ନୟାଗଡ଼ : ନୟାଗଡ଼ ଜିଲ୍ଲାର ବିଶିଷ୍ଟ ଶିକ୍ଷକ, ନାଟ୍ୟ ନିର୍ଦ୍ଦେଶକ ତଥା ଲେଖକ ଫକୀର ଚରଣ ପଟ୍ଟନାୟକ(୯୨)ଙ୍କ ପରଲୋକ ହୋଇଯାଇଛି। ସେ କିଛି ବର୍ଷ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଗୁରୁବାର ରାତି ପ୍ରାୟ ୨ଟାରେ ନୟାଗଡ଼ ପୁରୁଣା ସହରସ୍ଥିତ ଦକ୍ଷିଣକାଳୀ ମନ୍ଦିର ନିକଟରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାର ଶିକ୍ଷାପ୍ରେମୀ ତଥା ସାଧାରଣରେ ଶୋକର ଛାୟା ଖେଳିଯାଇଛି।
ନୟାଗଡ଼ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ଭାବେ ସେ ବେଶ୍ ପରିଚିତ ଥିଲେ। ଇଂରାଜୀ ଓ ସାହିତ୍ୟ ବିଷୟରେ ଶିକ୍ଷାଦାନ କରୁଥିବା ଫକୀରଚରଣଙ୍କ ବହୁ ଛାତ୍ର ରାଜ୍ୟ ସମେତ ଦେଶବିଦେଶରେ ପ୍ରତିଷ୍ଠା ଲାଭ କରିଛନ୍ତି। ଶିକ୍ଷକତା ଜୀବନରେ ସେ କାର୍ଯ୍ୟ କରିଥିବା ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ଆଣିବା ସହିତ ତାଙ୍କ ଭଳି ଶିକ୍ଷକ ବିରଳ ବୋଲି ବହୁ ଛାତ୍ରଛାତ୍ରୀ କହିଛନ୍ତି।
୧୯୨୮ ମସିହାରେ ନୟାଗଡ଼ ପୁରୁଣାସହରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଟ୍ଟନାୟକ ୧୯୫୦ ମସିହାରେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। କୋରାପୁଟ ହାଇସ୍କୁଲ୍ ଓ ଖଣ୍ଡପଡ଼ା ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରିଥିବା ଶ୍ରୀ ପଟ୍ଟନାୟକ ନୟାଗଡ଼ ଇଟାମାଟି ହାଇସ୍କୁଲ, ଜଟଣୀ ହାଇସ୍କୁଲ, ଦଶପଲ୍ଲା ହାଇସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ। ୧୯୮୬ ମସିହାରେ ନୟାଗଡ଼ର ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ। ୧୯୪୬ ମସିହାରେ ଗଠନ କରାଯାଇଥିବା ନୟାଗଡ଼ ସହରର ‘ଯୁବ ନାଟ୍ୟ ସଂଘ’ ଜରିଆରେ ଫକୀରଚରଣ ତାଙ୍କ ଯୁବାବସ୍ଥାରେ ନାଟକ ଭାତ, ମୂଲିଆ, ଜହର, ଘରସଂସାର, ପହିଲି ରଜ ଆଦିରେ ଅଂଶଗ୍ରହଣ କରିଥିଲେ। କାରୁଣ୍ୟ ଥିବା ଚରିତ୍ରରେ ଅଭିନୟ କରିବାକୁ ଭଲ ପାଉଥିବା ଫକୀରଚରଣ ‘ମୂଲିଆ’ ନାଟକରେ ଅଭିନୟ କରି ବେଶ୍ ଆତ୍ମସନ୍ତୋଷ ପାଇଥିବା ‘ସମ୍ବାଦ’ରେ ପ୍ରକାଶିତ ଏକ ସାକ୍ଷାତକାରରେ କହିଥିଲେ। କେବଳ ଅଭିନୟ ନୁହେଁ, ଫକୀରଚରଣ ନାଟ୍ୟ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ। ବିଜୟ ମିଶ୍ରଙ୍କ ରଚିତ ନାଟକ ‘ଜନନୀ’ରେ ଶ୍ରୀ ପଟ୍ଟନାୟକ ନିର୍ଦ୍ଦେଶନା ଦେବା ସହିତ ନୟାଗଡ଼ ବାହାରେ ମଧ୍ୟ ମଞ୍ଚସ୍ଥ ହେଉଥିବା ବହୁ ନାଟକର ନିର୍ଦ୍ଦେଶନା ଦେଇଥିଲେ। ନାଟକ ସହିତ ସାହିତ୍ୟ କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ୍ ଅବଦାନ ରହିଛି। ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଲିଖିତ ତାଙ୍କର ବହୁ ପ୍ରବନ୍ଧ ଓ କବିତା ବିଭିନ୍ନ ପତ୍ରପତ୍ରିକାରେ ପକାଶ ପାଇଛି। ରାଜା କୃଷ୍ଣଚନ୍ଦ୍ରଙ୍କ ପୃଷ୍ଠପୋଷକତାରେ ପ୍ରକାଶିତ ହେଉଥିବା ‘ଜ୍ୟୋତ୍ସ୍ନା’ ପତ୍ରିକା ଏକଦା ସେ ସମ୍ପାଦନା କରୁଥିଲେ। ସ୍ବାଧୀନତା ପୂର୍ବରୁ ପ୍ରକାଶ ପାଉଥିବା ଉକ୍ତ ପତ୍ରିକାରେ ସେ ସମୟରେ ରାଜ୍ୟର ବହୁ ବିଶିଷ୍ଟ ଲେଖକଙ୍କ ସମେତ ପ୍ରବାସୀ ଓଡ଼ିଆଙ୍କ ଲେଖା ମଧ୍ୟ ପ୍ରକାଶିତ ହେଉଥିଲା।
ନୟାଗଡ଼ ସହରରେ ହେଉଥିବା ଶବ୍ଦ ପ୍ରଦୂଷଣ ବନ୍ଦ କରିବାକୁ ସେ ବିଭିନ୍ନ ଖବରକାଗଜରେ ବାରମ୍ବାର ସ୍ତମ୍ଭ ଲେଖିଥିଲେ। ତାଙ୍କ ଲେଖାର ପ୍ରଭାବରେ ନୟାଗଡ଼ରେ ଶବ୍ଦ ପ୍ରଦୂଷଣକୁ ପ୍ରଶାସନ ନିୟନ୍ତ୍ରଣ କରିଥିଲା। ଈଶ୍ବର ବିଶ୍ବାସୀ ଥିବା ଫକୀରଚରଣ ମହାପ୍ରଭୁ ଜଗନ୍ନାଥଙ୍କୁ ନିଜର ପ୍ରେରଣା ଭାବେ ଗ୍ରହଣ କରିଥିଲେ। ତାଙ୍କ ଧର୍ମପତ୍ନୀ ରାସମଣି ପଟ୍ଟନାୟକଙ୍କ କିଛି ବର୍ଷ ପୂର୍ବେ ପରଲୋକ ହୋଇଯାଇଥିଲା। ସ୍ବର୍ଗତ ପଟ୍ଟନାୟକଙ୍କ ଚାରି ଝିଅ ଓ ଏକମାତ୍ର ପୁତ୍ର ସନ୍ଦୀପ ପଟ୍ଟନାୟକ ମଧ୍ୟ ନିଜ କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ। ବାଙ୍ଗାଲୋର୍ସ୍ଥିତ ‘ହାଲ୍’ରେ ସନ୍ଦୀପ ଜେନେରାଲ୍ ମ୍ୟାନେଜର୍ ଥିବା ବେଳେ, କନ୍ୟା ରଞ୍ଜନା ପଟ୍ଟନାୟକ, ଅନିତା ପଟ୍ଟନାୟକ, ମଧୁଲିତା ପଟ୍ଟନାୟକ ଅଧ୍ୟାପିକା ଅଛନ୍ତି। କନ୍ୟା ମୋନାଲିସା ପଟ୍ଟନାୟକ ଫିଜିଓଥେରାପି ଡାକ୍ତର। ପୁତ୍ରବଧୂ ଲିତା ମହାନ୍ତି ବାଙ୍ଗାଲୋର୍ରେ ଏକ ଇଂରାଜୀ ମାଧ୍ୟମ ସ୍କୁଲ୍ରେ ଶିକ୍ଷୟିତ୍ରୀ ଅଛନ୍ତି। ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ସଂପର୍କରେ ଫକୀରଚରଣଙ୍କ ଶାଳକ ଅଟନ୍ତି।
ଆଜି ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ସନ୍ଦୀପ ମୁଖାଗ୍ନି ଦେଇଥିଲେ। ଜାମାତା ଭବାଶିଷ ଦାସ, ସନତ ପଟ୍ଟନାୟକ, ପତିତପାବନ ମହାନ୍ତିଙ୍କ ସମେତ ବିଶିଷ୍ଟ ଶିଳ୍ପପତି ତାରାରଞ୍ଜନ ପଟ୍ଟନାୟକ, ସୁରଞ୍ଜନ ପଟ୍ଟନାୟକ, ହରିରଞ୍ଜନ ପଟ୍ଟନାୟକ, ଜ୍ଞାନରଞ୍ଜନ ପଟ୍ଟନାୟକ, ଡ. ବରେନ୍ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ରଣଜିତ ଦାଶ, ଇଟାମାଟି ଶିକ୍ଷା ଓ ବୈଷୟିକ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ସମେତ ବହୁ ଅନୁଷ୍ଠାନ, ବ୍ୟକ୍ତିବିଶେଷ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/fakir-charan-patnaik.jpg)