ହସଖୁସିର ବାତାବରଣରେ କାର୍ଯ୍ୟ କଲେ ମନୁଷ୍ୟ ସୁସ୍ଥ ରହିିପାରିବ: ରବିଶଙ୍କର

‘କର୍ମକ୍ଷେତ୍ରରେ ଆନନ୍ଦ’ କର୍ମଶାଳା

0

କଟକ : କଟକ ନରାଜ ନିକଟସ୍ଥ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘କର୍ମକ୍ଷେତ୍ରରେ ଆନନ୍ଦ‘ ଶୀର୍ଷକ ଜାତୀୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ଓ ଜାତୀୟ ମାନବ ସଂବଳ ସଂସ୍ଥା, ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟର ଶ୍ରୁତି କ୍ୟାମ୍ପସ୍‌ରେ ଆୟୋଜିତ ଏହି କର୍ମଶାଳାରେ ବିଶ୍ୱ ପ୍ରସିଦ୍ଧ ମାନବବାଦୀ ଆଧ୍ୟାତ୍ମିକ ଗୁରୁ ତଥା ପରମପୂଜ୍ୟ ଶ୍ରୀ ଶ୍ରୀ ରବିଶଙ୍କର ମୁଖ୍ୟବକ୍ତା ଭାବେ ଯୋଗଦାନ କରି ଘରେ ନିଜେ ହସ ଖୁସିରେ ରହିବା, ଅନ୍ୟକୁ ଖୁସିରେ ରହିବାକୁ ଦେବା, ଘରୁ ବାହାରିବା ଠାରୁ କର୍ମକ୍ଷେତ୍ରକୁ ଯିବା ଓ ସେଠାରେ ଆନନ୍ଦର ବାତାବରଣ ସହ କାର୍ଯ୍ୟକରି ମନୁଷ୍ୟ ସୁସ୍ଥ ଜୀବନଯାପନ କରିପାରିବ ବୋଲି ଉଦ୍‌ବୋଧନ ଦେଇଥିଲେ। ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ସାରା ବିଶ୍ୱକୁ ଶାନ୍ତି ଓ ଆନନ୍ଦର ବାର୍ତ୍ତା ଦେଇ ଆସୁଥିବା ବିଶ୍ୱପ୍ରସିଦ୍ଧ ମାନବବାଦୀ ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କ ଦ୍ୱାରା ପ୍ରତିଷ୍ଠିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ପରିବେଶ, ପାଠ୍ୟ ଖସଡା ସାଂସ୍କୃତିକ ଓ ମୂଲ୍ୟବୋଧଭିତ୍ତିକ ବୋଲି ପ୍ରକାଶ କରିବା ସହିତ ଏହି ବିଶ୍ୱବିଦ୍ୟାଳୟ ଏକ ବିଶ୍ୱସ୍ତରୀୟ ବିଦ୍ୟାଳୟ ହେବା ପାଇଁ ଅଗ୍ରଗତି କରୁଛି ବୋଲି ପ୍ରକାଶ କରିଥିଲେ ।

ମହିଳା, ଶିଶୁ ବିକାଶ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଅତିଥି ଭାବେ ଯୋଗଦେଇ ମାଦକ ଦ୍ରବ୍ୟ ସେବନ ରହିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ଏହି ବିଶ୍ୱବିଦ୍ୟାଳୟର ପରିବେଶକୁ ଶାନ୍ତି , ଆନନ୍ଦ ଓ ଆଧ୍ୟାତ୍ମିକ ପରିବେଶରେ ରଖିପାରିଛନ୍ତି ବୋଲି ପ୍ରକାଶ କରିବା ସହିତ ଏହା ଅନ୍ୟ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ପ୍ରକାଶ କରିଥିଲେ । ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀ ନାରାୟଣ ଗୁପ୍ତା, ଜାତୀୟ ମାନବ ସମ୍ବଳ ସଂସ୍ଥାର ମୁଖ୍ୟ ପାର୍ଥ ସାରଥୀ ମିଶ୍ର, ଅଦାନୀ ଧାମରା ବନ୍ଦରର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁବ୍ରତ ତ୍ରିପାଠୀ, ଦୋହା ବ୍ୟାଙ୍କର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡ. ଆର୍‌. ସୀତାରମଣ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସୁଖକର ପରିବେଶରେ ଅଧ୍ୟୟନ କରୁଥିବା ଏହି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀମାନେ ଯେଉଁ ସଂସ୍ଥା ବା ଅନୁଷ୍ଠାନରେ କାର୍ଯ୍ୟ କରିବେ, ସେମାନେ ଆନନ୍ଦର ସହ ଗୁଣାତ୍ମକ ସେବା ଯୋଗାଇ ଦେବା ସହ ସଂସ୍ଥାର ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇ ପାରିବେ ବୋଲି ପ୍ରକାଶ କରିଥିଲେ । ଏହି ଜାତୀୟ ସ୍ତରୀୟ କର୍ମଶାଳାର ଆବାହକ ତଥା ବିଶ୍ୱବିଦ୍ୟାଳୟର କମର୍ସ ଏବଂ ମ୍ୟାନେଜ୍‌ମେଣ୍ଟ ବିଭାଗ ତଥା ଷ୍ଟୁଡେଣ୍ଟସ୍‌ ୱେଲ୍‌ଫେୟାର ଡିନ୍‌ ଡ. ପି. ଶ୍ରୀନିବାସ ସୁବାରାଓ ପ୍ରାରମ୍ଭିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଶ୍ୱବିଦ୍ୟାଳୟର ସଭାପତି ରଜିତା କୁଲକର୍ଣ୍ଣି ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର କୁଳପତି ଡ. ନନ୍ଦଲାଲଙ୍କ ସମେତ ଦେଶ ବିଦେଶରୁ ବହୁ କର୍ପୋରେଟ୍‌ ସଂସ୍ଥାର ସାଧନ କର୍ମୀ ଯୋଗଦେଇଥିଲେ ।

ଅପରାହ୍ନରେ ଏସସିବି ମେଡିକାଲ ପଡିଆରେ ଆୟୋଜିତ ଏ ସଂପର୍କିତ କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ରବିଶଙ୍କର ଉଦବୋଧନ ଦେଇ ଡାକ୍ତରମାନେ ମାନସିକ ଭାବେ ଚିନ୍ତାମୁକ୍ତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରମାନେ ପ୍ରଥମେ ଯୋଗ ପ୍ରାଣାୟମ କରି ନିଜେ ଶାରୀରିକ ଭାବେ ସୁସ୍ଥ ରହିଲେ ରୋଗୀଙ୍କ ସେବା ଠିକରେ କରିପାରିବେ ବୋଲି ଶ୍ରୀଶ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଏସ୍‌ସିବି ମେଡିକାଲ କଲେଜର ଡିନ୍‌ ତଥା ପ୍ରିନ୍ସିପାଲ ଡାକ୍ତର ସିଦ୍ଧାର୍ଥ ଦାସ, ଅଧୀକ୍ଷକ ଡାକ୍ତର ଶ୍ୟାମା କାନୁନଗୋ, ଆରଡିଏ ସଭାପତି ଡାକ୍ତର ଜ୍ୟୋର୍ତିମୟ ନାୟକ, ଆରଡିଏର ସାଧାରଣ ସଂପାଦକ ଡାକ୍ତର ନଗେନ୍ଦ୍ର କୁମାର ରାଜାସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.