‘ସହିଦ ସ୍ମୃତି ସ୍ତମ୍ଭ’ର ଭିତ୍ତି ପଡ଼ିଲା

ପାଲଟିବ ସ୍ୱାଧୀନତା ସଂଗ୍ରାମର ପବିତ୍ର ସ୍ମୃତିପୀଠ

ଭୁବନେଶ୍ୱର : ଦେଶକୁ ପରାଧୀନତା କବଳରୁ ମୁକ୍ତି ପାଇଁ ବଳିଦାନ ଦେଇଥିବା ବୀର ସହିଦଙ୍କୁ ସଶ୍ରଦ୍ଧ ସମ୍ମାନ ସ୍ୱରୂପ ଛିଡ଼ା ହେବ ‘ସହିଦ ସ୍ମୃତି ସ୍ତମ୍ଭ’। ତ୍ୟାଗ, ତପସ୍ୟା ଓ ବଳିଦାନର ପ୍ରତୀକ ଏହି ସ୍ମୃତି ସ୍ତମ୍ଭର ଆଜି ଭିତ୍ତି ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଗଷ୍ଟ କ୍ରାନ୍ତି ଦିବସରେ ୧୨୬ ଜଣ ସହିଦ ବୀରଙ୍କ ଜନ୍ମିତ ୩୮ଟି ସ୍ଥାନରୁ ଆସିଥିବା ମାଟି ଗରାକୁ ନେଇ ଭିତ୍ତି ସ୍ଥାପନ କରାଯାଇଛି। ୧୮୦୭ରେ ଜୟୀ ରାଜଗୁରୁଙ୍କଠାରୁ ଆରମ୍ଭ କରି ୧୯୪୨ରେ ଶେଷ ସହିଦ ବୀର ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନର ମାଟିକୁ ନେଇ ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ଠିଆ ହେବାକୁ ଯାଉଛି ୪୨ ଫୁଟ ଉଚ୍ଚତା ବିଶିଷ୍ଟ ସହିଦ ସ୍ମୃତି ସ୍ତମ୍ଭ। ଏହି ସ୍ତମ୍ଭରେ ସହିଦମାନଙ୍କର ନାମ ଉଲ୍ଲେଖ ରହିବ। ଏହା ଜାତୀୟତା ଭାବ ଜାଗରଣର ସ୍ମୃତି ସ୍ତମ୍ଭ ପାଲଟିବ ବୋଲି ଅତିଥିମାନେ ମତ ଦେଇଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ସହିଦମାନଙ୍କ ପାଇଁ ଏହା ଶ୍ରଦ୍ଧାଞ୍ଜଳି। ଏହି ସ୍ମୃତି ସ୍ତମ୍ଭ ଦେଶର ଏକତା, ଅଖଣ୍ଡତା ଓ ବିକାଶ ପାଇଁ କାର୍ଯ୍ୟ କରିବାକୁ ଯୁବ ସମାଜକୁ ପ୍ରେରଣା ଯୋଗାଇବ। ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ସହିଦ ସ୍ମାରକୀ’ ପୁସ୍ତକର ଲୋକାର୍ପଣ କରିଥିଲେ। ସମିତିର ସଭାପତି ତଥା ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭିନ୍ନ ସ୍ଥାନରୁ ମାଟି ଆଣିଥିବା ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଦେଇ ସମ୍ବର୍ଧିତ କରାଯାଇଥିଲା। ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମୁଖ୍ୟର ସଭାପତି ସାଂସଦ ଭର୍ତୃହରି ମହାତାବ କହିଥିଲେ, ଏହା ସ୍ୱାଧୀନତା ଆନ୍ଦୋଳନର ଏକ ପବିତ୍ର ସ୍ମୃତିପୀଠରେ ପରିଣତ ହେବ।

ଏହି ଅବସରରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ବଦ୍ରିନାରାୟଣ ପାତ୍ର, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ରମେଶ ମାଝୀ, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ବିଧାୟକ ପ୍ରଭାତ ତ୍ରିପାଠୀ, ପୁଷ୍ପେନ୍ଦ୍ର ସିଂହଦେଓ, ରବିନାରାୟଣ ମହାପାତ୍ର, ମୁକ୍ତିକାନ୍ତ ମଣ୍ଡଳ, ରାସେଶ୍ୱରୀ ପାଣିଗ୍ରାହୀ, ଭୂଜବଳ ମାଝୀ, କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ପୂର୍ଣ୍ଣଚନ୍ଦ୍ର ନାଏକ, ପ୍ରଶାନ୍ତ ଜଗଦେବ, ରମେଶ ପଟୁଆ, ରବି ମହାପାତ୍ର, ପୂର୍ବତନ ବାଚସ୍ପତି କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ସୁରେଶ କୁମାର ରାଉତରାୟ ଓ ପୂର୍ବତନ ସରକାରୀ ମୁଖ୍ୟ ସଚେତକ ରବିନାରାୟଣ ପାଣି ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ସହିଦ ସ୍ମାରକୀ ଟ୍ରଷ୍ଟ୍‍ ପକ୍ଷରୁ ଉପେନ୍ଦ୍ର ପାଢ଼ୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ସ୍ୱାଧୀନତା ସଂଗ୍ରାମୀ ଯୁବ ସାମୁଖ୍ୟର ରାଜ୍ୟ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର