ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଲେ ନବୀନ : ଫସିଥିବା ଓଡ଼ିଆଙ୍କୁ ସାହାଯ୍ୟ କର, ସବୁ ଖର୍ଚ ଓଡ଼ିଶା ସରକାର ଦେବେ

ଭୁବନେଶ୍ବର : ୨୧ ଦିନ ଧରି ଲକ୍‌ଡାଉନ୍‌ ଯୋଗୁଁ ରାଜ୍ୟ ବାହାରକୁ ଯାଇ ଫସି ରହିଥିବା ଓଡ଼ିଆ ବ୍ୟକ୍ତିବିଶେଷ ରାଜ୍ୟକୁ ଫେରିବା ଲାଗି ବିଭିନ୍ନ ସୋସିଆଲ ମିଡିଆରେ ନିବେଦନ କରୁଛନ୍ତି। ଏ ନେଇ ଖବର ପ୍ରକାଶ ପାଇବା ପରେ ସରକାରୀ ତତ୍ପରତା ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି।

ନବୀନ ଅନୁରୋଧ କରିଛନ୍ତି ଯେ ଲକ୍‌ଡାଉନ ଯୋଗୁଁ ଅନ୍ୟ ରାଜ୍ୟରେ ଶହ ଶହ ଓଡ଼ିଆ ଲୋକ ଫସି ରହିଛନ୍ତି। ସେମାନଙ୍କ ମଧ୍ୟର କିଛି ଛାତ୍ର, ଶ୍ରମିକ, ତୀର୍ଥଯାତ୍ରୀ ରହିଛନ୍ତି। ବିଶେଷ କରି ଲକ୍‌ଡାଉନ୍‌ ପାଇଁ ଏହି ଓଡ଼ିଆମାନେ ବହୁ ହଇରାଣ ହେଉଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ଅନେକ ବହୁତ ଚାପରେ ବି ଅଛନ୍ତି। ମୁଁ ନିବେଦନ କରୁଛି ଯେ ଆପଣଙ୍କ ସରକାର ସୁରକ୍ଷା ଏବଂ ଖାଇବା ପିଇବା ଓ ଗୃହ ଯୋଗାଇବା ନେଇ ସହାୟତା ପ୍ରଦାନ କରିବେ। ଏ ବାବଦ ସମସ୍ତ ଅର୍ଥ ଓଡ଼ିଶା ସରକାର ଭରଣା କରିବେ। ଏ ସଂକ୍ରାନ୍ତରେ ନିଜ ନିଜର ଜିଲ୍ଲାପାଳମାନଙ୍କୁ ଜଣାଇ ଦେବା ଲାଗି ମୁଖ୍ୟମନ୍ତ୍ରୀମାନଙ୍କୁ ନବୀନ ଅନୁରୋଧ କରିଛନ୍ତି।

ନବୀନ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଫସି ରହିଥିବା ବାହାର ରାଜ୍ୟର ଲୋକଙ୍କୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ଭରଣପୋଷଣ ଯୋଗାଇ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ସେମାନଙ୍କ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ହିଁ ଅର୍ଥ ଖର୍ଚ୍ଚ ହେବ। ଓଡ଼ିଶାର ଗୃହ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୀବ ଚୋପ୍ରା ଓ ଆଇଜି ଅପରେସନ୍ ଅମିତାଭ ଠାକୁର ଯୋଗାଯୋଗରେ ରହିବେ। ଯଦି ଓଡ଼ିଶା ସରକାରଙ୍କର କୌଣସି ଅଧିକାରୀ ପଦକ୍ଷେପ ନ ନିଅନ୍ତି, ତେବେ ତାଙ୍କୁ ସିଧାସଳଖ ଜଣାଇବାକୁ ନବୀନ ଚିଠିରେ ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କୁ ଜଣାଇଛନ୍ତି। ମୁଁ ସବୁବେଳେ ଉପଲବ୍ଧ ଅଛି ବୋଲି ବି କହିଛନ୍ତି। ଏହା ଏବେ ସବୁଠାରୁ କଠିନ ସମୟ ଓ ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କଲେ ସମସ୍ୟାର ସମାଧାନ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର