ନୟାଗଡ଼ ଜିଲ୍ଲାରେ ଜାତୀୟ ଜୀବିକା ମିସନ୍ ବାଟବଣା : ସ୍ୱାବଲମ୍ବୀ ହେଉନାହାନ୍ତି ମହିଳା! ସହାୟତା ରାଶିକୁ ବାଣ୍ଟି ନେଉଛନ୍ତି ଏସଏଚ୍‌ଜିର ସଦସ୍ୟ

ନୟାଗଡ଼ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ୍‌ କାର୍ଯ୍ୟାଳୟ, ପଞ୍ଚାୟତ କାର୍ଯ୍ୟାଳୟରେ ଅନେକ ସମୟରେ ଗରିବ, ଅସହାୟ ମହିଳାଙ୍କୁ ଦେଖିବାକୁ ମିଳୁଛି। ଆର୍ଥିକ ସମସ୍ୟା ‌ନିମନ୍ତେ ଏମାନେ କିଛି ଟଙ୍କା ପାଇବାକୁ ଏ ଅଫିସ୍‌ରୁ ସେ ଅଫିସ୍‌ ଦୌଡ଼ୁଛନ୍ତି। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିରରେ ବହୁ ସଂଖ୍ୟକ ଅସହାୟ ମହିଳାଙ୍କୁ ଦେଖିବାକୁ ମିଳୁଛି। ତିନିଦିନ ହେବ ଗଣିଆ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ମହିଳା ପାଚିକା ପଦରୁ ଛଟେଇ ହେବା ପରେ ଜୀବିକା ହ‌ରାଇଥିବାରୁ ଧାରଣାରେ ବସିଛନ୍ତି। କିନ୍ତୁ ମହିଳାଙ୍କୁ ସଶକ୍ତ ତଥା ସ୍ୱାବଲମ୍ବୀ କରିବା ନିମନ୍ତେ ଅନେକ ଯୋଜନା ରହିଛି। ଏବେ ଏହି ଯୋଜନା ସବୁ ବାଟବଣା ହେଲାଭଳି ଦେଖାଯାଉଛି। ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚ୍‌ଜି) ଜରିଆରେ ସେମାନଙ୍କୁ ବ୍ୟବସାୟ ଭିତ୍ତିରେ କାର୍ଯ୍ୟ କରି ଉପାର୍ଜନକ୍ଷମ ହେବାର ବ୍ୟବସ୍ଥା ରହିଛି। କିନ୍ତୁ ଏସବୁ ଯୋଜନାର ଲାଭ କିଛି ଚତୁର ଲୋକ ଉଠାଉଥିବା ବେଳେ, ପ୍ରକୃତ ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିବାକୁ ଚେଷ୍ଟା କରୁନି।

olmefms.nic.in

ଏହି ପରିପ୍ରେକ୍ଷୀରେ ଓଡ଼ିଶା ଜୀବିକା ମିସନରେ ନୟାଗଡ଼ ଜିଲ୍ଲାର ୫ଟି ବ୍ଲକ୍‌ରେ ଏସଏଚ୍‌ଜିକୁ ନେଇ ଗଠିତ ୧୩୦ ଗ୍ରାମ ପଞ୍ଚାୟତସ୍ତରୀୟ ମହିଳା ସଂଘ (ଜିପିଏଲଏଫ୍)କୁ ଗୋଷ୍ଠୀ ଉନ୍ନୟନ ପାଣ୍ଠି ଜରିଆରେ ପାଖାପାଖି ଦୁଇ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷରେ ଗୋଷ୍ଠୀ ଉନ୍ନୟନ ପାଣ୍ଠି ବାବଦରେ ୭୩ ଲକ୍ଷ ୯୭ ହଜାର ୩୪୮ ଟଙ୍କା ପ୍ରଦାନ କରାଯାଇଥିବା ବେଳେ, ୨୦୧୮-୧୯ ଆର୍ଥିକ ବର୍ଷରେ ୧ କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଜିଲ୍ଲା‌ରେ ଏ ପର୍ପ୍ୟନ୍ତ ଖଣ୍ଡପଡ଼ା, ଭାପୁର ଓ ନୟାଗଡ଼ରେ ଜୀବିକା ମିସନ କାର୍ଯ୍ୟକାରୀ ହୋଇପାରିନାହିଁ। ଚଳିତ ବର୍ଷ ଖଣ୍ଡପଡ଼ାରେ ୧୦ଟି, ନୟାଗଡ଼ରେ ୧୦ଟି ଓ ଭାପୁରରେ ୧୩ଟି ଜିପିଏଲ୍ଏଫ୍ ଗଠନ କରାଯାଇଥିବା ସୂଚନା ମିଳିଛି। ଜିଲ୍ଲାରେ ୧୦,୭୪୬ ଏସଏଚ୍‌ଜି ଥିବା ବେଳେ, ସେଥି ମଧ୍ୟରୁ ନୟାଗଡ଼, ଖଣ୍ଡପଡ଼ାକୁ ଛାଡ଼ି ବାକି ସମସ୍ତ ଏସଏଚ୍‌ଜିକୁ ଜିପିଏଲଏଫ୍ କର୍ତ୍ତୃପକ୍ଷ ସହାୟତା ଦେଇଥିବା ଜଣାଯାଇଛି। କିନ୍ତୁ ଏସଏଚ୍‌ଜିଗୁଡ଼ିକର କାର୍ଯ୍ୟକାରିତା ଦେଖିବାକୁ ମିଳୁନଥିବା ବ‌େଳେ, ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରୁନି।

ଏସଏଚ୍‌ଜିର ସଦସ୍ୟମାନେ ପାଇଥିବା ସହାୟତାକୁ ବାଣ୍ଟି ନେଉଛନ୍ତି। ଏହାକୁ କୌଣସି ବ୍ୟବସାୟଭିତ୍ତିକ କାର୍ଯ୍ୟାରେ ଲଗାଯାଇନାହିଁ। ବ୍ଲକ୍‌ କିମ୍ବା ଜିଲ୍ଲାସ୍ତରର ଅଧିକାରୀ ମଧ୍ୟ ଏହି ଘଟଣାର ତଦାରଖ କରୁନାହାନ୍ତି। ଏପରିକି ଅନେକ ସ୍ଥାନରେ ଜିପିଏଲ୍ଏଫ୍‌ଗୁଡ଼ିକ ଗୋଟିଏ ଏସ୍‌ଏଚ୍‌ଜିକୁ ବାରମ୍ବାର ସହାୟତା ପ୍ରଦାନର ଅଭିଯୋଗ ଆସୁଛି। କୌଣସି ଗୋଟିଏ ବି ସ୍ୱୟଂ ସହାୟକ ଗୋଷ୍ଠୀ କିଭଳି ଏହି ଅର୍ଥକୁ ବ୍ୟବହାର କରି ସ୍ୱାବଲମ୍ବୀ ହୋଇପାରିଛି, ତା’ର ସଫଳତାର କାହାଣୀ ଜୀବିକା ମିସନ କାର୍ଯ୍ୟାଳୟ ଦେଇପାରିନାହିଁ। ରଣପୁରରେ ୨୨୮୯ଟି ଏସ୍‌ଏଚ୍‌ଜି ଥିବା ବେଳେ, ନୂଆଗାଁରେ ୧୬୫୦, ଦଶପଲ୍ଲାରେ ୧୫୭୯, ଗଣିଆରେ ୫୬୦, ଓଡ଼ଗାଁରେ ୨୭୯୭, ନୟାଗଡ଼ରେ ୧୬୫୦, ଖଣ୍ଡପଡ଼ାରେ ୪୫୪ ଓ ଭାପୁରରେ ୮୧୧ଟି ଏସ୍ଏଚ୍‌ଜି ରହିଛି। ଗୋଷ୍ଠୀ ଭିତ୍ତିରେ ଏସ‌୍ଏଚ୍‌ଜିଗୁଡ଼ିକ କାର୍ଯ୍ୟ କରି ସ୍ଥାୟୀ ଭାବେ ସ୍ୱାବଲମ୍ବୀ ହେବାକୁ କାର୍ଯ୍ୟ କରୁନଥିବା, ବ୍ୟକ୍ତିଗତ ଭାବେ ଏସ୍‌ଏଚ୍‌ଜିକୁ ଦିଆଯାଉଥିବା ଅର୍ଥ ନେଇ ଖର୍ଚ୍ଚ କରୁଥିବା ଘଟଣାକୁ ଜୀବିକା ମିଶନର ଡିପିଏମ୍ ସଞ୍ଜୟ କୁମାର ମହାପାତ୍ର ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର