ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୨୧୩ ପଞ୍ଚାୟତ ପାଇଁ ୧୯୨୬ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଟି ଜିଲ୍ଲାର ୧୦ଟି ବ୍ଲକ୍‌ର ୨୧୩ ପଞ୍ଚାୟତ ପାଇଁ ୧୯୨୬ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ବୌଦ୍ଦ ଜିଲ୍ଲାର ହରଭଙ୍ଗା, କଟକ ଜିଲ୍ଲାର ତିଗିରିଆ, ଗଜପତି ଜିଲ୍ଲାର ମୋହନା, କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼, ନୂଆପଡ଼ା ଜିଲ୍ଲାର ବୋଡ଼େନ, ପୁରୀ ଜିଲ୍ଲାର ପୁରୀ ସଦର, ସମ୍ବଲପୁର ଜିଲ୍ଲାର କୁଚିଣ୍ଡା, ସୋନପୁର ଜିଲ୍ଲାର ବିନ୍‌କା ଓ ସୁନ୍ଦରଗଡ଼ ଜିଲ୍ଲାର ହେମଗିରି। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୪୪.୭୩ କୋଟି ଟଙ୍କା।

ହରଭଙ୍ଗା ବ୍ଲକ୍‌ର ୨୧ଟି ପଞ୍ଚାୟତ ପାଇଁ ୫.୫୧ କୋଟି ଟଙ୍କାରେ ୩୩୦ଟି ପ୍ରକଳ୍ପ, ତିଗିରିଆ ବ୍ଲକ୍‌ର ୧୪ଟି ପଞ୍ଚାୟତ ପାଇଁ ୩ କୋଟି ଟଙ୍କାରେ ୧୬୫ଟି ପ୍ରକଳ୍ପ, ମୋହନା ବ୍ଲକ୍‌ର ୩୮ଟି ପଞ୍ଚାୟତ ପାଇଁ ୪.୫୬ କୋଟି ଟଙ୍କାରେ ୧୧୪ଟି ପ୍ରକଳ୍ପ, ମାର୍ଶାଘାଇ ବ୍ଲକ୍‌ର ୨୪ଟି ପଞ୍ଚାୟତ ପାଇଁ ୫.୫୧ କୋଟି ଟଙ୍କାରେ ୧୯୧ଟି ପ୍ରକଳ୍ପ, ବୋଲଗଡ଼ ବ୍ଲକ୍‌ର ୧୯ଟି ପଞ୍ଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୫୪ଟି ପ୍ରକଳ୍ପ, ବୋଡ଼େନ ବ୍ଲକ୍‌ର ୧୫ଟି ପଞ୍ଚାୟତ ପାଇଁ ୨.୮୪ କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପ, ପୁରୀ ସଦର ବ୍ଲକ୍‌ର ୩୦ଟି ପଞ୍ଚାୟତ ପାଇଁ ୭.୦୫ କୋଟି ଟଙ୍କାରେ ୪୦୩ଟି ପ୍ରକଳ୍ପ, କୁଚିଣ୍ଡା ବ୍ଲକ୍‌ର ୧୭ଟି ପଞ୍ଚାୟତ ପାଇଁ ୩.୬୫ କୋଟି ଟଙ୍କାରେ ୧୪୩ଟି ପ୍ରକଳ୍ପ, ବିନ୍‌କା ବ୍ଲକ୍‌ର ୧୬ଟି ପଞ୍ଚାୟତ ପାଇଁ ୪.୩୫ କୋଟି ଟଙ୍କାରେ ୧୨୭ଟି ପ୍ରକଳ୍ପ ଏବଂ ହେମଗିରି ବ୍ଲକ୍‌ର ୧୯ଟି ପଞ୍ଚାୟତ ପାଇଁ ୩.୫୦ କୋଟି ଟଙ୍କାରେ ୧୩୯ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଆଜିର କାର୍ଯ୍ୟକ୍ରମକୁ ମିଶାଇ ମୁଖ୍ୟମନ୍ତ୍ରୀ ରାଜ୍ୟର ୧୩୯ଟି ବ୍ଲକ୍‌ର ୩୧୯୭ଟି ଗ୍ରାମ ପଞ୍ଚାୟତ ସହିତ ଆଲୋଚନା ମାଧ୍ୟମରେ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏ ପର୍ଯ୍ୟନ୍ତ ୨୯,୮୧୬ଟି ପ୍ରକଳ୍ପ ପାଇଁ ୭୨୯.୧୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ସମ୍ବନ୍ଧିତ ଖବର