ଏକ ନମ୍ବର ପାଇଁ ଏକାଠି ହୁଅ

ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇ ଫେରିଲେ ନବୀନ

ଲୋକବାଦ୍ୟ, ନୃତ୍ୟରେ ଭବ୍ୟ ସ୍ୱାଗତ କଲା ବିଜେଡି

ଭୁବନେଶ୍ୱର : ମହାରାଷ୍ଟ୍ରର ପୁନେରେ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ମାଟିରେ ପାଦ ଦେବା ମାତ୍ରେ ପୁଣି ଏକ ଗୋଟିଚାଳନା କରିଛନ୍ତି। ମହାନଦୀ ଠାରୁ ଆରମ୍ଭ କରି ସବୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକାକୀ ଲଢି ବାହାଦୁରି ଗୋଟାଇବା ଲାଗି କୌଣସି ସୁଯୋଗ ହାତଛଡ଼ା କରୁନଥିବା ନବୀନ ଆଜି କିନ୍ତୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନକୁ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଛନ୍ତି। ଏହାସହିତ ଓଡ଼ିଶାକୁ ଏକ ନମ୍ବର ରାଜ୍ୟ କରିବା ଲାଗି ସମସ୍ତେ ମିଳିମିଶି କାମ କରିବାକୁ ସେ ଆହ୍ଵାନ ଦେଇଛନ୍ତି। ରାଜ୍ୟକୁ ବିକାଶ ପଥରେ ଟାଣିନେବା ଲାଗି ଉତ୍ସାହିତ କରିଛନ୍ତି। ଏକଥା ବି କହିଛନ୍ତି ଯେ ଓଡ଼ିଶାବାସୀଙ୍କ ଭଲ ପାଇବା ତାଙ୍କୁ ଋଣୀ କରିଛି।

ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍‌ଆଇଟି-ଓ୍ଵାର୍ଲଡ୍‌ ପିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନରେ ସମ୍ମାନିତ ହୋଇଥିଲେ। ଆଜି ଭୁବନେଶ୍ୱର ଫେରିବା ପରେ ତାଙ୍କୁ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଥିଲା। ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ରାସ୍ତା କିଛି ସମୟ ପାଇଁ ଜନସମୁଦ୍ର ଭଳି ପରିଲକ୍ଷିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି ଢଙ୍ଗରେ ତିନି ଧା଼ଡିଆ ପ୍ରତିକ୍ରିୟା ରଖିଥିଲେ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ପାଇଥିବା ଆଦର୍ଶ ମୁଖ୍ୟମନ୍ତ୍ରୀ ପୁରସ୍କାରକୁ ନେଇ ଗଦ୍‌ଗଦ୍‌ ଥିବା ବିଜୁ ଜନତା ଦଳ ଏଥିରୁ ଫାଇଦା ଉଠାଇବାକୁ ପୂରା ଦମ୍‌ରେ ଚେଷ୍ଟା କରିଛି। ଏହାକୁ ବିଜେଡିର ଭାବମୂର୍ତ୍ତି ସହିତ ଯୋଡି ପତିଆରା ବଢାଇବାକୁ ପଛାଇ ନାହାନ୍ତି ଦଳର ନେତାମାନେ। ଖାସ୍‌ ଏଇଥିପାଇଁ ମୁମ୍ବାଇରୁ ପୁରସ୍କାର ପାଇ ଫେରିଥିବା ନବୀନଙ୍କ ପାଇଁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଧନାର ଆୟୋଜନ କରାଯାଇଥିଲା। ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ରାଜନୈତିକ ଯୁଦ୍ଧ ଲଢିବା ପାଇଁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ’ ବିଜେଡି ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି। କେବଳ ସେତିିକି ନୁହେଁ, ଆଉଥରେ କ୍ଷମତା ଦଖଲ ପାଇଁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀଙ୍କ ଅଶୀର୍ବାଦ ଉଭୟ ମୁଖ୍ୟମନ୍ତ୍ରୀ ତଥା ବିଜେଡିକୁ ଉତ୍ସାହିତ କରିଛି। ରାଜ୍ୟରେ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଛୋଟ ଆଖିରେ ଦେଖି ତୀର୍ଯ୍ୟକ ସମାଲୋଚନାରେ ବ୍ୟସ୍ତ ରହିଛି। ଠିକ୍‌ ଏମିତି ଏକ ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟ ବାହାରେ ଅଧିକରୁ ଅଧିକ ସମ୍ମାନିତ ହେବା ଓ ରାଜ୍ୟ ପାଇଁ ସମ୍ମାନ ଆଣିବା, ବିଜେପି କେନ୍ଦ୍ରୀୟ ନେତାଙ୍କ ଆଶୀର୍ବାଦ ପାଇବା, ତାହା ପୁଣି ବିଜେପି ଶାସିତ ରାଜ୍ୟରେ, ଏକଥା ଜଣାଇବା ଲାଗି ବିଜେଡି ନେତାମାନେ ଏହି ସୁଯୋଗକୁ ବ୍ୟବହାର କରିଥିବା ରାଜନୈତିକ ପର୍ଯ୍ୟବେକ୍ଷକ ମହଲର ମତ।

ଏହାବ୍ୟତୀତ ନବୀନ ନିଜେ ହିଁ ବିଜେଡି ପାଇଁ ଭୋଟ୍‌ ବ୍ୟାଙ୍କ ହୋଇଥିବା ପରିପ୍ରେକ୍ଷୀରେ ଆସନ୍ତା ନିର୍ବାଚନ ଲାଗି ସଜବାଜ ହେବା ପୂର୍ବରୁ ତାଙ୍କର ସମୃଦ୍ଧି ଓ ଲୋକପ୍ରିୟତାକୁ ଆହୁରି ଅଧିକ ଉଚ୍ଚାକୁ ନେବା ଲାଗି ଦଳ ଜୋରଦାର ଉଦ୍ୟମ ଚଳାଇଛି। ଆଜିର କାର୍ଯ୍ୟକ୍ରମ ଏହାର ଏକ ଅଂଶବିଶେଷ ମାତ୍ର।

ତେବେ ଦଳର ୨୦ତମ ପ୍ରତିଷ୍ଠା ଦିବସ ଓ ଗତକାଲି ନବୀନଙ୍କ ପୁନେରେ ଉଦ୍‌ବୋଧନ ଏହି ମହଲକୁ ଆନ୍ଦୋଳିତ କରୁଛି। ଦଳୀୟ ନେତାମାନେ ବି ଏସବୁକୁ ନେଇ ତର୍ଜମା ଚଳାଇଛନ୍ତି। ନବୀନଙ୍କ ବକ୍ତବ୍ୟରେ କମ୍‌ ରାଜନୀତି ଓ ବେଶୀ ଦର୍ଶନ ପରିଦୃଷ୍ଟ ହେଉଛି। ଏହାପଛର କାରଣ ଖୋଜା ଆରମ୍ଭ ହୋଇଗଲାଣି।

ଉଲ୍ଲେଖଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଆଳରେ ବିଜେଡି ନେତାମାନେ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ପୂର୍ବରୁ ହୋଇଥିବା ପ୍ରସ୍ତୁତି ମୁତାବକ, ଆଜି ସହରର ପ୍ରାୟ ସବୁ ପ୍ରମୁଖ ସ୍ଥାନକୁ ହୋଡିଂରେ ଛାଇଦେଇଥିଲା ବିଜେଡି। ଭୁବନେଶ୍ୱର ଓ ଏହାର ଆଖପାଖ ନିର୍ବାଚନମଣ୍ଡଳୀର ବିଧାୟକଙ୍କ ଉପରେ ଅଧିକ ଲୋକ ଆଣିବାର ଦାୟିତ୍ୱ ଦିଆଯାଇଥିଲା। ମେୟର ଓ କର୍ପୋରେଟର୍‌ ଏସବୁର ତଦାରଖ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ବିମାନ ପହଞ୍ଚିବା ସମୟ ଥିଲା ଅପରାହ୍ନ ୩ଟା ୧୫। ତେବେ ଅପରାହ୍ନ ପ୍ରାୟ ୧ଟା ବେଳକୁ ସବୁ ନେତା ଓ କର୍ମୀ ବିମାନବନ୍ଦର ମୁହାଁ ହୋଇଥିଲେ। ୫୦ରୁ ଅଧିକ ଲୋକନୃତ୍ୟ ଦଳ ଏହି ଭବ୍ୟ ସ୍ୱାଗତ ସମାରୋହରେ ସାମିଲ୍‌ ହୋଇଥିଲେ। ଏଥିପାଇଁ ସ୍ୱତନ୍ତ୍ର ଭାବେ ୨୧ଟି ମଞ୍ଚ ନିର୍ମାଣ କରାଯାଇଥିଲା। ପାଖାପାଖି ଏକ ହଜାର କଳାକାର ଅଂଶଗ୍ରହଣ କରିଥିଲେ। ନବୀନ ପଟ୍ଟନାୟକଙ୍କ ସ୍ତୁତି ଗାନ ସଂପର୍କିତ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ବିଜେଡି କର୍ମୀ।

ଅପରାହ୍ନ ପ୍ରାୟ ୩ଟା ୨୫ରେ ମୁଖ୍ୟମନ୍ତ୍ରୀ ବିମାବନ୍ଦରରେ ପହଞ୍ଚିଥିଲେ। ମନ୍ତ୍ରୀ ଓ ବିଧାୟକମାନେ ତାଙ୍କୁ ପ୍ରଥମେ ସ୍ୱାଗତ କରିଥିଲେ। ସେଠାରୁ ଏକ ସ୍ୱତନ୍ତ୍ର ବସ୍‌ ଯୋଗେ ସେ ଆସିଥିଲେ ନବୀନ ନିବାସ। ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଲୋକଙ୍କ ସ୍ଲୋଗାନ ଓ ନାରାବାଜି ମଧ୍ୟରେ ନବୀନ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ମାଲ୍ୟାର୍ପଣ କରିଥିଲେ। ନିକଟରେ ନିର୍ମାଣ ହୋଇଥିବା ମଞ୍ଚକୁ ଯାଇ ଦୁଇ ମିନିଟ୍‌ ଉଦ୍‌ବୋଧନ ଦେଇଥିଲେ। ପୁଣି ମୁହାଁଇଥିଲେ ନବୀନ ନିବାସ। ପ୍ରାୟ ୪ଟା ୧୦ ବେଳକୁ ସେ ନବୀନ ନିବାସରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର