ଆଜି ଶ୍ରେଷ୍ଠ ଶହେ ଶିକ୍ଷାନୁଷ୍ଠାନ ତାଲିକା

ସରକାରୀ ଶିକ୍ଷାନୁଷ୍ଠାନକୁ ନେଇ ଆଶା ଅନେକ, ରୢାଙ୍କ ବଜାୟ ରଖିପାରନ୍ତି ଘରୋଇ ଶିକ୍ଷାନୁଷ୍ଠାନ

ଭୁବନେଶ୍ବର : କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟର ‘ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରୢାଙ୍କିଙ୍ଗ୍‌ ଫ୍ରେମଵାର୍କ(ଏନ୍‌ଆଇଆରଏଫ୍‌) ପକ୍ଷରୁ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନକୁ ନେଇ କରାଯାଇଥିବା ସର୍ଭେର ଶ୍ରେଷ୍ଠ ଶହେ ତାଲିକା ସୋମବାର ପ୍ରକାଶ ପାଇବ। ମୋଟ ୯ଟି ବିଭାଗରେ ଏହି ତାଲିକା ପ୍ରକାଶ କରାଯିବ। ସାମଗ୍ରିକ ସଫଳତାକୁ ନେଇ ‘ଶ୍ରେଷ୍ଠ ଶହେ’ ଶିକ୍ଷାନୁଷ୍ଠାନ ତାଲିକା ବାହାରିବାକୁ ଥିବା ବେଳେ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ସାଧାରଣ କଲେଜ, ମ୍ୟାନେଜ୍‌ମେଣ୍ଟ, ଫାର୍ମାସି, ଲ’, ଆର୍କି‌ଟେକଚର୍‌, ମେଡିକାଲ କଲେଜକୁ ନେଇ ମଧ୍ୟ ଅଲଗା ଅଲଗା ତାଲିକା ପ୍ରକାଶ କରାଯିବ। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ରୢାଙ୍କିଙ୍ଗକୁ ଉନ୍ମୋଚନ କରିବେ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ତିନି ବର୍ଷ ହେଲା ପ୍ରକାଶ ପାଇଥିବା ତାଲିକାରେ ଆଇଆଇଟି ଭୁବନେଶ୍ବର, ଏନ୍‌ଆଇଟି ରାଉରକେଲା ସମେତ ଘରୋଇ ବିଶ୍ବବିଦ୍ୟାଳୟ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତଷ୍ଟ୍ରିଆଲ ଟେକ୍ନୋଲୋଜି(କିଟ୍‌), ଶିକ୍ଷାନୁଷ୍ଠାନ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ) ଶ୍ରେଷ୍ଠ ଶହେରେ ସ୍ଥାନ ବଜାୟ ରଖିଥିଲେ। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ ତାଲିକାରେ ସ୍ଥାନ ପାଇଥିଲା। ତେବେ ୨୦୧୬ରେ ନାକ୍‌ ‘ଏ+’ ଗ୍ରେଡ୍‌ ପାଇବା ସହ ଜାତୀୟସ୍ତରରେ କାଟାଗୋରି-୧ ଶିକ୍ଷାନୁଷ୍ଠାନରେ ସ୍ଥାନ ପାଇଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଗତଥର ନିରାଶ ହୋଇଥିଲା।

୨୦୧୮ରେ ବିଶ୍ବବିଦ୍ୟାଳୟଗୁଡ଼ିକୁ ନେଇ ପ୍ରସ୍ତୁତ କରାଯାଇଥିବା ‘ଶ୍ରେଷ୍ଠ ଶହେ ବିଶ୍ବବିଦ୍ୟାଳୟ’ ତାଲିକାରେ ଓଡ଼ିଶାରୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ୨୪ତମ ସ୍ଥାନରେ ଥିବା ବେଳେ କିଟ୍‌ ବିଶ୍ବବିଦ୍ୟାଳୟ ୪୨ତମ ସ୍ଥାନରେ ଥିଲା। ଓୟୁଏଟି ୯୧ତମ ସ୍ଥାନ ହାସଲ କରିଥିଲା। ଉତ୍କଳ ବିଶ୍ବବିଦ୍ୟାଳୟ ଶ୍ରେଷ୍ଠ ଶହେ ଭିତରକୁ ଆସିପାରି ନାହିଁ। ୧୪୬ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା। ଫକୀର ମୋହନ ବିଶ୍ବବିଦ୍ୟାଳୟ ୧୬୭, ସମ୍ବଲପୁର ବିଶ୍ବବିଦ୍ୟାଳୟ ୧୮୭, ଭିଏସ୍‌ଏସ୍‌ୟୁଟି ବୁର୍ଲା ୧୯୮ ଓ ଜାଭିଅର ବିଶ୍ବବିଦ୍ୟାଳୟ ୧୯୯ତମ ସ୍ଥାନରେ ରହି ଶ୍ରେଷ୍ଠ ୨୦୦ ମଧ୍ୟରେ ସ୍ଥାନ ପାଇଥିଲେ। ଏଥର ରାଜ୍ୟର ୩ଟି ସରକାରୀ ବିଶ୍ବବିଦ୍ୟାଳୟ ରୢାଙ୍କିଙ୍ଗ୍‌ ପାଇଁ ଆବେଦନ କରିଛନ୍ତି। ତେଣୁ ଗତଥର ପରି ଏଥର ମଧ୍ୟ ଓୟୁଏଟିକୁ ନେଇ ଆଶା ରହିଛି। ତିନି ବର୍ଷ ହେଲା ନିରାଶ ହେଉଥିବା ଉତ୍କଳ ବିଶ୍ବବିଦ୍ୟାଳୟ ଏଥର ଶ୍ରେଷ୍ଠ ଶହେ ଭିତରକୁ ଆସିବ ବୋଲି କର୍ତୃପକ୍ଷ ଆଶାବ୍ୟକ୍ତ କରିଛନ୍ତି।

ବୈଷୟିକ ଶିକ୍ଷା, ମେଡିକାଲ ଶିକ୍ଷାରେ ବି ସମାନ ସ୍ଥିତି ରହିଥିଲା। ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିରାଶ ହେବାକୁ ପଡ଼ିଥିଲା। ଏନ୍‌ଆଇଟି ରାଉରକେଲା ୧୫ତମ ସ୍ଥାନରେ ଥିବା ବେଳେ ଆଇଆଇଟି ଭୁବନେଶ୍ବର ୧୮ତମ, କିଟ୍‌ ୫୧ତମ ଓ ସିଭି ରମଣ କଲେଜ ଅଫ୍‌ ଇଞ୍ଜିନିୟରି˚ ୮୯ତମ ସ୍ଥାନରେ ରହିଥିଲା। ମ୍ୟାନେଜମେଣ୍ଟ ବିଭାଗରେ କିଟ୍‌ ୩୦ତମ ସ୍ଥାନରେ ଥିବା ବେଳେ ଜାଭିୟର ବିଶ୍ବବିଦ୍ୟାଳୟ ୩୬ତମ ସ୍ଥାନରେ ଥିଲା। ମେଡିକାଲ ବିଭାଗରେ ସୋଆ ୧୯ତମ ସ୍ଥାନରେ ରହିଥିବା ବେଳେ କିଟ୍‌ ୨୦ତମ ସ୍ଥାନରେ ରହିଥିଲେ।

ସମ୍ବନ୍ଧିତ ଖବର