ସେପ୍ଟେମ୍ବର ୨୬ରେ ଜାତୀୟ କୃମି ନାଶକ ଦିବସ : କୋଟିଏରୁ ଅଧିକ ଖାଇବେ କୃମି ନାଶକ ଔଷଧ

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୨୬ତାରିଖରେ ପାଳନ ହେବାକୁ ଥିବା ଜାତୀୟ କୃମି ନାଶକ ଦିବସରେ ରାଜ୍ୟର ୧କୋଟି ୪୨ଲକ୍ଷ ୩୩ହଜାର ୨୭୩ଜଣ ପିଲାଙ୍କୁ କୃମି ନାଶକ ଔଷଧ ଖାଇବାକୁ ଦିଆଯିବ।  ରାଜ୍ୟରେ ଜାତୀୟ କୃମି ନାଶକ ଦିବସ ପାଇଁ ଅନୁଷ୍ଠିତ ରାଜ୍ୟ ସମନ୍ଵୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୧ବର୍ଷରୁ ୧୯ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଏହି ଔଷଧ ଦିଆଯିବ। ଶିଶୁଙ୍କ ଉତ୍ତମ ସ୍ୱାସ୍ଥ୍ୟ, ପୁଷ୍ଟି ସାଧନ, ଶିକ୍ଷାପ୍ରତି ଆଗ୍ରହ ଓ ସୁସ୍ଥ ଜୀବନଯାପନ ପାଇଁ ଏହା ଜରୁରୀ। ଏଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଦୁର୍ଗ ତଥା ଅପହଞ୍ଚ ଅଞ୍ଚଳମାନଙ୍କରେ ଏହି ଔଷଧ ବଣ୍ଟନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି।

ସ୍ୱାସ୍ଥ୍ୟ ସଚିବ ଡା. ପ୍ରମୋଦ କୁମାର ମେହେର୍ଦାଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୨୭ଟି ଜିଲ୍ଲାର ଶିଶୁଙ୍କୁ ଏଥିରେ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ର, ସରକାରୀ ଓ ଘରୋଇ ସ୍କୁଲ ସମେତ ଡିପ୍ଲୋମା ଓ ଧନ୍ଦାମୂଳକ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ଏହି ଔଷଧ ଦିଆଯିବ। ତେବେ ସେହିଦିନ ରାଜ୍ୟର ସମସ୍ତ ଜିଲ୍ଲାର ୯ମାସରୁ ୫ବର୍ଷ ବୟସର ୪୩ଲକ୍ଷ ୬୨ହଜାର ୯୫୩ଜଣ ଶିଶୁଙ୍କୁ ଭିଟାମିନ୍‌ ଏ’ ଖାଇବାକୁ ଦିଆଯିବ। ଏହି କାର୍ଯ୍ୟକ୍ରମ ପାଇଁ ଏଏନ୍‌ଏମ୍‌, ଅଙ୍ଗନବାଡ଼ି ଓ ଆଶା କର୍ମୀ, ନୋଡାଲ ଶିକ୍ଷକ ଓ ପଦାଧିକାରୀଙ୍କୁ ତାଲିମ ପ୍ରଦାନ କରାଯିବ। କାର୍ଯ୍ୟକ୍ରମର ସଫଳତା ପାଇଁ ଲୋକମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରକାଶ ଯେ, ଚଳିତବର୍ଷ ଏପ୍ରିଲ ମାସରେ କୃମି ନାଶକ ଯୋଜନାରେ ୯୪ଲକ୍ଷ ୧ହଜାର ୪୦୮ ଜଣ ପିଲା ଏହି ଔଷଧ ଖାଇଥିଲେ। ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୯୨.୫ ପ୍ରତିଶତ। ଏହି ସମୟରେ ରାଜ୍ୟର ୨୪ଟି ଜିଲ୍ଲା ମଧ୍ୟରୁ ମାଲକାନଗିରିରେ ସର୍ବାଧିକ ୯୬.୯୮ ପ୍ରତିଶତ ଓ ପୁରୀ ଜିଲ୍ଲାରେ ସର୍ବନିମ୍ନ ୮୩.୫ ପ୍ରତିଶତ ପିଲା ଏହି ଔଷଧ ଖାଇଥିଲେ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦେଶିକା ଅର୍ଚନା ପଟ୍ଟନାୟକ, ସମ୍ମନ୍ଵିତ ଶିଶୁ ବିକାଶ ଯୋଜନା ଓ ସମାଜ କଲ୍ୟାଣ ନିର୍ଦେଶକ ଡା. ପ୍ରଶାନ୍ତ କୁମାର ରେଡ୍ଡୀ, ଡିଏମ୍‌ଇଟି ଡା. ସୋନାମାଲି ବାଗ୍‌, ପରିବାର କଲ୍ୟାଣ ନିର୍ଦେଶକ ଡା. ଲିଙ୍ଗରାଜ ମିଶ୍ରଙ୍କ ସମେତ ବିଦ୍ୟାଳୟ ଓ ଗଣଶିକ୍ଷା, ଓପେପା, ମହିଳା ଓ ଶିଶୁ ବିକାଶ ବିଭାଗ ଓ ୟୁନିସେଫର ପଦାଧିକାରୀ ଏଥିରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର