କଟକରେ ପ୍ରତିଷ୍ଠା ହେବ ଜାତୀୟ କମ୍ପାନି ଲ’ ଟ୍ରିବୁନାଲ: ଜଷ୍ଟିସ ମୁଖୋପାଧ୍ୟାୟ

0

କଟକ : ଲୟର୍ସ ଏକାଡେମି ଓ ନୂଆ ଦିଲ୍ଲୀସ୍ଥିତ ‘ଡାଏଲଗ ଫୋରମ’ର ମିଳିତ ଉଦ୍ୟମରେ ‘ଋଣ ପରିଶୋଧରେ ଅସାମର୍ଥ୍ୟ ଓ ଦେବାଳିଆ ଆଇନ, ୨୦୧୬ ଏବଂ ଆଇନଜୀବୀଙ୍କ ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି। ଓଡ଼ିଶା ଜୁଡିସିଆଲ ଏକାଡେମିଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ କମ୍ପାନି ଲ’ ଅପିଲେଟ ଟ୍ରିବୁନାଲର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ସୁଧାଂଶୁଜ୍ୟୋତି ମୁଖୋପାଧ୍ୟାୟ ଯୋଗ ଦେଇ କଟକରେ ଜାତୀୟ କମ୍ପାନି ଲ’ ଟ୍ରିବୁନାଲ ପ୍ରତିଷ୍ଠା କରାଯିବ ବୋଲି କହିଛନ୍ତି। ଆସନ୍ତା ୨୨ ତାରିଖରେ ଏହି ଟ୍ରିବୁନାଲ କାର୍ଯ୍ୟ ଆରମ୍ଭ କରିବ ଓ ଆଇନଜୀବୀ ତଥା ମହକିଲଙ୍କୁ ଆଉ କୋଲକାତା ଯିବାକୁ ପଡିବ ନାହିଁ ବୋଲି ସେ କହିଛନ୍ତି। ତ୍ରୁଟିଯୁକ୍ତ ବା ମନ୍ଦ ଋଣ ଯୋଗୁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ଋଣ ପରି‌ଶୋଧରେ ଅସାମର୍ଥ୍ୟ ଓ ଦେବାଳିଆ ଆଇନର ଆବଶ୍ୟକତା ସଂପର୍କରେ ସେ ଆଲୋକପାତ କରିଥିଲେ। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍.ଜାଭେରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଲୟର୍ସ ଏକାଡେମିର ପରିଚାଳନା ଟ୍ରଷ୍ଟି ବିଶ୍ବମୋହନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର କର ସ୍ବାଗତ ଭାଷଣ ଓ କାର୍ଯ୍ୟକାରୀ ଟ୍ରଷ୍ଟି ନିବେଦିତା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକାରୀ ନିର୍ଦ୍ଦେଶକ ଜଗବନ୍ଧୁ ସାହୁ ଲୟର୍ସ ଏକାଡେମିର ଆଭିମୁଖ୍ୟ ଉପରେ ଆ‌େଲାକପାତ କରିଥିଲେ। ‘ଡାଏଲଗ ଫୋରମ’ର ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ଆଇନଜୀବୀ ସୁବାସ ଚନ୍ଦ୍ର ଦାସ ଅନୁଷ୍ଠାନ ସଂପର୍କରେ ସୂଚନା ପ୍ରଦାନ କରିବା ସହିତ ଆଲୋଚନାଚକ୍ରର ବିଷୟବସ୍ତୁର ମୂଳ ପ୍ରସଂଗ ସମ୍ବନ୍ଧରେ ଆଲୋଚନା କରିଥିଲେ। ସଭା ପ୍ରାରମ୍ଭରେ ଉଦଘୋଷିକା ମିତାଲି ଜେଷ୍ଟି ଅତିଥିଙ୍କ୍ୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ। ଶେଷରେ ଏକାଡେମିର ପରିଚାଳନା ଟ୍ରଷ୍ଟି ଶୁଭବିକାଶ ପଣ୍ଡା ଧନ୍ୟବାଦ ଦେଇଥିଲେ। ଗୌରାଙ୍ଗ ଚରଣ ମହାପାତ୍ର, ପ୍ରଦୀପ୍ତ କିଶୋର ନନ୍ଦ, ରବୀନ୍ଦ୍ର ସାହୁ, ଗୋକୁଳାନନ୍ଦ ପଟ୍ଟନାୟକ, ଗୁରୁଦତ୍ତ କର, ଅସିତ କୁମାର ଜେନା, ଦୀପ୍ତିରେଖା ନନ୍ଦ, କହ୍ନେୟାଲାଲ୍ ଶର୍ମା, ତାରାନନ୍ଦ ପଟ୍ଟନାୟକ, କାହ୍ନୁଚରଣ ନାୟକ, ବିଭୂଦତ୍ତ ବାରିକ, ସୁଚିସ୍ମିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.