ଖୋର୍ଦ୍ଧା ଜିଲ୍ଲାରେ ବଢ଼ୁଛି ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଗାଁ ସଂଖ୍ୟା

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ଗତ ୮ ବର୍ଷ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ମକ୍‌ଡ୍ରିଲ୍, ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣରେ ସୀମିତ ରହିଥିବା ବେଳେ ବନ୍ୟା, ବାତ୍ୟା, ମରୁଡ଼ି, ବଜ୍ରପାତ, ବିଷାକ୍ତ ସାପ କାମୁଡ଼ାର ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ନିକଟରେ ଯାଇଥିବା ଫନି ବାତ୍ୟା ପ୍ରଶାସନର ବିଫଳତାକୁ ସଂପୂର୍ଣ୍ଣ ରୂପେ ପଦାରେ ପକାଇଦେଇଥିବା ବେଳେ ଗତ ୩ ବର୍ଷର ଜିଲ୍ଲା ପାଇଁ ପ୍ରସ୍ତୁତ ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଯୋଜନାର ପରିସଂଖ୍ୟାନ ଓ ତଥ୍ୟକୁ ଅନୁଶୀଳନ କଲେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ପ୍ରଶାସନ ବିଫଳ ହୋଇଥିବା ସ୍ପଷ୍ଟ ହେଉଛି।

Telegraph India

ଜିଲ୍ଳା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଯୋଜନା ୨୦୧୯ର ତଥ୍ୟାନୁସାରେ, ଖୋର୍ଦ୍ଧା ଜିଲ୍ଲାର ୧୫୫୨ ଗାଁ ମଧ୍ୟରୁ ୬୨ଟି ଗାଁକୁ ବଜ୍ରପାତ, ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ଭାବେ ଚିହ୍ନଟ କରାଯାଇଛି। ୨୦୧୭ରେ ଏହି ସଂଖ୍ୟା ୪୦ ଥିବା ବେଳେ ୨୦୧୮ରେ ଏହା ବୃଦ୍ଧି ପାଇ ୫୧ରେ ପହଞ୍ଚିଛି। ପରିସଂଖ୍ୟାନ ଅନୁସାରେ, ୨୦୧୧ ଠାରୁ ଖୋର୍ଦ୍ଧା ଜିଲ୍ଲାରେ ଲଗାଣ ବର୍ଷା ଜନିତ ବନ୍ୟା କ୍ରମାଗତ ଭାବେ ଘଟିଛି। ୨୦୧୧ ଠାରୁ ୨୦୧୯ ମଧ୍ୟରେ ବନ୍ୟା ଓ ବାତ୍ୟାରେ ୧୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବନ୍ୟାବେଳେ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁମୁଖରେ ପଡୁଥିବା ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୧୧ ଓ ୨୦୧୨ରେ ବିଷାକ୍ତ ସାପ କାମୁଡ଼ାରେ କାହାରି ମୃତ୍ୟୁ ଘଟିନଥିବା ବେଳେ ୨୦୧୩ରେ ଜଣକର ମୃତ୍ୟୁ ଘଟିଥିଲା, ୨୦୧୪ରେ ୩, ୨୦୧୫ରେ ୬, ୨୦୧୬ରେ ୧୦, ୨୦୧୭ରେ ୨୭ ଓ ୨୦୧୮ରେ ୩୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୯ ଅଗଷ୍ଟ ସୁଦ୍ଧା ୪ଜଣଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି।

ଖୋର୍ଦ୍ଧାର ବାଲିପାଟଣା, ଚିଲିକା, ଖୋର୍ଦ୍ଧା ବ୍ଲକର ୨ଟି ପଂଚାୟତ, ବେଗୁନିଆର ଗୋଟିଏ ପଂଚାୟତ ନିୟମିତ ଭାବେ ବନ୍ୟାପ୍ରବଣ ତାଲିକାରେ ରହିଛି। ତେବେ ବନ୍ୟା ନିୟନ୍ତ୍ରଣ କରିବାକୁ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଉଦ୍ୟମ ହେଉନାହିଁ। ଖୋର୍ଦ୍ଧା ବ୍ଲକର ଓରବରସିଂହ, ନରଣଗଡ଼ ଆଦି ପଂଚାୟତର ୧୪ଟି ଗାଁ ଧାନୁଆ ଓ ରାଜୁଆ ନଦୀର ବନ୍ୟାରେ ପ୍ରତିବର୍ଷ କ୍ଷତିଗ୍ରସ୍ତ ହେଉଥିବା ବେଳେ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ଧାନୁଆ ନଦୀରେ ବ୍ୟାରେଜ୍ ନିର୍ମାଣ କରିବା ପ୍ରସ୍ତାବ ଗତ ଦଶନ୍ଧି ଧରି ଅଟକି ରହିଛି। ଜିଲ୍ଲାପାଇଁ ବଜ୍ରପାତ ସବୁଠାରୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ଭାବେ ଉଭା ହୋଇଛି ଏବଂ ବଜ୍ରପାତ ସଂଖ୍ୟା ଓ ତଦ୍‌ଜନିତ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇଛି। ୨୦୧୧ରୁ ୨୦୧୯ ମଧ୍ୟରେ ୧୦୮ଜଣଙ୍କ ବଜ୍ରାଘାତରେ ମୃତ୍ୟୁ ଘଟିଛି। ୨୦୧୧ରେ ୧୫, ୨୦୧୨ରେ ୯, ୨୦୧୩ରେ ୧୧, ୨୦୧୪ରେ ୯, ୨୦୧୫ରେ ୧୧, ୨୦୧୬ରେ ୧୯, ୨୦୧୭ରେ ୧୬, ୨୦୧୮ରେ ୧୫ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୧୯ରେ ବର୍ତମାନ ସୁଦ୍ଧା ୬ଜଣଙ୍କ ମୃତ୍ୟୁ ଘଟିଛି। ଯଦିଓ ଜିଲ୍ଲାରେ ଅଗ୍ନିକାଣ୍ତରେ ଧନ ଜୀବନ ନଷ୍ଟ ହେବା ପରିମାଣ ଆପାତତଃ ହ୍ରାସ ପାଇଛି, ତଥାପି ଗତ ୮ ବର୍ଷ ମଧ୍ୟରେ ଅଗ୍ନିକାଣ୍ତରେ ୩୫ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ନଦୀ, ଜଳାଶୟରେ ବୁଡ଼ି ମୃତ୍ୟୁ ମୁଖରେ ଗତ ୮ ବର୍ଷ ମଧ୍ୟରେ ୫୦ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ଗ୍ରୀଷ୍ମ ପ୍ରବାହରେ ୮ ବର୍ଷ ମଧ୍ୟରେ ୧୩ଜଣଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର