ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଉଦ୍ଭିଦ ବିଜ୍ଞାନ ପରିଷଦର ୪୪ତମ ବାର୍ଷିକ ଅଧିବେଶନ ଓ ଜାତୀୟ ଆଲୋଚନା ଚକ୍ର ଉଦ୍‌ଘାଟିତ

ବାରିପଦା : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଓଡ଼ିଶା ଉଦ୍ଭିଦ ବିଜ୍ଞାନ ପରିଷଦର ୪୪ତମ ବାର୍ଷିକ ଅଧିବେଶନ ତଥା ‘ପରିବେଶ ସ୍ୱଧାର ଓ ପରିଚାଳନାରେ ସବୁଜ କୌଶଳ ପ୍ରୟୋଗର ଭୂମିକା’ ଶୀର୍ଷକ ଏକ ଜାତୀୟ ଆଲୋଚନା ଚକ୍ର ତା ୨୨-୦୧-୨୦୨୦ ଦିନ ବିଶ୍ୱବିଦ୍ୟାଳୟର ମୂଖ୍ୟ ସମ୍ମେଳନ କକ୍ଷରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ତଥା ସ୍ୱନାମଧନ୍ୟ ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ପ୍ରଦୀପ କୁମାର ଚାନ୍ଦ ସ୍ୱାଗତ ଅଭିଭାଷଣରେ ପରିବେଶର ସୁରକ୍ଷା ଓ ଗବେଷଣା ନିମନ୍ତେ ଓଡ଼ିଶା ଉଦ୍ଭିଦ ବିଜ୍ଞାନ ପରିଷଦର ଆଭିମୂଖ୍ୟ ତଥା ଅଧିବେଶନର ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ରଖିବା ସହିତ ବରେଣ୍ୟ ଅତିଥିମାନଙ୍କୁ ବିଶ୍ୱବିଦ୍ୟାଳୟ ତରଫରୁ ସ୍ୱାଗତ ଜଣାଇଥିଲେ। ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନର ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବୈଜ୍ଞାନିକ ପ୍ରଫେସର ଏନ୍‌ ଏଚ୍‌ ରବୀନ୍ଦ୍ରନାଥ ମୁଖ୍ୟ ଅତିଥି ଭାବେ ନିଜ ଅଭିଭାଷଣରେ ଉଦ୍ଭିଦ ବିଜ୍ଞାନ ବିଷୟ କିପରି ଏକ ସାଧାରଣ ବିଜ୍ଞାନରେ ସୀମିତ ନ ରହି ଅଣୁବୀୟ ଜୀବବିଜ୍ଞାନ, ଅନୁବଂଶିକ ବିଜ୍ଞାନ, ଜୈବ ବିଜ୍ଞାନ ଆଦି କ୍ଷେତ୍ରରେ ବ୍ୟାପକତା ଲାଭ କରିଛି ସେ ଦିଗରେ ଆଲୋକପାତ କରିଥିଲେ ଏବଂ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ତଥା ଲୁପ୍ତ ପ୍ରଜାତି ପୁନରୁଦ୍ଧାର ପାଇଁ ଉଦ୍ଭିଦ ବିଜ୍ଞାନର ଭୁମିକାର ଜୟଗାନ କରିଥିଲେ । ପୁନେସ୍ଥିତ ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରୋପିକାଲ୍‌ ମେଟ୍ରୋଲୋଜିର ପ୍ରୋଜେକ୍ଟ୍ ଡାଇରେକ୍ଟର ତଥା ଭଟ୍ଟନାଗର ପୁରସ୍କାର ବିଜେତା ଡ. ଗୁଫ୍ରାନ୍‌ ବେଗ୍‌ ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇ ସବୁଜ କୌଶଳ ପ୍ରୟୋଗ ଓ ଉର୍ଦ୍ଧ୍ୱଧାର ବଗିଚାକରଣ କିପରି ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିବ ସେ ଦିଗରେ ନିଜର ବକ୍ତବ୍ୟ ରଖିଥିଲେ । ଆବାହକ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଉମାବଲ୍ଲଭ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ, ପରିଷଦର ସଂପାଦକ ଡ. ଚିନ୍ମୟ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ଅଧିବେଶନର କାର୍ଯ୍ୟକାରୀ ସଂପାଦକ ଉଦ୍ଭିଦ ବିଜ୍ଞାନ ବିଭାଗ ପ୍ରଫେସର ଅନୀଲ କୁମାର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।

ପରିଷଦ ତରଫରୁ ଖଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ରଙ୍କୁ ‘ପ୍ଲାଣ୍ଟ ଫିଜିଓଲୋଜି’ କ୍ଷେତ୍ରରେ ପାରଦର୍ଶିତା ପାଇଁ ପ୍ରଫେସର ଗଙ୍ଗାଧର ମିଶ୍ର ମେମୋରିଆଲ ପୁରସ୍କାର, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଜୈବପ୍ରଯୁକ୍ତି ବିଜ୍ଞାନ ବିଭାଗ ପ୍ରଫେସର ହୃଦୟନାଥ ଥାଟୋଇଙ୍କୁ ମାଇକ୍ରୋବାୟୋଲଜିରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଫେସର ହରିହର ପଟ୍ଟନାୟକ ମେମୋରିଆଲ ପୁରସ୍କାର, ଓୟୁଏଟି ପ୍ରଫେସର ଜ୍ଞାନ ରଞ୍ଜନ ରାଉତଙ୍କୁ ଜୈବ ବିବିଧତା ସଂରକ୍ଷଣ ପାଇଁ ଡ. ମପୁରି ବ୍ରହ୍ମମ୍‌ ମେମୋରିଆଲ ପୁରସ୍କାର, ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ସହଯୋଗୀ ପ୍ରଫେସର ଡ. ଅଭୟ କୁମାର ଦଳାଇଙ୍କୁ ଉଦ୍ଭିଦ ବିଜ୍ଞାନରେ ଶ୍ରେଷ୍ଠ ଶିକ୍ଷକ ପାଇଁ ଭଗବତୀ ମିଶ୍ର ମେମୋରିଆଲ ପୁରସ୍କାର, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଅବସରପ୍ରାପ୍ତ ଉଦ୍ଭିଦ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଶାନ୍ତିଲତା ସାହୁଙ୍କୁ ‘କଲେଜ ଅଫ୍‌ ବେସିକ୍‌ ସାଇନ୍ସ ଏଣ୍ଡ ହ୍ୟୁମାନିଟିସ୍‌, ଓୟୁଏଟି’ ପୁରସ୍କାର, ଫକୀର ମୋହନ କଲେଜର ଅବସରପ୍ରାପ୍ତ ସହଯୋଗୀ ପ୍ରଫେସର ବିଜୟଲକ୍ଷ୍ମୀ ଶରଣ (ଦାଶ)ଙ୍କୁ ଓଡ଼ିଶାରେ ଉଦ୍ଭିଦ ବିଜ୍ଞାନକୁ ଲୋକପ୍ରିୟ କରିବାର ପ୍ରଚେଷ୍ଟା ସ୍ୱରୁପ ମହେଶ ପ୍ରସାଦ ପୁରୋହିତ ମେମୋରିଆଲ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ଓଡ଼ିଶା ଉଦ୍ଭିଦ ବିଜ୍ଞାନ ପରିଷଦର ବିଜ୍ଞାନ ପତ୍ରିକା ‘ପ୍ଲାଣ୍ଟ ସାଇନ୍ସ ରିସର୍ଚ୍ଚ’ ଓ ଜାତୀୟ ଆଲୋଚନା ଚକ୍ରର ଗବେଷଣା ସମ୍ବଳିତ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଏତଦ୍ବ୍ୟତୀତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ସୁଦାମ ଚରଣ ସାହୁ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗବେଷିକା ଶୁଭଶ୍ରୀ ପଟ୍ଟନାୟକ ଓ ସିଏସ୍‌ଆଇଆର୍‌-ଆଇଏମ୍‌ଏମ୍‌ଟି ଭୁବନେଶ୍ୱର ମୁଖ୍ୟ ବୈଜ୍ଞାନିକ ଡ. ନବୀନ କୁମାର ଧଳଙ୍କ ମିଳିତ ଭାବେ ରଚିତ ପୁସ୍ତକ ‘ଟ୍ରିଜ୍‌ ଅଫ ଚନ୍ଦକା ୱାଇଲ୍ଡ ଲାଇଫ୍‌ ସାଙ୍କଚୁଆରି’ ଲୋକାର୍ପିତ ହୋଇଥିଲା । ଏହି ଅଧିବେଶନରେ ଦେଶର ବିଭିନ୍ନ ଶିକ୍ଷା ଓ ଗବେଷଣା ଅନୁଷ୍ଠାନରୁ ପ୍ରାୟ ୬୦୦ ଜଣ ଲବ୍‌ଧପ୍ରତିଷ୍ଠିତ ବୈଜ୍ଞାନିକ, ଗବେଷକ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ପ୍ରାକ୍ତନ ପ୍ରଫେସର ଅକ୍ଷୟ କୁମାର ବସ୍ତିଆ, ସହକାରୀ ପ୍ରଫେସର ଡ. କମଳ ଲୋଚନ ବାରିକ, ଡ. ସୁଦାମଚରଣ ସାହୁ, ଡ. ବିଷ୍ଣପ୍ରିୟା ହାଁସଦା, ପ୍ରାଣୀ ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ଡ. ପୁଷ୍ପାଞ୍ଜଳି ପରିଡ଼ା ଓ ଅଧ୍ୟାପିକା କୁକୁ ମହାପାତ୍ର ପରିଚାଳନା କରିଥିଲେ । କାର୍ଯକ୍ରମରେ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ, ପ୍ରାଣୀ ବିଜ୍ଞାନ, ଜୈବପ୍ରଯୁକ୍ତି ବିଜ୍ଞାନ ବିଭାଗ, ନୃତତ୍ତ୍ୱ ଓ ଜନଜାତି ବିଭାଗ, ବନ୍ୟପ୍ରାଣୀ ଓ ଜୈବ ବିବିଧତା ସଂରକ୍ଷଣ, ଆରଏସ୍‌ଜିଆଇଏସ୍‌ ବିଭାଗ ସହିତ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଗଣ ତଥା କର୍ମକର୍ତ୍ତାଗଣ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର