ସହିଦଙ୍କୁ ଶ୍ରଦ୍ଧାଞ୍ଜଳି : ଦେଶବ୍ୟାପୀ ଦୋକାନ ବଜାର ବନ୍ଦ

ରାଜ୍ୟରେ ୧୦୦୦ କୋଟିର କାରବାର ଠପ୍

ଭୁବନେଶ୍ବର : ପୁଲୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ଦେଶବ୍ୟାପୀ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା। ଭାରତୀୟ ବ୍ୟବସାୟୀ ମହାସଂଘର ଏହି ବନ୍ଦ ଡାକରାରେ ଖୁଚୁରାଠାରୁ ଆରମ୍ଭ କରି ପାଇକାରୀ ବ୍ୟବସାୟୀମାନେ ସାମିଲ ହୋଇଥିଲେ। ସମଗ୍ର ଦେଶର ପ୍ରାୟ ୭ କୋଟି ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା।

ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ବଡ଼ ବଡ଼ ମହାନଗରୀ ସମେତ ଦେଶର ସବୁ ରାଜ୍ୟର ବ୍ୟବସାୟୀମାନେ ଏହି ବନ୍ଦରେ ଭାଗ ନେଇଛନ୍ତି। ଓଡ଼ିଶା ବ୍ୟବସାୟୀ ମହାସଂଘ ମଧ୍ୟ ବନ୍ଦକୁ ସମର୍ଥନ ଜଣାଇଛି। ରାଜଧାନୀ ଭୁବନେଶ୍ବର ସମେତ କଟକ, ବହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ବର ସହର ସମେତ ଗ୍ରାମାଞ୍ଚଳରେ ମଧ୍ୟ ଦୋକାନ ବଜାର ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ହୋଇଥିଲା। ରାଜ୍ୟରେ ପ୍ରାୟ ୨୦ ଲକ୍ଷ ବ୍ୟବସାୟୀ ଏହି ବନ୍ଦରେ ସାମିଲ ହୋଇଥିଲେ। ଏଥିଯୋଗୁ ରାଜ୍ୟରେ ପ୍ରାୟ ୧୦୦୦ କୋଟି ଟଙ୍କାର କାରବାର ବାଧାପ୍ରାପ୍ତ ହୋଇଛି। ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡ଼ିକୁ ଏହି ବନ୍ଦରୁ ବ୍ୟବସାୟୀ ମହାସଂଘ ବାଦ୍ ଦେଇଥିଲେ ମଧ୍ୟ ଏହାକୁ ନୈତିକ ସମର୍ଥନ ଜଣାଇ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ତେଲ ଟାଙ୍କି ଗୁଡ଼ିକୁ ବନ୍ଦ ରଖିଥିଲେ। କେତେକ ରାଜ୍ୟରେ ବ୍ୟବସାୟୀମାନେ ଉପବାସରେ ରହିଥିଲେ। ବନ୍ଦ ପରେ ଆଜି ସଂଧ୍ୟାରେ ଓଡ଼ିଶା ବ୍ୟବସାୟୀ ମହାସଂଘର ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରୁ ଏକ ମହମବତି ଶୋଭାଯାତ୍ରା ବାହାରିଥିଲା। ବ୍ୟବସାୟୀମାନେ ଏହି ଶୋଭାଯାତ୍ରାରେ ରାଜଭବନ ଛକସ୍ଥିତ ମଧୁବାବୁଙ୍କ ପ୍ରତିମୂର୍ତି ପର୍ଯ୍ୟନ୍ତ ଯାଇଥିଲେ।

ଖବର ମିିଳିଛି ଯେ ସହିଦ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ନେଇ ସର୍ବ ଭାରତୀୟ ସ୍ତରରେ ବ୍ୟବସାୟୀ ମହାସଂଘର କର୍ମକର୍ତାମାନେ ଆଲୋଚନା କରୁଛନ୍ତି। ଏହା ଉପରେ ମଧ୍ୟ ଓଡ଼ିଶା ବ୍ୟବସାୟୀ ମହାସଂଘ ଆଗାମୀ ଦିନରେ ଆଲୋଚନା କରିବ ବୋଲି ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଔଷଧ ଦୋକାନ ଏବଂ ପେଟ୍ରୋଲ ପମ୍ପକୁ ଏହି ବନ୍ଦରୁ ବ୍ୟବସାୟ ମହାସଂଘ ବାଦ୍ ଦେଇଥିଲା। ଦେଶର ଅନ୍ୟ କୌଣସି ରାଜ୍ୟରେ ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ ନ ଥିଲେ ମଧ୍ୟ ଓଡ଼ିଶାର ପେଟ୍ରୋଲ ପମ୍ପ ଗୁଡ଼ିକ ଏଥିରେ ସାମିଲ ହୋଇଥିଲେ। ନୈତିକ ସମର୍ଥନ ଜଣାଇ ୮ ଘଣ୍ଟା ପାଇଁ ତେଲ ଟାଙ୍କି ଗୁଡ଼ିକ ବନ୍ଦ ରହିଥିଲା ବୋଲି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଂଜୟ ଲାଠ କହିଛନ୍ତି। ରାଜ୍ୟରେ ଥିବା ୧୬୩୦ଟି ପେଟ୍ରୋଲ ପମ୍ପ ଏହି ବନ୍ଦରେ ଭାଗ ନେଇଥିଲେ। ଏଥିଯୋଗୁ ରାଜ୍ୟରେ ପ୍ରାୟ ୨୦ କୋଟି ଟଙ୍କାର ପେଟ୍ରୋଲ, ଡିଜେଲ ( ୫ କୋଟିର ପେଟ୍ରୋଲ ଏବଂ ୧୫ କୋଟିର ଡିଜେଲ) ବିକ୍ରି ବାଧାପ୍ରାପ୍ତ ହୋଇଛି ବୋଲି ଶ୍ରୀ ଲାଠ କହିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ‘ଭାରତ କେ ବୀର୍‌’ ଆକାଉଣ୍ଟକୁ ପ୍ରତ୍ୟେକ ପେଟ୍ରୋଲ ପମ୍ପ ଅତିକମ୍‌ରେ ୧୦୦୦ ଟଙ୍କା ଲେଖାଏଁ ଦାନ କରିବା ଲାଗି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ବୋଲି ଶ୍ରୀ ଲାଠ୍ କହିଛନ୍ତି। ଓଡ଼ିଶାର ଟାୟାର ବ୍ୟବସାୟୀ ସଂଘ ମଧ୍ୟ ଏହି ବନ୍ଦକୁ ସମର୍ଥନ ଜଣାଇ ସୋ’ରୁମ୍ ଗୁଡ଼ିକୁ ବନ୍ଦ ରଖିଥିଲେ ବୋଲି ନିଖିଳ ଓଡ଼ିଶା ଟାୟାର ଡିଲର ସଂଘର ସାଧାରଣ ସମ୍ପାଦକ ବିପିନ ପଣ୍ଡା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର