ଭୁବନେଶ୍ୱର : ଭାରତ ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଅଧୀନ ‘ଜାତୀୟ ନମୁନା ସର୍ବେକ୍ଷଣ କାର୍ଯ୍ୟାଳୟ’(ଏନ୍ଏସ୍ଏସ୍ଓ) ପକ୍ଷରୁ ଆସନ୍ତା ଜୁଲାଇ ପହିଲାରୁ ଏହାର ୭୬ତମ ପର୍ଯ୍ୟାୟ ସର୍ବେକ୍ଷଣ ଆରମ୍ଭ ହେବ। ଏହି ୬ ମାସ ଅବଧିର ସର୍ବେକ୍ଷଣରେ ଗାଁ ଓ ସହରର ପାନୀୟ ଜଳ, ସ୍ୱଚ୍ଛତା, ପରିମଳତା, ଗୃହର ଅବସ୍ଥା ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମ୍ବନ୍ଧିତ ବିଭିନ୍ନ ତଥ୍ୟ ସଂଗ୍ରହ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ଦ୍ୱାରା ୯ ହଜାର ଗ୍ରାମ, ସହର ଓ ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ୱାରା ୧୦ ହଜାର ୨୨୨ଟି ଗ୍ରାମ ଓ ସହରରୁ ତଥ୍ୟ ସଂଗ୍ରହ କରାଯିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଏହି ପର୍ଯ୍ୟାୟରେ ଓଡ଼ିଶାର ୨୩୬ ଗ୍ରାମ ଓ ୭୨ଟି ସହରକୁ ମଧ୍ୟ ସାମିଲ କରାଯାଇଛି। ଉଭୟ ଏନ୍ଏସ୍ଏସ୍ଓ ଏବଂ ରାଜ୍ୟ ପରିସଂଖ୍ୟାନ ଓ ଅର୍ଥନୀତି ନିର୍ଦ୍ଦେଶାଳୟ ସର୍ବେକ୍ଷଣ କରି ଏନେଇ ତଥ୍ୟ ସଂଗ୍ରହ କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏଥିରେ ପାନୀୟ ଜଳ, ସ୍ୱଚ୍ଛତା, ପରିମଳତା ଓ ଗୃହର ଅବସ୍ଥା ସର୍ବେକ୍ଷଣ ମାଧ୍ୟମରେ ପରିବାର ବାସ କରୁଥିବା ଗୃହର ମାଲିକାନା, ପ୍ରକାରଭେଦ, ଗଠନ, ଅବସ୍ଥା, ବାସ କରୁଥିବା ନିଜସ୍ୱ ଗୃହର ନିର୍ମାଣ ଅବଧି, ଚଟାଣର କ୍ଷେତ୍ରଫଳ ସମ୍ବନ୍ଧିତ ତଥ୍ୟ ସଂଗ୍ରହ କରାଯିବ। ଏହଛଡ଼ା ପାନୀୟ ଜଳ, ଗାଧୁଆ ଘର, ଶୌଚାଳୟର ଉପଲବ୍ଧିତା, ଗୃହର ବର୍ଜ୍ୟବସ୍ତୁ ପରିଚାଳନା ସମ୍ବନ୍ଧିତ ତଥ୍ୟ ମଧ୍ୟ ସଂଗୃହୀତ ହେବ। ସେହିପରି ଦିବ୍ୟାଙ୍ଗଙ୍କୁ ମିଳୁଥିବା ବିଭିନ୍ନ ସୁବିଧା, ସେମାନେ ଯା’ଆସ କରୁଥିବା ସ୍ଥାନକୁ ପ୍ରବେଶ ପାଇଁ ହେଉଥିବା ସମସ୍ୟା ଓ ଦିବ୍ୟାଙ୍ଗ ସମ୍ବନ୍ଧିତ ନିଜସ୍ୱ ଖର୍ଚ୍ଚର ପରିସଂଖ୍ୟାନ ସୂଚନାଙ୍କ ପ୍ରସ୍ତୁତ କରାଯିବା ସହ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଧନ୍ଦାମୂଳକ ଓ ବୈଷୟିକ ପ୍ରଶିକ୍ଷଣ କ୍ଷେତ୍ର, ଅବଧି, ପ୍ରକାର ଓ ପ୍ରଶିକ୍ଷଣ ସମ୍ବନ୍ଧୀୟ ଖର୍ଚ୍ଚର ଉତ୍ସ ବିଷୟରେ ସବିଶେଷ ତଥ୍ୟ ଏକତ୍ର ହେବ।
ସର୍ବେକ୍ଷଣ ଦ୍ୱାରା ସଂଗୃହୀତ ତଥ୍ୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ଯୋଜନା ବିକାଶ ଓ ନୀତି ନିର୍ଦ୍ଧାରଣରେ ବ୍ୟବହୃତ ହୁଏ। ପୁଣି ନିତି ଆୟୋଗ, ଆର୍ଜିଆଇ, ଡବ୍ଲ୍ୟୁଏଚ୍ଓ, ୟୁନିସେଫ୍ ଓ ବିଭିନ୍ନ ସଂଗଠନ ମଧ୍ୟ ଏହି ତଥ୍ୟକୁ ବ୍ୟବହାର କରନ୍ତି। ଏଥିପାଇଁ ଏନ୍ଏସ୍ଏସ୍ଓର ଯୋଗ୍ୟ ଓ ପ୍ରଶିକ୍ଷିତ ଅଧିକାରୀ ଏହି ସର୍ବେକ୍ଷଣରେ ତଥ୍ୟ ସଂଗ୍ରହ କରନ୍ତି।
ଏହି ତଥ୍ୟ ସଂଗ୍ରହକାରୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ ଆଜି ସ୍ଥାନୀୟ ସୁରଜ ପ୍ୟାଲେସ୍ଠାରେ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଓଡ଼ିଶା ଡିଇଏସ୍ର ନିର୍ଦ୍ଦେଶକ ଡି ବେହେରା ଓ ଏନ୍ଏସ୍ଏସ୍ଓ କୋଲକାତାର ଡେପୁଟି ଡାଇରେକ୍ଟର୍ ଜେନେରାଲ ଗୋପା ଚଟୋପାଧ୍ୟାୟ ଉପସ୍ଥିତ ରହି ଶିବିରକୁ ଉଦ୍ଘାଟନ କରିଥିଲେ। ଏନ୍ଏସ୍ଏସ୍ଓର କେ ପି ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ଆର୍ ସି ନାୟକ ଧନ୍ୟବାଦ ଜଣାଇଥିଲେ। ଏହି ଶିବିର ୩ ଦିନ ଧରି ଚାଲିବ।