ନ୍ୟାସନାଲ ଏସ୍ସି-ଏସ୍ଟି ରାଜ୍ୟ ସମ୍ମିଳନୀ : ପ୍ରତି ଜିଲ୍ଲାରେ ହେବ ଗୋଟିଏ ପ୍ରକଳ୍ପ
ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ‘ଧର୍ମପଦ ଭବନ’ ଉଦ୍ଘାଟିତ, ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ଦ୍ୱାରା ୨ କୋଟି ନିଯୁକ୍ତି
ଭୁବନେଶ୍ୱର : ଓଡ଼ିଶାର ଲୋକେ ଆଉ ବାହାର ରାଜ୍ୟକୁ ଯିବେ ନାହିଁ। ସେମାନଙ୍କୁ ଏଠାରେ ହିଁ ନିଯୁକ୍ତି ମିଳିବ। ଗୋଟିଏ ଜିଲ୍ଲାରେ ଗୋଟିଏ ପ୍ରକଳ୍ପ କରାଯିବ। ରାଜ୍ୟର ୩୦ ଜିଲ୍ଲାକୁ ସର୍ଭେ କରି ରିପୋର୍ଟ ଦେବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କେନ୍ଦ୍ର ସୂକ୍ଷ୍ମ, କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗିରିରାଜ ସିଂହ ସୂଚନା ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମଞ୍ଚେଶ୍ୱରଠାରେ ଅନୁଷ୍ଠିତ ନ୍ୟାସନାଲ ଏସ୍ସି-ଏସ୍ଟି ରାଜ୍ୟ ସମ୍ମିଳନୀ ଓ ପ୍ରଦର୍ଶନୀ ଏବଂ ଧର୍ମପଦ ଭବନର ଉଦ୍ଘାଟନ ଉତ୍ସବରେ ଯୋଗଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂହ କହିଲେ, ଓଡ଼ିଶାରେ ଉପଲବ୍ଧ ଥିବା ସମ୍ପଦକୁ ଅନୁକୂଳ ଯୋଗ୍ୟ କରିବାକୁ ପଡ଼ିବ। ବଡ଼ କମ୍ପାନିଙ୍କୁ ରାଜ୍ୟକୁ ଡାକି ଆଣିଲେ ରୋଜଗାର ମିଳିବ ନାହିଁ। ବରଂ ଯୁବକ ଯୁବତୀଙ୍କୁ ଉପଯୁକ୍ତ ତାଲିମ ଦେଇ ଉଦ୍ୟୋଗୀ ବନାଇବାକୁ ପଡ଼ିବ। ମହିଳା, ଏସ୍ସି ଓ ଏସ୍ଟିଙ୍କୁ ରୋଜଗାର ଦେଇପାରିଲେ ନୂତନ ଓଡ଼ିଶାର ପରିକଳ୍ପନା ସଫଳ ହେବ। ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ମାଧ୍ୟମରେ ଏବେ ସୁଦ୍ଧା ଦେଶରେ ୧୮ ଲକ୍ଷ ଉଦ୍ୟୋଗୀ ସୃଷ୍ଟି ହୋଇଛନ୍ତି। ଯାହା ମାଧ୍ୟମରେ ୨ କୋଟି ଯୁବକ ଯୁକତୀ ନିଯୁକ୍ତି ପାଇ ସାରିଲେଣି। ହଳଦୀ ପାଇଁ ପ୍ରସିଦ୍ଧ କନ୍ଧମାଳ ଜିଲ୍ଲାର ୬୦ ହଜାର କୃଷକଙ୍କ ରୋଜଗାର ବୃଦ୍ଧି ଦିଗରେ ମନ୍ତ୍ରଣାଳୟ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।
କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଲେ, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଯୁବକ ଯୁବତୀଙ୍କୁ ‘ଧର୍ମପଦ ଭବନ’ରେ ତାଲିମ ଦିଆଯାଇ ଚାକିରିଆ ବଦଳରେ ମାଲିକ ବନାଯିବ। ମଧ୍ୟମ, ଲଘୁ, ଉଦ୍ୟୋଗ ସମୂହ ଅର୍ଥନୀତିର ମେରୁଦଣ୍ଡ। ମୋଦୀ ସରକାର ଆସିବା ପରେ ଏହା ଏବେ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଗତ ୬୦ ବର୍ଷ ମଧ୍ୟରେ ରାଜ୍ୟରେ ୬୬ ଜଣ ଏଲ୍ପିଜି ବିତରକ ଥିବା ବେଳେ ଗତ ୪ ବର୍ଷରେ ଏଥିରେ ଆହୁରି ୮୫ ଜଣ ଯୋଡ଼ି ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୩୩ ଲକ୍ଷ ପରିବାରଙ୍କ ପାଖରେ ଗ୍ୟାସ ପହଞ୍ଚିଛି। ସେଥିରୁ ୫୨ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବର୍ଗର।
ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍ଏନ୍ ଗୁପ୍ତା ଯୋଗଦେଇ କହିଲେ, ବାର୍ଷିକ କ୍ରେଡିଟ୍ ପ୍ଲାନ୍ର ଟାର୍ଗେଟ ଯେତିକି ରହିଥିଲା ଏଥର ତାହାର ୧୩୨ ପ୍ରତିଶତ ସଫଳତା ମିଳିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରାୟ ୮ ହଜାର କୋଟି ଟଙ୍କାର କ୍ରେଡିଟ୍ ଦିଆଯାଇଛି। ୨୦୧୬-୧୭ରେ ଆଉଟ୍ ଷ୍ଟାଣ୍ଡିଂ ବାଲାନ୍ସ ୨୭ ହଜାର କୋଟି ଟଙ୍କା ରହିଥିଲା। ୨୦୧୭-୧୮ରେ ଏହା ୩୫ ହଜାର କୋଟି ଟଙ୍କାରେ ପହଞ୍ଚିଛି।
ସମ୍ମିଳନୀରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ, ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟ ସଚିବ ଅରୁଣ କୁମାର ପଣ୍ଡାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ(ଏନ୍ଏସ୍ଆଇସି)ର ‘ଧର୍ମପଦ ଭବନ’ ଉଦ୍ଘାଟିତ ହେବା ସହ ବେକାରୀଙ୍କୁ ଆତ୍ମନିଯୁକ୍ତି କରାଇବା ପାଇଁ ଏନ୍ଏସ୍ଆଇସି, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଏବଂ ଜାତୀୟ ଜନଜାତି ବିକାଶ ନିଗମ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏନ୍ଏସ୍ଆଇସି ଓ ସାପ୍ ମଧ୍ୟରେ ବି ଏକ ରାଜିମାନା ହୋଇଛି।