ସେଣ୍ଟର୍‌ ଫର ପଲିସି, ଗଭର୍ଣ୍ଣାନସ୍‌ ଆଣ୍ଡ ଆଡ୍‌ଭୋକେସି ପକ୍ଷରୁ ଜାତୀୟ ଶିକ୍ଷା ଦିବସ : ପ୍ରାଥମିକ ଶିକ୍ଷାକୁ ପ୍ରାଧାନ୍ୟ ଦିଅ

ଭୁବନେଶ୍ବର : ରାଜ୍ୟର ବିକାଶ ପାଇଁ ବିଦ୍ୟାଳୟସ୍ତରର ଶିକ୍ଷାକୁ ଗୁରୁତ୍ବ ଦେବାକୁ ହେବ। ଭିତ୍ତିଭୂମିଠାରୁ ଆରମ୍ଭ କରି ଗୁଣାତ୍ମକ ଶିକ୍ଷା ଉପରେ ପ୍ରାଧାନ୍ୟ ଦିଆଯିବା ଦରକାର। ଆଜି ସେଣ୍ଟର୍‌ ଫର ପଲିସି, ଗଭର୍ଣ୍ଣାନସ୍‌ ଆଣ୍ଡ ଆଡ୍‌ଭୋକେସି(ସିପିଜିଏ) ପକ୍ଷରୁ ଜାତୀୟ ଶିକ୍ଷା ଦିବସ ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ର ‘ବିଦ୍ୟାଳୟସ୍ତରରେ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା’ ରେ ଅତିଥିମାନେ ଏଭଳି ମତ ରଖିଥିଲେ।

ଆଗାମୀ ଦିନରେ ଜାତୀୟ ଶିକ୍ଷା ନୀତି-୨୦୧୯ ଆସିବାକୁ ଥିବା ବେଳେ ଭାରତ ସରକାରଙ୍କ ନିତି ଆୟୋଗ ଦ୍ବାରା ପ୍ରସ୍ତୁତ କରାଯାଇଥିବା ବିଦ୍ୟାଳୟସ୍ତରର ଗୁଣାତ୍ମକ ଶିକ୍ଷା ରୢାଙ୍କିଙ୍ଗ୍‌ ପ୍ରକାଶ ପାଇଛି। ଯେଉଁଥିରେ ୨୦୧୫-୧୬ ଶିକ୍ଷା ବର୍ଷରେ ଦେଶର ୨୦ଟି ବୃହତ୍‌ ରାଜ୍ୟ ମଧ୍ୟରେ ଓଡ଼ିଶା ୧୩ ନମ୍ବର ସ୍ଥାନରେ ରହିଛି। ୨୦୧୬-୧୭ ଶିକ୍ଷା ବର୍ଷରେ ଏହା ୭ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି। କିନ୍ତୁ ଶିକ୍ଷା କ୍ଷେତ୍ରରେ ଓଡ଼ିଶାକୁ ପ୍ରଥମ ୩ଟି ସ୍ଥାନରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏଥିପାଇଁ ଆମକୁ ପ୍ରଥମେ ଗୁଣାତ୍ମକ ଶିକ୍ଷାର ସମୀକ୍ଷା କରିବାକୁ ପଡ଼ିବ। ଆମର ପ୍ରାଥମିକ ଶିକ୍ଷାର କେଉଁଠି କେଉଁଠି ସମସ୍ୟା ରହିଛି, ଶିକ୍ଷା କ୍ଷେତ୍ରରେ ଥିବା ତ୍ରୁଟିକୁ ଚିହ୍ନଟ କରି ସୁଧାର ଆଣିବା ସହ ଦୁର୍ବଳ ଥିବା ଦିଗ ଉପରେ ପ୍ରାଧାନ୍ୟ ଦେବାକୁ ପଡ଼ିବ। ବିଶେଷକରି ପାଠ୍ୟ ଖସଡ଼ା, ପରୀକ୍ଷା ବ୍ୟବସ୍ଥା, ବୈଷୟିକ ଶିକ୍ଷା, ଶିକ୍ଷକଙ୍କୁ ତାଲିମ, ବିଦ୍ୟାଳୟ ପରିଚାଳନା ବ୍ୟବସ୍ଥା, ଶିକ୍ଷକଙ୍କ ଆବଶ୍ୟକତା, ନିଯୁକ୍ତି ପ୍ରକ୍ରିୟା‌ ଆଦି କିଭଳି ହେବା ଦରକାର, କେଉଁଠି ପରିବର୍ତ୍ତନର ଆବଶ୍ୟକତା ରହିଛି, ସେ ଉପରେ ଆଲୋଚନା କରାଯାଇଥିଲା। ସେହିପରି ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଶିକ୍ଷା ମଧ୍ୟରେ ଥିବା ପାର୍ଥକ୍ୟ, ଭିନ୍ନକ୍ଷମ ପିଲାଙ୍କୁ ଶିକ୍ଷା, ଆଞ୍ଚଳିକ ଭାଷାକୁ ମଧ୍ୟ ସମାନ ଭାବେ ଗୁରୁତ୍ବ ଦିଆଯିବା ଦରକାର ବୋଲି ଅତିଥିମାନେ ମତ ପୋଷଣ କରିଥିଲେ।

ସିପିଜିଏର ଅଧ୍ୟକ୍ଷ ତେଜେଶ୍ବର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆଞ୍ଚଳିକ ଶିକ୍ଷା ସଂସ୍ଥାନଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ପ୍ରଫେସର୍‌ ୟୁଏନ୍‌ ଦାସ, ଗୌରାଙ୍ଗ ଚରଣ ନନ୍ଦ, ପ୍ରକାଶ ଚନ୍ଦ୍ର ଅଗ୍ରୱାଲ, ପ୍ରୀତୀଶ ଆଚାର୍ଯ୍ୟ, ପ୍ରହଲ୍ଲାଦ କୁମାର ସିହ୍ନା ଓ ଶ୍ରବଣ ବାଗ୍‌ ପ୍ରମୁଖ ଯୋଗଦେଇ ଏପରି ମତ ରଖିଥିଲେ। ଆଲୋଚନାଚକ୍ରରେ ବହୁ ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର