୧୫ ଦିନରେ ଜାତୀୟ ରାଜପଥ ଜବରଦଖଲ ମୁକ୍ତ ହେବ : ରାସ୍ତା ଉପରେ ଗାଡ଼ି ପାର୍କିଂ ଉପରେ ଲାଗିବ ନିଷେଧାଦେଶ

ଭୁବନେଶ୍ୱର : ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଘଟୁଥିବା ଦୁର୍ଘଟଣାକୁ ଏଡ଼ାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି। ଏନ୍‌ଏଚ୍‌ଏଆଇ ଅଧ୍ୟକ୍ଷ ଦୀପକ କୁମାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ଚିଠି ଲେଖି ତୁରନ୍ତ ପଦକ୍ଷେପ ନେବାକୁ କହିଛନ୍ତି। ଆସନ୍ତା ୧୫ଦିନ ମଧ୍ୟରେ ଯେପରି ସମସ୍ତ ଜାତୀୟ ରାଜପଥ ଜବରଦଖଲମୁକ୍ତ ହେବ, କୌଣସି ରାସ୍ତା କଡ଼ରେ ଗାଡ଼ି ପାର୍କିଂ ହେବନି ସେନେଇ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି।

ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ଠାରୁ ଚିଠି ପାଇବା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳ, ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଉପାଧ୍ୟକ୍ଷ, ସମସ୍ତ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ସ୍ଥାନୀୟ ପୁଲିସ ସହାୟତାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

ଜାତୀୟ ରାଜପଥରେ ବହୁ ମାଲବୋଝେଇ ଟ୍ରକ୍‌, ଡମ୍ପର୍‌, ଟ୍ରଲର୍‌ ପାର୍କିଂ ହେଉଥିବାରୁ ଏହାଦ୍ୱାରା ଦୁର୍ଘଟଣା ବଢ଼ୁଛି। ଏହି ଗାଡ଼ିଗୁଡ଼ିକ ଯଦି କେଉଁଠି ପାର୍କିଂ ହୋଇଥିବ, ସହରାଞ୍ଚଳ ଭିତରେ ଯଦି ରାସ୍ତା ଉପରେ ବସ୍‌, କାର୍‌, ବାଇକ୍‌, ଅଟୋ ଆଦି ପାର୍କିଂ ହୋଇଥିବ ତେବେ ଏହାକୁ ତୁରନ୍ତ ଉଠାଇବେ। ଭବିଷ୍ୟତରେ ଯେପରି ଗାଡ଼ି ପାର୍କିଂ ନହେବ ସେଥିପାଇଁ ସୂଚନା ଦେବେ। ନ ମାନିଲେ ଜରିମାନା ଆଦାୟ ଭଳି କଠୋର କାର୍ଯ୍ୟାନୁଷ୍ଠାନ ନେଇପାରିବେ। ସେହିପରି କୌଣସି ବେଆଇନ ନିର୍ମାଣ ହୋଇଥିଲେ ତାକୁ ତୁରନ୍ତ ଉଚ୍ଛେଦ କରିବାକୁ କୁହାଯାଇଛି। ସ୍ଥାନୀୟ ପୁଲିସ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶନାମା ଜାରି ହୋଇଛି।

ସମ୍ବନ୍ଧିତ ଖବର