ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ରାଜ୍ୟରେ ଚାଲିଥିବା ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । କିନ୍ତୁ ଏସବୁ ଗୁଜବର ସିଧାସଳଖ ମୁକାବିଲା କରିବାକୁ ଆଗେଇ ଆସିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ । ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କରେ ଗୁଜବ ପ୍ରସାର କରି ବୈଜୟନ୍ତ ନିଜକୁ ତାଙ୍କର ଏକ ରାଜନୈତିକ ବିକଳ୍ପ ଭାବରେ ଉପସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ନବୀନ ସିଧାସଳଖ ଅଭିଯୋଗ କରିଛନ୍ତି ।
ଗତ ବର୍ଷ ଦଳ ଛାଡିଥିବା ଆମର ଜଣେ ପୂର୍ବତନ ସାଂସଦ ନିଜର ବ୍ୟକ୍ତିଗତ ରାଜନୈତିକ ଅଭିଳାଷ ଚରିତାର୍ଥ ପାଇଁ ତାଙ୍କର ଖରାପ ସ୍ବାସ୍ଥ୍ୟ ସମ୍ପର୍କରେ କୁପ୍ରଚାର କରୁଛନ୍ତି ବୋଲି ଜାତୀୟ ଗଣମାଧ୍ୟମ ଏନଡିଟିଭିକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏନଡିଟିଭିର ବରିଷ୍ଠ ସାମ୍ବାଦିକ ଶ୍ରୀନିବାସନ ଜୈନ ଏସଂପର୍କରେ ଟ୍ବିଟ କରିଛନ୍ତି । ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ସଂପର୍କରେ ଏପରି ମନ୍ତବ୍ୟ ଦେଇଥିବା ଏନଡିଟିଭି ରିପୋର୍ଟରେ ସ୍ପଷ୍ଟ କରାଯାଇଛି।
That's just a ridiculous thing to say. Also, it's false.
It's very sad to see him descend into this paranoia about me.
I pray to Lord Jagannath to give him the good sense to reject such nonsensical conspiracy theories, and also bless him with continued good health ??? https://t.co/fzkzApwHu1
— Chowkidar Baijayant Jay Panda (@PandaJay) April 8, 2019
କିନ୍ତୁ ଏହାର ତୁରନ୍ତ ଜବାବ ରଖିଛନ୍ତି ବୈଜୟନ୍ତ । ଟ୍ବିଟ କରି ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ହାସ୍ୟାସ୍ପଦ ଓ ମିଥ୍ୟା । ମୋ ପ୍ରତି ଅବିଶ୍ବାସ ତାଙ୍କୁ ଏହି ସ୍ତରକୁ ନେଇଆସିଛି । ଭଗବାନ ଜଗନ୍ନାଥଙ୍କ ନିକଟରେ ମୁଁ ତାଙ୍କର ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି ଓ ଏହା ମଧ୍ୟ ପ୍ରାର୍ଥନା କରୁଛି ଯେ ଯେପରି ତାଙ୍କର ସଦବୁଦ୍ଧି ଉଦୟ ହେଉ ।
କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଏକ ବ୍ୟାୟାମ ଭିଡିଓ ବେଶ ଭାଇରାଲ ହୋଇଥିଲା । ଏଥିରେ ସେ ଯୋଗ ଏବଂ ବିଭିନ୍ନ ଶାରିରୀକ କସରତ କରୁଥିବା ଦେଖାଯାଇଥିଲା । ତାଙ୍କର ସ୍ବାସ୍ଥ୍ୟାବସ୍ଥାକୁ ନେଇ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଉଥିବାରୁ ନବୀନ ତାହାର ଜବାବ ଏହି ଭିଡିଓ ମାଧ୍ୟମରେ ଦେଇଛନ୍ତି ବୋଲି କୁହାଯାଉଛି ।
କିନ୍ତୁ କେବଳ କ୍ୟାମେରାକୁ ଦେଖାଇବା ପାଇଁ ସେ ଏପରି କସରତ କରୁନାହାନ୍ତି, ବରଂ ଏହା ତାଙ୍କର ଦୈନିକ କାର୍ଯ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।