ରାଷ୍ଟ୍ରୀୟ ଲୋକ ଅଦାଲତ

ରାଜ୍ୟରେ ୨୮ ହଜାର ୩୬୨ ମାମଲା ଫୈସଲା

କଟକ : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧୀକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସାରା ରାଜ୍ୟରେ ୨୮ ହଜାର ୩୬୨ଟି ମାମଲାର ଆପୋଷ ବୁଝାମଣା ଜରିଆରେ ଫୈସଲା ହୋଇଛି। ଜରିମାନା ଓ କ୍ଷତି ପୂରଣ ବାବଦରେ ୮୦ କୋଟି ୫୬ ଲକ୍ଷ ୪୯ ହଜାର ୯୨୩ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଲୋକ ଅଦାଲତରେ ଉଭୟ ବିଚାରାଧୀନ ଓ ପ୍ରାକ୍‌-ମକଦ୍ଦମା ସ୍ତରୀୟ ସମାଧାନଯୋଗ୍ୟ ମାମଲାର ସମାଧାନ କରାଯାଇଛି।

ଫୌଜଦାରୀ, ଦେଓ୍ଵାନୀ, ଚେକ୍‌ ବାଉନ୍ସ ମାମଲା, ମଟର ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା, ବ୍ୟାଙ୍କ ଋଣ, ପାରିବାରିକ ଓ ବୈବାହିକ ମାମଲା, ରାଜସ୍ୱ ମାମଲା, ଶ୍ରମିକ ସଂପର୍କିତ ମାମଲା, ଚାକିରି ଓ ବକେୟା ପ୍ରାପ୍ୟ ସଂକ୍ରାନ୍ତ ମାମଲା, ବିଦ୍ୟୁତ ଓ ଜଳ ଯୋଗାଣ ଦେୟ ସଂପର୍କିତ ବିବାଦ, ଜମି ଅଧିଗ୍ରହଣ ସମ୍ବନ୍ଧୀୟ ମାମଲା, ରେଳବାଇ ଆଇନ, ମଟର ଭେଇକିଲ ଆକ୍ଟ ସଂପର୍କିତ ମାମଲାଗୁଡିକର ଶୁଣାଣି କରାଯାଇ ଆପୋଷ ସହମତି ଆଧାରରେ ଫୈସଲା କରାଯାଇଛି। ପ୍ରାକ୍‌ ମୋକଦ୍ଦମା ସ୍ତରୀୟ ୬୪ ହଜାର ୭୨୨ଟି ମାମଲା ମଧ୍ୟରୁ ୫ ହଜାର ୮୧୨ଟି ମାମଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଫୈସଲା କରାଯାଇଥିଲା। ଜରିମାନା ଓ କ୍ଷତିପୂରଣ ବାବଦରେ ୧୮ କୋଟି ୩୭ ଲକ୍ଷ ୩୪ ହଜାର ୨୪୨ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ୯୯ ହଜାର ୪୧୦ଟି ବିଚାରାଧୀନ ମାମଲା ମଧ୍ୟରୁ ୨୨ ହଜାର ୫୫୦ଟି ମାମଲା ଆପୋଷ ବୁଝାମଣାରେ ଫୈସଲା କରାଯାଇଛି ବୋଲି ରାଜ୍ୟ ଆଇନସେବା ପ୍ରାଧୀକରଣ ସଦସ୍ୟ ସଚିବ ବାଳକୃଷ୍ଣ ମହାପାତ୍ର ସୂଚନା ଦେଇଛନ୍ତି। ବିଚାରାଧୀନ ମାମଲା କ୍ଷେତ୍ରରେ କ୍ଷତିପୂରଣ ଓ ଜରିମାନା ବାବଦରେ ୬୨ କୋଟି ୧୯ ଲକ୍ଷ ୧୫ ହଜାର ୬୮୧ ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ହାଇକୋର୍ଟରେ ଅନୁଷ୍ଠିତ ଲୋକ ଅଦାଲତରେ ୧୫୪ଟି ମାମଲାର ଫୈସଲା କରାଯାଇ ୩ କୋଟି ୮୦ ଲକ୍ଷ ୮୩ ହଜାର ୫୦୮ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ନୂଆଦିଲ୍ଲୀସ୍ଥିତ ନ୍ୟାସନାଲ ଲିଗାଲ୍‌ ସର୍ଭିସେସ୍‌ ଅଥରିଟି ନିର୍ଦ୍ଦେଶରେ ରାଜ୍ୟ ଆଇନସେବା ପ୍ରାଧୀକରଣ ଆନୁକୂଲ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା।

ହାଇକୋର୍ଟ ସମେତ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଥିବା ଜିଲ୍ଲା ସ୍ତରୀୟ ଓ ତାଲୁକା ସ୍ତରୀୟ ବିଚାରବିଭାଗୀୟ ଅଦାଲତ ପରିସରରେ ଆଜି ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ସଦସ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତ ଆୟୋଜନରେ ପ୍ରାଧୀକରଣର ଉପସଚିବ ଦୀପକ ରଂଜନ ସାହୁ ଓ ସହକାରୀ ସଚିବ ନିହାର ରଂଜନ ଲେଙ୍କା, ଅଧୀକ୍ଷକ କମଳାକାନ୍ତ କର ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର