ଗରିବ ଲୋକଙ୍କ ପାଇଁ ରାଜ୍ୟର ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଅକ୍ଟୋବର ୨ରୁ ଆରମ୍ଭ ହେବ

ଭୁବନେଶ୍ୱର: ‘ଆମ ମୁଖ୍ୟମନ୍ତ୍ରୀ ଆମକଥା’ କାର୍ଯ୍ୟକ୍ରମ ମାଧ୍ୟମରେ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଭିଡିଓ କନଫରେନ୍ସିଂ ଜରିଆରେ ୧୦ଟି ଜିଲ୍ଲାର ଲୋକଙ୍କ ସହ କଥା ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘କେନ୍ଦ୍ର ସରକାର ୨୦୧୧ ଜନସଂଖ୍ୟା ଭିତ୍ତିରେ ରାସନ ଯୋଗାଉଛନ୍ତି। ଏଥିପାଇଁ ରାଜ୍ୟର ଲକ୍ଷ ଲକ୍ଷ ଗରିବ ଲୋକ ଏହି ସୁବିଧା ପାଇପାରୁ ନାହାନ୍ତି। ଏ ସଂପର୍କରେ କେନ୍ଦ୍ର ସରକାରଙ୍କୁ ମୁଁ ବହୁବାର ଚିଠି ଲେଖିଛି। କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ ଏ ପର୍ଯ୍ୟନ୍ତ କିଛି ବିଚାର କରି ନାହାନ୍ତି। ତେଣୁ ଓଡ଼ିଶା ସରକାର ଆପଣଙ୍କ ଟଙ୍କାରେ ଆପଣମାନଙ୍କ ପାଇଁ ନୂଆ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି କରିଛନ୍ତି। ଆଗାମୀ ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ଏହା କାର୍ଯ୍ୟକାରୀ ହେବ। ସାରା ରାଜ୍ୟର ସବୁ ଗରିବ ଲୋକ ଖାଦ୍ୟ ସୁରକ୍ଷା ସୁବିଧା ପାଇପାରିବେ। ଜଣେ ବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବାକୁ ମୁଁ ଦେବି ନାହିଁ।’

ଏଥି ସହ ମୁଖ୍ୟମନ୍ତ୍ରୀ କହିଥିଲେ, ସେ ସବୁବେଳେ ଖାଦ୍ୟ ସୁରକ୍ଷା ଉପରେ ଜୋର ଦେଇଆସିଛନ୍ତି । ୨୦୦୮ରୁ ସରକାର ଗରିବ ଲୋକଙ୍କୁ କିଲୋ ପିଛା ୨ ଟଙ୍କାରେ ଚାଉଳ ଯୋଗାଇ ଆସୁଥିଲେ । ଏହି ଯୋଜନାର ସଫଳତାକୁ ଅନୁଭବ କରି ୨୦୧୩ରେ ୧ ଟଙ୍କାରେ ଗରିବ ଲୋକଙ୍କୁ ଚାଉଳ ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ। ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହା ଥିଲା ସାରା ଦେଶରେ ସେ ସମୟର ଏକ ବହୁତ ବଡ଼ ପଦକ୍ଷେପ। ୨୦୧୪ରେ ସରକାର  ପ୍ରତିଶ୍ରୁତି ଦେଇିଥିଲେ ଯେ ନିଜର ଖାଦ୍ୟ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିବେ। ଏବେ ତାହା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ବ୍ୟବସ୍ଥା ଜରିଅାରେ ୩୪,୪୪,୦୦୦ ଗରିବ ଲୋକ ଖାଦ୍ୟ ସୁରକ୍ଷାର ସୁବିଧା ପାଇବେ।

ସମ୍ବନ୍ଧିତ ଖବର