ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍  ଦାବିରେ ୮ରେ ରାଜଭବନ ଘେରାଉ କରିବ ନବ ନିର୍ମାଣ କୃଷକ ସଂଗଠନ

ଭୁବନେଶ୍ବର:  ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍  ଦାବିରେ ଆସନ୍ତା ୮ ତାରିଖ ଦିନ ରାଜଭବନ ଘେରାଉ କରିବ ନବ ନିର୍ମାଣ କୃଷକ ସଂଗଠନ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି  ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର  । ରାଜ୍ୟରେ ୩୬ଲକ୍ଷ ଚାଷୀଙ୍କ ପାଇଁ ମାସିକ ସହାୟକ ଭତ୍ତା ୫ହଜାର ଟଙ୍କା ଓ ସମ୍ମାନ ଦାବିକୁ ନେଇ ଗତ ନଭେମ୍ବର ୫ ତାରିଖରେ ରାଜଧାନୀରେ ମହାସମାବେଶ କରିବା ପାଇଁ ଆସିଥଲେ ଲକ୍ଷାଧିକ ଚାଷୀ । କିନ୍ତୁ ଏହି ମହାସମାବେଶକୁ ଭଣ୍ଡୁର କରିବା ପାଇଁ ରାଜ୍ୟ ସରକାର ଚକ୍ରାନ୍ତ କରିଥିଲେ ବୋଲି ସଂଗଠନ ଅଭିଯୋଗ କରିଛି । ତେବେ ଆସନ୍ତା ୮ ତାରିଖରେ ରାଜଭବନ ସମ୍ମୁଖରେ ହଜାର ହଜାର ଚାଷୀ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ଦେବେ ବୋଲି କହିଛନ୍ତି ସେ ।

ରାଜ୍ୟର ୩୬ଲକ୍ଷ ଚାଷୀଙ୍କ ପାଇଁ ମାସିକ ସହାୟକ ଭତ୍ତା ୫ହଜାର ଟଙ୍କା ଓ ସମ୍ମାନ ଦାବି ପୂରଣ ପାଇଁ ରାଜ୍ୟ ସରକାରଙ୍କୁ ୨୧ହଜାର ୬୦୦ କୋଟି ଟଙ୍କା ଆବଶ୍ୟକ । କିନ୍ତୁ ଏହି ବାବଦରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି, ବରଂ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ସମାଲୋଚନା କରିଛନ୍ତି ଅକ୍ଷୟ କୁମାର । ତେବେ କୃଷି ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବୃଦ୍ଧି, ପ୍ରତି ଚାଷୀ ପରିବାରକୁ ସେମାନଙ୍କ ନାର୍ଯ୍ୟ ଅଧିକାର ନମିଳିବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଚାଲିବ ବୋଲି କହିଛନ୍ତି ଚାଷୀ ସଂଗଠନ ନେତା ଅକ୍ଷୟ କୁମାର ।

ସେପଟେ କୃଷି ଓ କୃଷକଙ୍କ ସମସ୍ୟା ନେଇ ଆସନ୍ତା ୮ ତାରିଖରେ ବିଜେଡି ପାର୍ଲାମେଣ୍ଟ ଘେରାଉ କରିବ । ଅନ୍ୟପଟେ ବିଜେପି ମଧ୍ୟ ଚାଷୀଙ୍କ ପ୍ରସଙ୍ଗକୁ ମୁଦ୍ଦା କରି ସଚିବାଳୟ ଘେରାଉ କରିବାକୁ ନିଷ୍ପତ୍ତି ନେଇଛି । ତେବେ ବର୍ତ୍ତମାନ ଏଭଳି ଚାଷୀ ଆନ୍ଦୋଳନ ପ୍ରକୃତରେ କେତେ ଫଳପ୍ରଦ ହେବ ନା ପୁଣି ଚାଷୀ ପରିବାରକୁ ପୂର୍ବପରି ସମସ୍ୟାରେ ରହିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର