ନବୀନ ବାବୁ ଜଣେ ଭଲ ଲୋକ, ଦଳିତଙ୍କୁ ନ୍ୟାୟ ଦେବା ପାଇଁ ପଦକ୍ଷେପ ନିଅନ୍ତୁ: କେନ୍ଦ୍ର ମନ୍ତ୍ରୀ ଅଠଵାଲେ

ଭୁବେନଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ୫ ଥର କ୍ଷମତାକୁ ଆସିଲେଣି। ନବୀନ ବାବୁ ଜଣେ ଭଲ ଲୋକ। ରାଜ୍ୟରେ ୯ ବର୍ଷ ଧରି ବିଜେଡି ଓ ବିଜେପି ଏକାଠି ମେଣ୍ଟ କରି କ୍ଷମତାରେ ଥିଲେ। ଏବେ ମେଣ୍ଟ ନାହିଁ। ବିରୋଧୀ ରାଜନୈତିକ ଦଳ ଭାବେ ସରକାରଙ୍କ କାର୍ଯ୍ୟକ୍ରମକୁ ବିଜେପି ସମାଲୋଚନା କରିବା ସ୍ବାଭାବିକ। ଆଜି ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀଙ୍କୁ ଏପରି ଢଙ୍ଗରେ ସମାଲୋଚନା କରିଛନ୍ତି କେନ୍ଦ୍ର ସାମାଜିକ ନ୍ୟାୟ ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଅଠଵାଲେ। ରାଜ୍ୟରେ ଅନୁସୂଚିତ ଜାତିଙ୍କ ଉପରେ ଅତ୍ୟାଚାର ନେଇ ହିସାବ ଦେବା ସହ ଆନ୍ତଃଜାତି ବିବାହ କରୁଥିବା ଦମ୍ପତିଙ୍କ ଭିତରୁ ଜଣକୁ ରାଜ୍ୟ ସରକାର ଚାକିରି ଦେବା ନେଇ ସେ ଯୁକ୍ତି ବାଢ଼ିଛନ୍ତି। ଏହାସହିତ କେନ୍ଦ୍ର ସରକାରଙ୍କଠାରୁ ବକେୟା ପାଇବାକୁ ଥିବା ଏସସି-ଏସଟି ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାକ୍ ମେଟ୍ରିକ ସ୍କଲାରସିପ୍ ଅର୍ଥ ପ୍ରଦାନ ନେଇ ଉଦ୍ୟମ କରିବେ ବୋଲି କହିଛନ୍ତି ମନ୍ତ୍ରୀ।

ରାଜ୍ୟ ଅତିଥିଭବନରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ଅଠଵାଲେ କହିଥିଲେ, ମଙ୍ଗଳବାର ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା ପରେ ଜଣାପଡ଼ିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ସରକାର ୧୫ ଲକ୍ଷ ୫୭ ହଜାର ୫୫୮ ଘର ପାଇଁ ସହାୟତା ପ୍ରଦାନ କରିଛନ୍ତି। ସେଥିରୁ ୮ ଲକ୍ଷ ୬୪ ହଜାର ୧୭୬ଟି ଘର ସମ୍ପୂର୍ଣ୍ଣ ହୋଇଛି। ସହରାଞ୍ଚଳରେ ୧ ଲକ୍ଷ ୪୦ ହଜାର ଘର ଭିତରୁ ୩୩ ହଜାର ସମ୍ପୂର୍ଣ୍ଣ ହୋଇଥିବା ରାଜ୍ୟ ସରକାର ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ଉଜ୍ଜ୍ବଳା ଯୋଜନାରେ ରାଜ୍ୟରେ ୪୭ ଲକ୍ଷ ୪୮ ହଜାର ଲୋକଙ୍କୁ ମାଗଣା ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଛି। ମୁଦ୍ରା ଯୋଜନାରେ ବ୍ୟବସାୟ ପାଇଁ ୧ କୋଟି ୧୦ ଲକ୍ଷ ଲୋକଙ୍କୁ ଋଣ ପ୍ରଦାନ କରାଯାଇଛି। ୧ ଲକ୍ଷ ୯୦ ହଜାର ୩୧୪ ଜଣ ଏସସି-ଏସଟି ଛାତ୍ରଛାତ୍ରୀଙ୍କୁ ପ୍ରାକ୍ ମେଟ୍ରିକ ସ୍କଲାରସିପ ଅର୍ଥ ବାବଦରେ ୬୦ କୋଟି ଟଙ୍କା ପ୍ରଦାନ କରାଯାଇଥିବାବେଳେ ୨ ଲକ୍ଷ ୩ ହଜାର ୯୬୩ ଜଣ ଏସସି ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରବର୍ତ୍ତୀ ସ୍କଲାରସିପ ବାବଦରେ ଗତବର୍ଷ ସୁଦ୍ଧା ୨୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

ରାଜ୍ୟରେ ଦଳିତଙ୍କ ଉପରେ ହିଂସା ଓ ଦୁର୍ବ୍ୟବହାର ମାମଲା ନେଇ ଉଦବେଗ ପ୍ରକାଶ କରିଥିଲେ କେନ୍ଦ୍ର ମନ୍ତ୍ରୀ। ଗତ ୫ ବର୍ଷର ହିସାବ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଠଵାଲେ କହିଥିଲେ, ୨୦୧୪ରେ ରାଜ୍ୟରେ ୧୬୫୩ଟି ଦଳିତ ବିରୋଧୀ ମାମଲା ଋଜୁ ହୋଇଥିଲା ବେଳେ, ୨୦୧୫ରେ ୧୮୧୮ଟି ମାମଲା, ୨୦୧୬ରେ ୧୭୯୬, ୨୦୧୭ରେ ୧୮୯୩, ୨୦୧୮ରେ ୧୭୭୫ ଓ ୨୦୧୯ ମସିହାରେ ଏବେ ସୁଦ୍ଧା ୧୦୦୨ଟି ମାମଲା ପଞ୍ଜୀକୃତ ହୋଇଛି। ଦଳିତଙ୍କ ଉପରେ ଅତ୍ୟାଚାର ନେଇ ସାରାଦେଶରେ ଉତ୍ତରପ୍ରଦେଶ ରାଜ୍ୟରେ ସବୁଠୁ ଅଧିକ ମାମଲା ହେଉଥିବା ନେଇ ମନ୍ତ୍ରୀ ସ୍ବୀକାର କରିଥିଲେ। କିନ୍ତୁ ଓଡ଼ିଶାରେ ଯେଭଳି ଭାବେ ଦଳିତଙ୍କୁ ଦୁର୍ବ୍ୟବହାର ନେଇ ମାମଲା ସାମନାକୁ ଆସୁଛି ତାକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ସେ ମତ ଦେଇଥିଲେ। ଆନ୍ତଃଜାତି ବିବାହ ନେଇ ଭିନ୍ନ ଭିନ୍ନ ରାଜ୍ୟରେ ବିବାଦ ଦେଖାଦେଉଛି। ସାମାଜିକ ନ୍ୟାୟ ଦୃଷ୍ଟିରୁ ଏଥିପାଇଁ ରାଜ୍ୟ ସରକାରମାନେ ପଦକ୍ଷେପ ନେବା ଉଚିତ୍। ଆନ୍ତଃଜାତି ବିବାହ କରୁଥିବା ଦମ୍ପତିଙ୍କ ଭିତରୁ ଜଣକୁ ରାଜ୍ୟ ସରକାର ଚାକିରି ଦେବା ନେଇ ମନ୍ତ୍ରୀ ଯୁକ୍ତି ଦର୍ଶାଇଥିଲେ। ଦିବ୍ୟାଙ୍ଗଙ୍କୁ ସମାଜରେ ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରି କରୁଛନ୍ତି। ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୧୪ ଲକ୍ଷ ୨୦ ହଜାର ଦିବ୍ୟାଙ୍ଗ ଅଛନ୍ତି। ସେମାନଙ୍କ ଭିତରୁ ମାତ୍ର ୩ ଲକ୍ଷ ୯୦ ହଜାର ବ୍ୟକ୍ତିଙ୍କୁ ପେନସନ ମିଳୁଛି ବୋଲି ମନ୍ତ୍ରୀ ଶ୍ରୀ ଅଠଵାଲେ କହିଥିଲେ।

ସମ୍ବନ୍ଧିତ ଖବର