୨୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୨୦ ପ୍ରକଳ୍ପକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଆଗାମୀ ଦିନରେ ୧୪ଟି ପ୍ରକଳ୍ପ ନିର୍ମାଣରେ ୩୩୮ କୋଟି ଟଙ୍କା ଖର୍ଚ୍ଚ ହେବ: ନବୀନ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ବଲପୁର ଗସ୍ତ କରି ଶୁକ୍ରବାର ୨୧୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୨୦ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ୧୪ଟି ପ୍ରକଳ୍ପ ନିର୍ମାଣର ଘୋଷଣା ସହିତ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକରେ ମୋଟ୍‌ ୩୩୮ କୋଟି ଟଙ୍କା ଖର୍ଚ୍ଚ ହେବ। ସମ୍ବଲପୁର ସହରରେ ୫ଟି ପ୍ରକଳ୍ପ ନିର୍ମାଣ ପାଇଁ ନବୀନ ଘୋଷଣା କରିଛନ୍ତି, ଯେଉଁଥିରେ କି ୯୩ କୋଟି ଟଙ୍କା ଖର୍ଚ୍ଚ ହେବ।

ଘୋଷଣା ମୁତାବକ, ରାଜ୍ୟ ସରକାର ୨୦ କୋଟି ବିନିଯୋଗରେ ମାଳତୀଯୋର ସେତୁ ଓ ୧୦ କୋଟି ଟଙ୍କାରେ ବାଲିବନ୍ଧ ସେତୁ ନିର୍ମାଣ କରିବେ । ଏହାସହ ଜିଲ୍ଲା ସ୍କୁଲ ଠାରୁ ଆରମ୍ଭ କରି ନକ୍ସାପାଲୀ ରୋଡ଼ ପର୍ଯ୍ୟନ୍ତ ରାସ୍ତାକୁ ୪୦ କୋଟି ଟଙ୍କା ଏବଂ ଦୁର୍ଗାପାଲି ଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ୧୫ କୋଟି ଟଙ୍କାରେ ୪ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ କରାଯିବ । କେବଳ ଏତିକି ନୁହେଁ, ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡ଼ିୟମରେ ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୩ କୋଟି ଟଙ୍କା ଅନୁମୋଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ମା’ ସମଲେଶ୍ୱରୀଙ୍କ ମନ୍ଦିର ସମ୍ମୁଖସ୍ଥଳ ମହାନଦୀ ରିଭର ଫ୍ରଣ୍ଟର ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି । ଏହାସହିତ ନେଲସନ୍ ମାଣ୍ଡେଲା ଛକରେ ୧୧୭.୭୨ କୋଟି ଟଙ୍କା ବ୍ୟୟରେ ମହାନଦୀ ଉପରେ ଏକ ବୃହତ ସେତୁର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁ ଦ୍ୱାରା ଚାଉପୁର,ଗୋଶାଳା ଓ ଚିପିଲିମା ଭଳି ଅଞ୍ଚଳ ସମ୍ବଲପୁର ସହିତ ସିଧାସଳଖ ଯୋଡ଼ି ହେବ ।

ନବୀନ ପଟ୍ଟନାୟକ ଆଜି ନେଲ୍‌ସନ୍‌ ମାଣ୍ଡେଲା ଛକଠାରେ ୧୧୭.୭୨ କୋଟି ଟଙ୍କା ବ୍ୟୟରେ ମହାନଦୀ ଉପରେ ନିର୍ମିତ ହାଇଲେଭ୍‌ଲ ସେତୁକୁ ଉଦ୍‌ଘାଟନ କରିଛନ୍ତି। ଦେଢ଼ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ଚାଉଁରପୁର, ଗୋଶାଳା ଏବଂ ଚିପିଲିମା ଅଂଚଳର ଲୋକଙ୍କୁ ସମ୍ବଲପୁର ସହରର ସହ ସିଧାସଳଖ ସଂଯୁକ୍ତ କରିବ। ସଂପୃକ୍ତ ଅଂଚଳର ଗ୍ରାମବାସୀଙ୍କ ଜୀବନ ଜୀବିକା ନିମନ୍ତେ ସହାୟତା ପ୍ରଦାନ କରି ଅଂଚଳବାସୀଙ୍କ ସାମାଜିକ-ଅର୍ଥନୈତିକ ଉନ୍ନତି କ୍ଷେତ୍ରରେ ସହାୟକ ହେବ।

ସମ୍ବନ୍ଧିତ ଖବର