫୦ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। ତେଣୁ ଏହିସବୁ ଯୋଜନାରୁ ଫାଇଦା ହାସଲ ପାଇଁ ଅଣୁ, କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ଉଦ୍ୟୋଗପତିମାନେ ଆଗେଇ ଆସିବା ଉଚିତ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ଉତ୍କଳ ଗୌରବ ମଧୁସୂଦନ ଦାସ ପ୍ରଥମ ଓଡିଆ ଶିଳ୍ପଦ୍ୟୋଗୀ ଥିଲେ। ତାଙ୍କ ପ୍ରଚେଷ୍ଟାରେ କଟକର ତାରକସୀ କାମ ଏବଂ ଚମଡା ଶିଳ୍ପର ପ୍ରସାର ଘଟିଥିଲା। କିନ୍ତୁ ତାରକସି କାମ ଆଜି ତା’ର ଗାରିମା ହରାଇଛି। ଏହାର ପ୍ରସାର ପାଇଁ ଏବେ ସ୍ୱତନ୍ତ୍ର ଯୋଜନା ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ପୂର୍ବରୁ ରାଜ୍ୟରେ ୨୧ ଲକ୍ଷ ଗ୍ୟାସ ସଂଯୋଗ ଥିବାବେଳେ ଏବେ ତାହା ୫୩ ଲକ୍ଷରେ ପହଞ୍ଚିଛି। ରାଜ୍ୟରେ ଏବେ ଗ୍ୟାସ ପାଇପ୍‌ଲାଇନ ସଂଯୋଗ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଖୁବଶୀଘ୍ର ଏହି କାମ କଟକ ଏବଂ ଜଗତପୁରରେ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏମ୍‌ଏସ୍‌ଏମ୍‌ଇର ଅତିରିକ୍ତ ସଚିବ (କେନ୍ଦ୍ର) ରାମମୋହନ ମିଶ୍ର କହିଲେ ଯେ ଉଦ୍ୟୋଗ ବିକାଶରେ ମନୋବଳ ଦୃଢ ଆବଶ୍ୟକ। ମନୋବଳ, ଜ୍ଞାନ, ମାର୍କେଟିଙ୍ଗ, ଡିଜାଇନ, କ୍ରେଡିଟ ବ୍ୟବସ୍ଥା ସଠିକ ରହିଲେ ଉଦ୍ୟୋଗୀ ସଫଳ ହୋଇପାରିବେ ବୋଲି ଶ୍ରୀ ମିଶ୍ର କହିଥିଲେ। ଏମ୍‌ଏସ୍‌ଏମ୍‌ଇର ନିର୍ଦ୍ଦେଶକ (ନୂଆଦିଲ୍ଲୀ) ରବୀନ୍ଦ୍ର ନାଥ ଅତିଥି ଭାବେ ଯୋଗ ଦେଇ ରାଜ୍ୟରେ କ୍ଷୁଦ୍ର, ମଧ୍ୟମ ଶିଳ୍ପର ବିକାଶ ପାଇଁ ଓଡିଶା ସରକାରଙ୍କ ସହଯୋଗ କାମନା କରିଥିଲେ। ଏହି ଅସବରରେ ସେ ମୋଦି ସରକାରଙ୍କ ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ କାର୍ଯ୍ୟକ୍ରମ ପାଇଁ ସମସ୍ତଙ୍କର ସହଯୋଗ ଲୋଡିଥିଲେ। ରାଜ୍ୟ ଶିଳ୍ପ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ଅତିଥିଭାବେ ଯୋଗ ଦେଇ କ୍ଷୁଦ୍ର, ମଧ୍ୟମ ଶିଳ୍ପର ବିକାଶ ପାଇଁ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଏମ୍‌ଏସ୍‌ଏମ୍‌ଇ ଡିଆଇର ହିନ୍ଦୀ ଅଫିସର ଦୀନବନ୍ଧୁ ସିଂ ସ୍ୱାଗତ ଭାଷଣ ଦେଇଥିବା ବେଳେ ଓଡିଶା ଶିଳ୍ପ ସଂଘ ସଭାପତି ଅବନୀ କାନୁନଗୋ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସଂସ୍ଥାନର ଭାରପ୍ରାପ୍ତ ଉପନିର୍ଦ୍ଦେଶକ ଡକ୍ଟର ସୁକାନ୍ତ କୁମାର ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସେଣ୍ଟ୍ରାଲ ଟୁଲ୍‌ ରୁମ୍‌ ଆଣ୍ଡ୍‌ ଟ୍ରେନିଂ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ ଶିବାଶିଷ ମାଇତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜାତୀୟସ୍ତରୀୟ ବାଣିଜ୍ୟ ବିକାଶ କାର୍ଯ୍ୟକ୍ରମ ଆସନ୍ତା ତିନିଧରି ଚାଲିବ। ଏଥିରେ ନାଲ୍‌କୋ, ଏମସିଏଲ, ହାଲ, ପାରାଦୀପ ଫସ୍‌ଫେଟ, ଏନ୍‌ଏଚ୍‌ଏଆଇ ଏନ୍‌ଟିପିସି, ଗେଲ, ଇଫ୍‌କୋ, ଟାଟାଷ୍ଟିଲ, ପୂର୍ବତଟ ରେଳବାଇ ପରି ବୃହତ ଉଦ୍ୟୋଗ ଏବଂ ୧୨୦ରୁ ଅଧିକ କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପର ଷ୍ଟଲ୍‌ ପ୍ରଦର୍ଶିତ ହୋଇଛି।

ସମ୍ବନ୍ଧିତ ଖବର