୫ମ ଦିନରେ ଏନ୍‌ଏଚ୍‌ଏମ୍‌ କର୍ମଚାରୀଙ୍କ ଧାରଣା: ଆଲୋଚନା କରି ସରକାର ଦାବି ପୂରଣ କରନ୍ତୁ

ଭୁବନେଶ୍ୱର : ଓଡ଼ିଶା ସ୍ୱାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ବିଧାନସଭା ସମ୍ମୁଖରେ ଚାଲିଥିବା ଧାରଣା ଆଜି ୫ମ ଦିନରେ ପହଞ୍ଚିଛି। ରାଜ୍ୟବ୍ୟାପୀ ସ୍ୱାସ୍ଥ୍ୟସେବା ବ୍ୟାଘାତ ହୋଇଥିଲେ ହେଁ ସରକାର ଏ ପର୍ଯ୍ୟନ୍ତ ସଂଘ ସହିତ ଆଲୋଚନା କରିନାହାନ୍ତି। ତେଣୁ ଆଲୋଚନା ମାଧ୍ୟମରେ ସରକାର ଦାବି ପୂରଣ କରନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ଆଜି ସଂଘ ପକ୍ଷରୁ ଉତ୍କଳ ସାମ୍ବାଦିକ ସଂଘରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଘର ସାଧାରଣ ସଂପାଦକ ଧନେଶ୍ୱର ସ୍ୱାଇଁ କହିଲେ, ୫ଦିନ ଧରି ଏନ୍‌ଏଚ୍‌ଏମ୍‌ କର୍ମଚାରୀମାନେ ଆନ୍ଦୋଳନରେ ବସିଥିବା ବେଳେ ସରକାର ଏ ପର୍ଯ୍ୟନ୍ତ ଆଲୋଚନା କରିନାହାନ୍ତି। ଆନ୍ଦୋଳନ ବନ୍ଦ ହେଲେ ସଂଘ ସହିତ ଆଲୋଚନା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ କଟାକ୍ଷ କରୁଛନ୍ତି।

ସଂଘର ୬ଦଫା ଦାବି ରହିଛି। ଗତବର୍ଷ ଜାତୀୟ ସ୍ୱାସ୍ଥ୍ୟ ନୀତି ଅନୁଯାୟୀ ଜନସ୍ୱାସ୍ଥ୍ୟ ପରିଚାଳନା କ୍ୟାଡର୍‌ ପଦବି ସୃଷ୍ଟି କରି ସେମାନଙ୍କୁ ନିୟମିତ ନିଯୁକ୍ତି ଦିଆଯାଉ। ନିୟମିତ ନିଯୁକ୍ତି ଦେବା ପର୍ଯ୍ୟନ୍ତ ୭ମ ବେତନ କମିସନଙ୍କ ସୁପାରିଶ ଆଧାରରେ ଦରମା ବୃଦ୍ଧି, ଅସଙ୍ଗତି ଦୂର କରି ନିୟମିତ ହାରରେ ଦରମା ପ୍ରଦାନ, ସ୍ୱାସ୍ଥ୍ୟ ମିସନର ସମସ୍ତ କର୍ମଚାରୀଙ୍କ ପାଇଁ ଭବିଷ୍ୟନିଧି ପାଣ୍ଠି ବ୍ୟବସ୍ଥା, ସମସ୍ତଙ୍କ ପାଇଁ ଗୋଷ୍ଠୀ ବୀମା/ସ୍ୱାସ୍ଥ୍ୟ ବୀମା ସୁବିଧା, ପ୍ରଦର୍ଶନ ଭିତ୍ତିକ ପ୍ରୋତ୍ସାହନକୁ ଉଚ୍ଛେଦ ଓ ଘରଭଡ଼ା ପ୍ରଦାନ ସହ ଅଭିଜ୍ଞତା ଭତ୍ତାର ସୁବିଧା ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ସଂଘର ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର