ବିଶିଷ୍ଟ ନାଟ୍ୟକାର କାର୍ତ୍ତିକ ରଥଙ୍କ ପରଲୋକ

କଟକ : ଅନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ନାଟ୍ୟକାର, ନିର୍ଦ୍ଦେଶକ ତଥା ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ରଥ ଆଉ ନାହାନ୍ତି। ଆଜି ଶେଖ ବଜାର, ବାନା ବଗିଚାସ୍ଥିତ ବାସଭବନରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ଶେଷ ଶଯ୍ୟା ନିକଟରେ ଏକ ମାତ୍ର ପୁତ୍ର ଶିଳାଦିତ୍ୟ ରଥ, ଝିଅ ଅନୁରୂପା ରଥ ଓ ଅନୁରାଧା ରଥଙ୍କ ସହିତ ଭାଣିଜୀ ଅଭିପ୍‌ସା ଦାଶ ଓ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ପାଇଁ ବାନା ବଗିଚା ସ୍ଥିତ ବାସ ଭବନକୁ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସ୍ବର୍ଗତ ରଥ ଜଣେ ଖ୍ୟାତନାମା ନାଟ୍ୟ ନିର୍ଦ୍ଦେଶକ ଭାବେ ଶତାଧିକ ଓଡ଼ିଆ ଓ ହିନ୍ଦୀ ନାଟକର ସଫଳ ନିର୍ଦ୍ଦେଶନା ଦେଇ ରାଜ୍ୟ ତଥା ସର୍ବଭାରତୀୟ ସ୍ତରରେ ବହୁବାର ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି। ୧୯୪୯ରେ ସେ ବ୍ରହ୍ମପୁର ଠାରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୬ରେ ରେଭେନ୍ସା କଲିଜିଏଟ୍‌ ସ୍କୁଲରେ ପାଠ ଶେଷ କରିବା ପରେ ୧୯୭୧ ରେଭେନ୍ସା କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ଲାଭ କରିଥିଲେ। ସ୍ବର୍ଗତ ରଥ ରାଜା ବଗିଚାସ୍ଥିତ ନେତାଜୀ ସୁଭାଷ ମେମୋରିଆଲ୍‌ ସିଟି କଲେଜରେ ଅର୍ଥନୀତି ବିଭାଗ‌ର ମୁଖ୍ୟ ଅଧ୍ୟାପକ ଭାବେ କାମ କରିଥିଲେ। ସ୍ବର୍ଗତ ରଥ ରେଭେନ୍ସା କଲେଜ ନାଟ୍ୟ ସଂସଦର ନାଟ୍ୟ ସଂପାଦକ, ଓଡ଼ିଆ ଯୁବ ଲେଖକ ସମ୍ମେଳନର ସଭାପତି, ଉତ୍କଳ ବିଶ୍ବବିଦ୍ୟାଳୟ ନୃତ୍ୟ, ନାଟକ ଓ ସଂଗୀତ ପାଠ୍ୟକ୍ରମ ବୋର୍ଡର ସଦସ୍ୟ, ସର୍ବଭାରତୀୟ ଚଳଚ୍ଚିତ୍ର କର୍ମଚାରୀ ସଂଗଠନର ସଦସ୍ୟ, ଏନ୍‌ଆଇପିଏ ଓ ଏଆଇଟିଏର ସଦସ୍ୟ, ଜିଲ୍ଲା ସାଂସ୍କୃତିକ ପରିଷଦର ସଂଯୋଜକ ପରି ଅନେକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ତୁଲାଇଥିଲେ। ସ୍ବର୍ଗତ ରଥଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରେ‌ଷ୍ଠ ନାଟ୍ୟକାର, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ନୀଳଶୈଳ ଓ ଉତ୍କଳ ସାହିତ୍ୟ ସମାଜ ସଂଗଠନ ପକ୍ଷରୁ ସମ୍ମାନିତ କରିଯିବା ସହ କଳା ବିକାଶ କେନ୍ଦ୍ର ପକ୍ଷରୁ ‘ଶିଶୁ ମଞ୍ଜରୀ’, ଜୀବନରଙ୍ଗ, ପ୍ରଜାତନ୍ତ୍ର ପକ୍ଷରୁ ବିଷୁବ ମିଳନ ଓ ଝଙ୍କାର ପୁରସ୍କାର, ଗଣକବି ବୈଷ୍ଣବପାଣି, ଆଦି ନାଟ୍ୟକାର ପୁରସ୍କାର ପରି ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ବର୍ଗତ ରଥ ଈଶ୍ବରୀ, ଅଗ୍ନି-ସମ୍ଭବା, ଆକାଶ କେତେ ଅନନ୍ତ ସତେ, ତରଙ୍ଗ, ପାଦ ତଳର ଆକାଶ, ରକ୍ତର ଫୁଲ ପରି ଶହେରୁ ଅଧିକ ନାଟିକା ଓ ଏକାଙ୍କିକା ଲେଖିବା ସହ ଏହାର ନିର୍ଦ୍ଦେଶନା ଦେଇଥିଲେ। ସ୍ବର୍ଗତ ରଥଙ୍କ ମରଶରୀରକୁ କଳା ବିକାଶ କେନ୍ଦ୍ର, ସାରଳା ଭବନ, ଗୋପବନ୍ଧୁ ଭବନ, ନିଖିଳ ଉତ୍କଳ କଳା ନିକେତନ, ଉତ୍କଳ ସାହିତ୍ୟ ସମାଜ, ନେତାଜୀ ସିଟି କଲେଜ ପ୍ରମୁଖ ସ୍ଥାନକୁ ନିଆଯାଇଥିଲା।

ସ୍ବର୍ଗତ ରଥଙ୍କ ବିୟୋଗରେ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ଡିଜି ପ୍ରକାଶ ମିଶ୍ର, ପୂର୍ବତନ ମନ୍ତ୍ରୀ ସମୀର ଦେ‌, ଇଂଜିନିୟର ମହମ୍ମଦ ମୋକିମ, କେନ୍ଦ୍ର ସାହିତ୍ୟ ଏକାଡେମିର ଓଡ଼ିଆ ଉପଦେଷ୍ଠା ମଣ୍ଡଳୀ ଆବାହକ ତଥା ଉତ୍କଳ ସାହିତ୍ୟ ସମାଜ ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, ସଂପାଦକ ଗୋବିନ୍ଦ ଚାନ୍ଦ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ନମିତା ପଣ୍ଡା, ହୁସେନ ରବି ଗାନ୍ଧୀ, ଆଶିଷ ଦାସ, ଅଧ୍ୟାପକ ସେକ୍‌ ସମ୍ମିଉଲ୍ଲା, ସୁବାସ ଚନ୍ଦ୍ର ମହାନ୍ତି, ପ୍ରଦୀପ ପରିଡା, ରଂଜନ କୁମାର ନାୟକ, ନାଟ୍ୟ ଗୁରୁ ମୀରା ଦାଶଙ୍କ ସମେତ ଅନେକ ନାଟକ, ଟିଭି, ଚଳଚ୍ଚିତ୍ର କଳାକାର ଓ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୁରୀ ସ୍ବର୍ଗଦ୍ବାର ଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଥିବା ବେଳେ ପୁଅ ଶିଳାଦିତ୍ୟ ମୁଖାଗ୍ନି ଦେଇଛନ୍ତି।

ସମ୍ବନ୍ଧିତ ଖବର