ହାଇକୋର୍ଟରେ ଜାତୀୟ ଲୋକ ଅଦାଲତ : ୬୩ ମାମଲା ଫୈସଲା, ୩ କୋଟି ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

କଟକ : ହାଇକୋର୍ଟରେ ଆଜି ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଓଡିଶା ରାଜ୍ୟ ଆଇନସେବା ପ୍ରାଧିକରଣର ମୁଖ୍ୟ ପୃଷ୍ଠପୋଷକ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଭିନିତ ସରନ୍‌, ପ୍ରାଧିକରଣର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତି ଓ ହାଇକୋର୍ଟ ଆଇନସେବା କମିଟି ଅଧ୍ୟକ୍ଷା କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ମାର୍ଗଦର୍ଶନରେ ଏହି ଲୋକ ଅଦାଲତ ଅନୁଷ୍ଠିତ ହୋଇଛି। ହାଇକୋର୍ଟ ଆଇନସେବା କମିଟି ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଲୋକ ଅଦାଲତରେ ୬୩ଟି ମାମଲାର ଆପୋସ ବୁଝାମଣାରେ ଫୈସଲା କରାଯାଇଛି। ମୋଟ ୫୯୭ଟି ମାମଲାର ଶୁଣାଣି ହୋଇଥିଲା। ଡକ୍ଟର ଜଷ୍ଟିସ୍‌ ଏ.କେ.ରଥ, ଜଷ୍ଟିସ ବିଶ୍ୱଜିତ ମହାନ୍ତି, ଜଷ୍ଟିସ ସଙ୍ଗମ କୁମାର ସାହୁ, ଜଷ୍ଟିସ ଏସ୍‌.ଏନ୍‌.ପ୍ରସାଦ, ଓ ଜଷ୍ଟିସ ଜେ.ପି.ଦାସ ଅନୁଷ୍ଠିତ ଜାତୀୟ ଲୋକ ଅଦାଲତରେ ମାମଲା ଗୁଡିକର ଫୈସଲା କରିଥିଲେ। ଏଥି ମଧ୍ୟରେ ବ୍ୟାଙ୍କ ମାମଲା, ଭୂମି ଅଧିଗ୍ରହଣ ମାମଲା, କ୍ରିମିନାଲ କମ୍ପାଉଣ୍ଡେବଲ ମାମଲା, ଚାକିରି ସଂପର୍କିତ ମାମଲା, ଏନ୍‌.ଆଇ.ଆକ୍ଟର ଧାରା ୧୩୮ ସଂପର୍କିତ ମାମଲା, ବିଦ୍ୟୁତ, ଶିକ୍ଷା ଓ ବୀମା କ୍ଷତିପୂରଣ ମାମଲା ରହିଛି। ଏହି ଲୋକ ଅଦାଲତରେ ସାଧାରଣ ବୀମା କମ୍ପାନି ମଧ୍ୟରୁ ନ୍ୟୁ ଇଣ୍ଡିଆ ଅସ୍ୟୁରାନ୍ସ, ନ୍ୟାସନାଲ ଇନସ୍ୟୁରାନ୍ସ, ଓରିଏଣ୍ଟାଲ ଇନସ୍ୟୁରାନ୍ସ, ୟୁନାଇଟେଡ୍‌ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନି ଏବଂ ଘରୋଇ ବୀମା କମ୍ପାନି ଗୁଡିକ ଅଂଶ ଗ୍ରହଣ କରିଥିଲେ। କ୍ଷତିପୂରଣ ବାବଦରେ ୩ କୋଟି ୬ ଲକ୍ଷ ୮୧ ହଜାର ଟଙ୍କା ପ୍ରଦାନ ପାଇଁ ଆଜି ଅନୁଷ୍ଠିତ ଲୋକ ଅଦାଲତରେ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର