ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ଙ୍କ ଆଦେଶ : ୧ରୁ ୨୧ ଜିଲ୍ଲାର ୫୦୦ ମଦ ଦୋକାନ ବନ୍ଦ ହେବ!

ଗଞ୍ଜାମର ୨୪ଟି ମହୁଲି ମଦ ଦୋକାନ ଠପ୍‌

ଭୁବନେଶ୍ୱର : ବିନା ପରିବେଶ ମଞ୍ଜୁରି ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ କନ୍‌ସେଣ୍ଟ ଟୁ ଅପରେଟ୍‌ ଅନୁମତିପତ୍ର ନ ଥାଇ ଚାଲିଥିବା ଗଞ୍ଜାମ ଜିଲ୍ଲାର ମହୁଲି ମଦ ତିଆରି ୟୁନିଟ୍‌/ଦୋକାନ(ଆଉଟ୍‌-ଷ୍ଟିଲ୍‌)ଗୁଡ଼ିକୁ ବନ୍ଦ କରିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌, କଲ୍‌କତାର ପୂର୍ବାଞ୍ଚଳ ଖଣ୍ଡପୀଠ। ତଦନୁଯାୟୀ ଗଞ୍ଜାମ ଜିଲ୍ଲାରେ ଥିବା ମୋଟ ୭୪ଟି ମହୁଲି ମଦ ୟୁନିଟ୍‌ରୁ ୨୪ଟିକୁ ବନ୍ଦ କରିବାକୁ ଚୂଡ଼ାନ୍ତ ପଦକ୍ଷେପ ନେଇ ସାରିଛି ଜିଲ୍ଲା ପ୍ରଶାସନ। କେବଳ ଗଞ୍ଜାମ ଜିଲ୍ଲା ନୁହେଁ, ସାରା ରାଜ୍ୟର ୨୧ଟି ଜିଲ୍ଲାରେ ରହିଥିବା ମହୁଲି ମଦ ତିଆରି ୟୁନିଟ୍‌/ଦୋକାନଗୁଡ଼ିକୁ ମଧ୍ୟ ବନ୍ଦ କରିବାକୁ ଅବକାରୀ ବିଭାଗ ବିଜ୍ଞପ୍ତି ଜାରି କରିଛି। ଆସନ୍ତା ୩୧ ତାରିଖ ସୁଦ୍ଧା ପରିବେଶ ମଞ୍ଜୁରି ଓ କନ୍‌ସେଣ୍ଟ ଟୁ ଅପରେଟ୍‌ ନ ଆଣିଲେ, ଅଗଷ୍ଟ ୧ ତାରିଖରୁ ସେଗୁଡ଼ିକ ବନ୍ଦ କରାଯିବ।

ଅବକାରୀ ବିଭାଗ ପକ୍ଷରୁ ୨୧ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏଭଳି ନିର୍ଦେଶନାମା ଦିଆଯାଇଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ ପକ୍ଷରୁ କେବଳ ପରିବେଶ ଆଇନ ଉଲ୍ଲଂଘନକାରୀ ଗଞ୍ଜାମ ଜିଲ୍ଲାର ମହୁଲି ମଦ ସଂସ୍ଥାଗୁଡ଼ିକୁ ବନ୍ଦ କରିବାକୁ ଆଦେଶ ଦିଆଯାଇଛି। ଜିଲ୍ଲାର ମୋଟ ୭୪ଟି ମହୁଲି ମଦ ତିଆରି ସଂସ୍ଥା ମଧ୍ୟରୁ ୫୧ଟି ପରିବେଶ ମଞ୍ଜୁରି(ଇସି) ସହିତ କନ୍‌ସେଣ୍ଟ ଟୁ ଅପରେଟ୍‌ ଆଣିସାରିଛନ୍ତି। ସେଗୁଡ଼ିକୁ ବାଦ୍‌ ଦେଇ ଅବଶିଷ୍ଟ ୨୪ଟି ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ୍‌ଙ୍କ ଆଦେଶ କେବଳ ଗଞ୍ଜାମ ଜିଲ୍ଲା ପାଇଁ ଉଦ୍ଦିଷ୍ଟ।

ବିଭାଗୀୟ ସୂଚନା ଅନୁଯାୟୀ ରାଜ୍ୟର ୨୧ଟି ଜିଲ୍ଲାରେ ମହୁଲି ମଦ ତିଆରି ହେବା ସହିତ ବିକ୍ରି ହୋଇଥାଏ। ସେହି ଜିଲ୍ଲାଗୁଡ଼ିକରେ ପ୍ରାୟ ୫୦୦ ସଂଖ୍ୟକ ମହୁଲି ମଦ ତିଆରି ସଂସ୍ଥା ସହିତ ଦୋକାନ ରହିଛି। ଏହି ମଦ ତିଆରି ବେଳେ ଉଭୟ ବାୟୁ ଓ ଜଳ ପ୍ରଦୂଷଣ ହେଉଥିବାରୁ ପ୍ରଥମେ ସେହି ୟୁନିଟ୍‌ କେନ୍ଦ୍ରୀୟ ଭୂତଳ ଜଳ କର୍ତୃପକ୍ଷଙ୍କଠାରୁ ଜଳ ବ୍ୟବହାର ଅନୁମତି ଆଣିବା ପରେ କାରଖାନା ଚଳାଇବା ପାଇଁ ରାଜ୍ୟ ସରକାରଙ୍କଠାରୁ ଇସି ଓ କନ୍‌ସେଣ୍ଟ ଟୁ ଅପରେଟ୍‌ ପ୍ରମାଣପତ୍ର ଆଣିବା ଜରୁରୀ।

ତେବେ ସେହି ୫୦୦ଟି ମହୁଲି ମଦ ତିଆରି ସଂସ୍ଥାମାନେ ଇସି କିମ୍ବା କନ୍‌ସେଣ୍ଟ ଟୁ ଅପରେଟ୍‌ ନେଇନଥିବା ଜଣାଯାଇଛି। ଏହି ପରିସ୍ଥିତିରେ ଅବକାରୀ ବିଭାଗର ନିର୍ଦେଶ ମୁତାବକ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସେଗୁଡ଼ିକୁ ବନ୍ଦ କରିବା କଥା। ଏ ନେଇ ଅବକାରୀ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ମହୁଲି ମଦରୁ ରାଜସ୍ୱ ଅର୍ଜନ ଅପେକ୍ଷା ଆଇନର କାର୍ଯ୍ୟକାରିତାକୁ ଅଗ୍ରାଧିକାର ଦିଆଯାଉଛି। ତେବେ ରାଜ୍ୟର ଏତେସଂଖ୍ୟକ ମହୁଲି ମଦ ତିଆରି ସଂସ୍ଥାଗୁଡ଼ିକୁ ବନ୍ଦ କରିବା ଏକ ବଡ଼ ଧରଣର ନିଷ୍ପତ୍ତି ହୋଇଥିବାରୁ ସେ ଉନ୍ନୟନ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଅଗଷ୍ଟ ୧ରେ ସମସ୍ତ ମହୁଲି ମଦ ତିଆରି ସଂସ୍ଥାଗୁଡ଼ିକୁ ବନ୍ଦ କରାଯିବ ନା ସେମାନଙ୍କୁ ଅଧିକ ମହଲତ ମିଳିବ ସେ ନେଇ ରାଜ୍ୟ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର