ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହ : ଅବହେଳିତଙ୍କୁ ନ୍ୟାୟ ଦେବା ସବୁଠୁ ବଡ଼ ଆହ୍ବାନ – ଜଷ୍ଟିସ ମାଣିକରାଓ

କଟକ : ନିଜ ଭିତ‌ରେ ଥିବା ଅନ୍ତର୍ନିହିତ ଗୁଣକୁ ଜାଣିଲେ ମଣିଷ ନିଜ ଜ୍ଞାନ ଓ ଦକ୍ଷତାକୁ ମାପିବାରେ ସକ୍ଷମ ହୋଇଥାଏ। ଏହା ହିଁ ତାର ପ୍ରକୃତ ଯୋଗ୍ୟତା ଓ ଶିକ୍ଷା। ଗାନ୍ଧୀଜିଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସମାଜର ଅବହେଳିତ ଲୋକଟିଏ ଉପଯୁକ୍ତ ନ୍ୟାୟ ପାଇପାରିଲେ, ତାହା ହିଁ ହେବ ମହାତ୍ମାଙ୍କ ପ୍ରତି ଆମର ସବୁଠାରୁ ବଡ କୃତଜ୍ଞତା ବୋଲି ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ୬ଷ୍ଠ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଜୟ ମାଣିକରାଓ ଖାନୱିଲକର କହିଛନ୍ତି।

ବିଶ୍ବବିଦ୍ୟାଳୟର ଆମ୍ପିଥିଏଟରରେ ଆୟୋଜିତ ଉତ୍ସବର ଆରମ୍ଭ ନେଇ ପ୍ରଥମେ କୁଳାଧିପତି ତଥା ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍‌. ଜାଭେରି ଘୋଷଣା କରିଥିଲେ। ଆଇନର ବିଭିନ୍ନ ପାଠକ୍ରମରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ସବୁ ସମୟରେ ସମାଜରେ ଆଇନର ସୁରକ୍ଷା କରିବାକୁ ମୁଖ୍ୟ ବିଚାରପତି ଜଷ୍ଟିସ ଜାଭେରି ପରାମର୍ଶ ଦେଇଥିଲେ। ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ଶ୍ରୀକ୍ରିଷ୍ଣା ଦେବା ରାଓ କାର୍ଯ୍ୟକ୍ରମରେ ପୌ‌ରୋହିତ୍ୟ କରିବା ସହ ବିଶ୍ବବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ୬ଷ୍ଠ ସମାବର୍ତ୍ତନ ଉତ୍ସବରେ ବିଶ୍ବବିଦ୍ୟାଳୟର ୧୫୨ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରି ପ୍ରଦାନ କରାଯାଇଛି। ସେମାନଙ୍କ ମଧୢରେ ଦୁଇ ଜଣଙ୍କୁ ପିଏଚ୍‌ଡି ଡିଗ୍ରି, ୪୧ଜଣଙ୍କୁ ଏଲଏଲ.ଏମ୍‌ ଡିଗ୍ରି, ୫୦ଜଣଙ୍କୁ ବିଏ ଏଲଏଲ.ବି, ୫୯ଜଣଙ୍କୁ ବିବିଏ ଏଲଏଲ.ବି ଡିଗ୍ରି ଦିଆଯାଇଛି। ଏଥିରେ ମୋଟ ୨୦ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ସେଥିମଧୢରୁ ୬ଟି ବିଶ୍ବବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ବେଳେ ବାକି ୧୨ଟି ପଦକକୁ ଆଇନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିଙ୍କ ନାମରେ ପ୍ରଦାନ କରାଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ତଥା ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଖାନୱିଲକର ଓ କୁଳାଧିପତି ତଥା ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଜାଭେରିଙ୍କୁ କୁଳପତି ଶ୍ରୀ ରାଓ ସମ୍ବର୍ଦ୍ଧିତ କରିଥିଲେ। ବିଶ୍ବବିଦ୍ୟାଳୟ କୁଳସଚିବ ଡକ୍ଟର ଯୋଗେଶ ପ୍ରତାପ ସିଂହଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଚଳିତ ବର୍ଷ ବିବିଏ ଏଲଏଲବିରେ ପ୍ରଥମ ସ୍ଥାନ ଅଧିକାର କରିଥିବା ୟସ୍ ଦୁବେଙ୍କୁ ସର୍ବାଧିକ ୬ଟି ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ଆକାଶ ଶ୍ରୀନିବାସନ ୩ଟି ଏବଂ ତୃତୀୟ ସ୍ଥାନରେ ଥିବା ସଂଚିତା କୁମାରୀ ୨ଟି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି। ଏଲଏଲଏମ୍‌ରେ ଅପଳା ଗୋସ୍ବାମୀ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ବିଏ ଏଲଏଲବିରେ ପ୍ରଥମ ସ୍ଥାନ ଅଧିକାର କରି ଶ୍ରେୟା ସିଂହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ରାଜ୍ୟ ପୁଲିସ ବିଭାଗର ଡିଜି ସତ୍ୟଜିତ ମହାନ୍ତି ଓ ସୋହିନୀ ମହାପାତ୍ରଙ୍କୁ ଏହି ଅବସରରେ ପିଏଚଡି ପ୍ରଦାନ କରାଯାଇଛି। ବିଏ ଏଲଏଲବିର ପଂଚମ ବର୍ଷ ଛାତ୍ର ଋତ୍ବିକ ଦାସଙ୍କର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ମା’ଙ୍କୁ ଆଜି ପୁଅଙ୍କ ପାଇଁ ସମ୍ମାନଜନକ ଡିଗ୍ରି ପ୍ରଦାନ କରାଯାଇଥିଲା। ଏଭଳି ଏକ ବ୍ୟବସ୍ଥା ବିଶ୍ବବିଦ୍ୟାଳୟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି। ସୂଚନା ଯୋଗ୍ୟ ଯେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟକୁ ନାକ୍ ପକ୍ଷରୁ ଚଳିତ ବର୍ଷ ‘ଏ’ ଗ୍ରେଡ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର