ଝାରସୁଗୁଡ଼ା: ଥରେ ଅଧେ ନୁହେଁ, ତିନି ଥର ଜାତୀୟ ଫୁଟବଲ ଦଳରେ ସାମିଲ ହୋଇଥିଲେ। ଜାତୀୟ ରଗବିରେ ମଧ୍ୟ ଅଂଶଗ୍ରହଣ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ ଝାରସୁଗୁଡ଼ାର ମହିଳା ଫୁଟବଲ ଖେଳାଳି ତନୁଜା ବାଗେ । ଫୁଟବଲ ପଡ଼ିଆରେ ଗୋଲ ପୋଷ୍ଟ ସମ୍ମୁଖରେ ଯେତେବେଳେ ତନୁଜା ଛିଡ଼ା ହେଉଥିଲେ ସେତେବେଳେ ପ୍ରତିପକ୍ଷ ଦଳକୁ ପାଣି ପିଆଇ ଦେଉଥିଲେ। ଏପରିକି ପ୍ରତିପକ୍ଷ ଦଳର ବିଜୟ ଆଶା ମଉଳି ଯାଉଥିଲା। ଦିନେ ଯିଏ ନିଜ ଦଳ ଓ ଦେଶକୁ ବାରମ୍ବାର ବିଜୟ ମୁକୁଟ ପିନ୍ଧାଉଥିଲେ, ସେ ଆଜି ସାମାନ୍ୟ ପେଟ ଚାଖଣ୍ଡକ ପାଇଁ ଜଙ୍ଗଲରେ ଛେଳି ଚରାଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜାତୀୟ ଫୁଟବଲ ଖେଳରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ରାଜ୍ୟ ତଥା ଝାରସୁଗୁଡ଼ା ପାଇଁ ଗୌରବ ଆଣିଥିବା ତନୁଜା ଏବେ ଝାରସୁଗୁଡ଼ା ଦେବାଡ଼ିହି ଗ୍ରାମ ମୁଣ୍ଡରେ ଏକ ସରକାରୀ ଜାଗାରେ ଏକ ଛୋଟ ଝୁମ୍ପୁଡ଼ି ଘରେ ରହୁଛନ୍ତି। ସେ ଓ ତାଙ୍କ ସ୍ବାମୀ ଦିନ ମଜୁରିଆ ମହନି କଣ୍ଡରା ପେଟ ପାଇଁ ଅହରହ ସଂଗ୍ରାମ କରୁଛନ୍ତି। ତନୁଜାଙ୍କ ଅତୀତ ଜାଣିଥିବା ଲୋକଙ୍କୁ ଏହା ବ୍ୟଥିତ କରୁଛି।
ରାଜ୍ୟ ସରକାର, କେନ୍ଦ୍ର ସରକାର ତଥା ବିଭିନ୍ନ କର୍ପୋରେଟ୍ ସଂସ୍ଥା କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କ ପାଇଁ ଅନେକ କିଛି କରୁଥିବା ବେଳେ ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ତନୁଜାଙ୍କ ଭଳି ଜଣେ ଜାତୀୟ ପ୍ରତିଭା ଶିଳ୍ପନଗରୀ ଝାରସୁଗୁଡାରେ ଅଲୋଡ଼ା ହୋଇ ପଡ଼ିଛନ୍ତି। ୨୦୦୩ ରୁ ୨୦୧୧ଯାଏଁ ବିଭିନ୍ନ ଦଳରେ ପ୍ରତିନିଧିତ୍ବ କରି ତନୁଜା ବିଭିନ୍ନ ସ୍ଥାନରେ ତାଙ୍କର ଖେଳର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ବହୁ ପ୍ରଶଂସାପତ୍ର, ଟ୍ରଫି, ସିଲ୍ ଓ ମେଡାଲ କେବଳ ତାର ମୂକସାକ୍ଷୀ ହୋଇରହିଛି । ଏହି ଟ୍ରଫି ତାଙ୍କ ଜୀବନରେ କୌଣସି ବି କାମରେ ଆସିଲାନି ବୋଲି କାନ୍ଦି କାନ୍ଦି କହିଛନ୍ତି ତନୁଜା।
ଜିଲ୍ଲା ପ୍ରଶାସନ ହେଉ କି ପୁଲିସ ପ୍ରଶାସନ ସମସ୍ତେ ଦୀର୍ଘ ବର୍ଷ ହେଲା ତନୁଜାଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ଦେଇ ଭୁଲି ଯାଇଛନ୍ତି। ଜିଲ୍ଲାରେ ଗଢ଼ି ଉଠିଥିବା ବଡ଼ ବଡ଼ କଳକାରଖାନା ମଧ୍ୟ ତାଙ୍କୁ ପ୍ରତିଶ୍ରୁତି ଦେବାରେ ଅବହେଳା କରି ନାହାନ୍ତି । ମାତ୍ର କେହି ବି ତାଙ୍କ ପ୍ରତିଶ୍ରୁତି ପୂରଣ କରିନାହାନ୍ତି। ତେଣୁ ତନୁଜା ବାଧ୍ୟ ହୋଇ ଗ୍ରାମର ବିଭିନ୍ନ ଲୋକଙ୍କ ଛେଳିକୁ ପ୍ରତିଦିନ ସକାଳୁ ସନ୍ଧ୍ୟା ଯାଏଁ ଚରାଇ ଅଳ୍ପ ରୋଜଗାର କରୁଥିବା ବେଳେ ସ୍ବାମୀ ମୁଲଲାଗି ଯାହା ପାଆନ୍ତି, ସେଥିରେ ଓଳିଏ ଖାଇଲେ ଆଉ ଓଳିଏ ଭୋକରେ ରହିବାକୁ ବାଧ୍ୟ ହୁଅନ୍ତି। ଏହା ସହ ଛୋଟ ଛୋଟ ଦୁଇଟି ଛୁଆର ଦାୟିତ୍ବ ତାଙ୍କ ଆଖିରୁ ନିଦ ହଜାଇ ଦେଇଥିବା ସେ କୁହନ୍ତି। ତାଙ୍କ ସହ ଖେଳୁଥିବା ବହୁ ମହିଳା ଖେଳାଳି ଏବେ ରେଲୱେ, ନାଲକୋ ଭଳି ସଂସ୍ଥାରେ କାମ କରୁଥିବା ବେଳେ ତାଙ୍କୁ କେବଳ ପ୍ରତିଶ୍ରୁତି ଛଡ଼ା ଆଉ କିଛି ମିଳି ନାହିଁ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି।