ମୁମ୍ବାଇ ଯାଇ ଶିଳ୍ପପତିଙ୍କୁ ଡାକିଲେ ନବୀନ : ଓଡ଼ିଶା ଭଳି ସୁଯୋଗ ଅନ୍ୟଠି ନାହିଁ

ବ୍ୟକ୍ତିଗତ ଆଲୋଚନା କଲେ, ରୋଡ୍‌ ସୋରେ ଭାଗ ନେଲେ

ଭୁବନେଶ୍ୱର : ଓଡ଼ିଶାରେ ପୁଞ୍ଜିନିବେଶ କର। ରାଜ୍ୟ ସରକାର ଏଭଳି ସୁବିଧା ସୁଯୋଗ ପ୍ରଦାନ କରିବେ, ଯାହା ଅନ୍ୟ କୌଣସି ଠାରେ ମିଳିବ ନାହିଁ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଦେଶର କିଛି ପ୍ରମୁଖ ପୁଞ୍ଜିନିବେଶକାରୀ, ଶିଳ୍ପପତିଙ୍କୁ ଭେଟି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମନରେ ଏଭଳି ଢଙ୍ଗରେ ବିଶ୍ୱାସ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ କଲେ ନିର୍ଦିଷ୍ଟ କେଉଁ କେଉଁ ସୁବିଧା ସୁଯୋଗ ମିଳିବ, ତାର ଲମ୍ବା ତାଲିକା ଧରାଇବା ସହିତ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣରେ ଯୋଗଦେବା ପାଇଁ ଶିଳ୍ପପତିମାନଙ୍କୁ ଆମନ୍ତ୍ରଣ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮ର ଥିମ୍‌ ‘ଆଇ ଆମ୍‌ ଓଡ଼ିଶା’ ସଂକ୍ରାନ୍ତ ଓ୍ଵବ୍‌ସାଇଟ୍‌ର ଶୁଭ ଉଦ୍‌ଘାଟନ କରିଥିଲେ। କିଛି ଶିଳ୍ପପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ରୁଦ୍ଧଦ୍ୱାର ଆଲୋଚନା କରିଥିଲେ ଓ ଏକ ରୋଡ୍‌ ସୋରେ ଭାଗ ନେଇଥିଲେ ଓ ସେମାନଙ୍କ ସହିତ ପ୍ରତ୍ୟକ୍ଷ ଆଲୋଚନା ଜରିଆରେ ନିଜର ଆଭିମୁଖ୍ୟ ସଂପର୍କରେ ଜଣାଇଥିଲେ। ମୋଟ ୩୦୦ ଶିଳ୍ପପତି, ପୁଞ୍ଜିନିବେଶକାରୀ ଏଥିରେ ଭାଗ ନେଇଥିଲେ।

ନଭେମ୍ବର ୧୧ରୁ ୧୫ ତାରିଖ ଯାଏଁ ଭୁବନେଶ୍ୱରରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ୱିତୀୟ ସଂସ୍କରଣ ଅନୁଷ୍ଠିତ ହେବ। ଏହା ପୂର୍ବରୁ ମୁମ୍ବାଇରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆଜି ରୋଡ୍‌ ସୋ’ ଓ ପୁଞ୍ଜିନିବେଶକାରୀଙ୍କ ସମ୍ମିଳନୀ ଆୟୋଜନ କରାଯାଇଥିଲା। ସିଆଇଆଇ ଓହରିଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଅଣ୍ଟା ଭିଡି ଏଭଳି ଏକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ହୋଟେଲ୍‌ ତାଜ୍‌ ମହଲ୍‌ ପ୍ୟାଲେସ୍‌ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁଞ୍ଜିନିବେଶକାରୀଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶା ପୂର୍ବ ଭାରତର ପ୍ରବେଶ ପଥ ଭାବେ ଦ୍ରୁତ ଗତିରେ ଆଗକୁ ଯାଉଛି। ବିଶାଳ ସମ୍ପଦ, ସୁଦୀର୍ଘ ବେଳାଭୂମି, ବିଜୁଳି, ଜଳ, ବନ୍ଦର, ଉନ୍ନତ ସଡ଼କ ଯୋଗଯୋଗ, ଯୁବ ଓ ଦକ୍ଷ ମାନବ ସମ୍ବଳ ଏବଂ ଶିଳ୍ପ ପ୍ରତି ସକାରାତ୍ମକ ଆଭିମୁଖ୍ୟ ରଖୁଥିବା ସରକାର ହିଁ ଓଡ଼ିଶାର ଶକ୍ତି।

ଓଡ଼ିଶାରେ ପୁଞ୍ଜିନିବେଶ କଲେ ନିର୍ଦିଷ୍ଟ କି କି ସୁବିଧା ସୁଯୋଗ ମିଳିପାରିବ, ସେ ସଂପର୍କରେ ଅବଗତ କରାଇଥିଲେ ମୁଖ୍ୟମନ୍ତ୍ରୀ। କହିଥିଲେ, ପାରାଦୀପ ବନ୍ଦର ଦେଶର ଅନ୍ୟତମ ବୃହତ ବନ୍ଦର ଭାବେ ମାନ୍ୟତା ପାଇଛି। ଧାମରା ବନ୍ଦର ମଧ୍ୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହି ବନ୍ଦର ବାଦ୍‌ କେନ୍ଦ୍ରାପଡ଼ା ଜିଲ୍ଲାରେ ମହାନଦୀରେ ଏକ ନଦୀଭିତ୍ତିକ ବନ୍ଦର ନିର୍ମାଣ ପାଇଁ ସରକାର ଅନୁମୋଦନ ଦେଇଛନ୍ତି। ଏହି ପ୍ରସ୍ତାବିତ ବନ୍ଦରର କାର୍ଗୋ ଧାରଣ କ୍ଷମତା ବାର୍ଷିକ ୪୫ ଲକ୍ଷ ଟନ୍‌ ରହିବ। ରାଜ୍ୟ ସରକାର ଉପକୂଳରେ ଆଉ ୧୨ଟି କ୍ଷୁଦ୍ର ବନ୍ଦର ପାଇଁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି।

କେବଳ ସେତିକି ନୁହେଁ, ଓଡ଼ିଶାରେ ନିବେଶକାରୀଙ୍କୁ ବିଭିନ୍ନ ଦପ୍ତରକୁ ଦୌଡିବାକୁ ପଡିବ ନାହିଁ। କାରଣ, ରାଜ୍ୟ ସରକାର ଏଥିପାଇଁ ସିଙ୍ଗଲ ଓ୍ଵିଣ୍ଡୋ କ୍ଲିୟରାନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟରେ ଦକ୍ଷ ମାନବ ସମ୍ବଳ ସୃଷ୍ଟି ପାଇଁ ସରକାର ‘ସ୍କିଲ୍‌ଡ୍‌ ଇନ୍‌ ଓଡ଼ିଶା’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ଖୁବ୍‌ ଶୀଘ୍ର ଏକ ଗ୍ଲୋବାଲ୍‌ ବ୍ରାଣ୍ଡ୍‌ରେ ପରିଣତ ହେବାକୁ ଯାଉଛି। ଭୁବନେଶ୍ୱରରେ ୧୮ ମହଲା ଭିତ୍ତିଭୂମି ଥିବା ‘ଓ୍ଵାର୍ଲଡ୍‌ ସ୍କିଲ୍‌ ସେଣ୍ଟର୍‌’ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି। ଏହାବ୍ୟତୀତ ଓଡ଼ିଶାରେ ଏକ ଉନ୍ନତ ଷ୍ଟାର୍ଟ ଅପ୍‌ ବ୍ୟବସ୍ଥା ରହିଛି। ‘ଷ୍ଟାର୍ଟ ଅପ୍‌ ଓଡ଼ିଶା’ ଆରମ୍ଭ ହେବାର କିଛି ମାସ ମଧ୍ୟରେ ୨୫୦ ଷ୍ଟାର୍ଟ ଅପ୍‌ ପଞ୍ଜୀକୃତ ହୋଇସାରିଲେଣି। ୨୦୨୦ ସୁଦ୍ଧା ଦେଶରେ ଶ୍ରେଷ୍ଠ ତିନିଟି ଷ୍ଟାର୍ଟ ଅପ୍‌ ହବ୍‌ ମଧ୍ୟରେ ଓଡ଼ିଶା ସ୍ଥାନ ପାଇବ ବୋଲି ମୁଖ୍ୟମନ୍ତ୍ରୀ ଜୋର୍‌ ଦେଇଥିଲେ।

ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮ର ଥିମ୍‌ ରହିଛି ‘ଆଇ ଆମ୍‌ ଓଡ଼ିଶା’। ରାଜ୍ୟରେ ବ୍ୟାବସାୟିକ ପରିବେଶ ସୃଷ୍ଟି କରିବାରେ ଓଡ଼ିଶା ଓ ଏହାର ଲୋକଙ୍କ ସଫଳତାକୁ ଏଥିରେ ଦର୍ଶାଯିବ। ମୁଖ୍ୟମନ୍ତ୍ରୀ କହିଥିଲେ, ‘ଆଇ ଆମ୍‌ ଓଡ଼ିଶା’ ଏପରି ଏକ ପ୍ଲାଟ୍‌ଫର୍ମ ହେବ, ଯେଉଁଥିରେ ଲୋକମାନେ ସେମାନଙ୍କ ସଫଳ କାହାଣୀକୁ ‘ଓଡ଼ିଶା ଅଫ୍‌ ଟୁଡେ’ ଭାବେ ପ୍ରଦର୍ଶିତ କରିପାରିବେ ଏବଂ ଭବିଷ୍ୟତ ପାଇଁ ସେମାନଙ୍କ ଦୃଷ୍ଟିଭଙ୍ଗୀକୁ ‘ଓଡ଼ିଶା ଅଫ୍‌ ଫ୍ୟୁଚର୍‌’ ଭାବେ ଉପସ୍ଥାପନ କରିପାରିବେ।

ଏହି କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ଉନ୍ନୟନ କମିସନର୍‌ ଆର୍‌ ବାଲକ୍ରିଷ୍ଣନ୍‌, ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରାଙ୍କ ସମେତ ରାଜ୍ୟ ସରକାରଙ୍କ ବହୁ ଅଧିକାରୀ ଯୋଗ ଦେଇଥିଲେ।

ମହିନ୍ଦ୍ରା ଗୁପ୍‌ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ମୁକୁନ୍ଦ ଲିମିଟେଡ୍‌ ଯୁଗ୍ମ ପରିଚାଳନା ନିର୍ଦେଶକ ସୁକେତୁ ଶାହ, ଗୋଦରେଜ୍‌ ଗ୍ରୁପ ଅଧ୍ୟକ୍ଷ ଆଦି ଗୋଦରେଜ୍‌, କୋକିଳାବେନ୍‌ ହସ୍ପିଟାଲ କାର୍ଯ୍ୟନିର୍ବାହୀ ନିର୍ଦେଶକ ରାମ ନାରାୟଣ, ଆଲମେକ୍ସ ନିର୍ଦେଶକ ଆର୍‌ ରାମକ୍ରିଷ୍ଣନ୍‌, ଫ୍ୟୁଚର ଗ୍ରୁପ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର ବିୟାନି, ହେଞ୍ଜ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପରିଚାଳନା ନିର୍ଦେଶକ ସଂକଳ୍ପ ପଟଭାରେ, ଜୈନ୍‌ ଇରିଗେସନ୍‌ ସିଷ୍ଟମ୍‌ସ ଲିମିଟେଡ୍‌ ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅନୀଲ ଜୈନ୍‌, ରିଲାଏନ୍‌ସ ଇଣ୍ଡଷ୍ଟ୍ରି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ମୁକେଶ ଅମ୍ବାନୀ, ଦୀପକ ନାଇଟ୍ରେଟ୍‌ ଲିମିଟେଡ୍‌ ଦୀପକ ସି ମେହେଟ୍ଟା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୬ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌, ମୁମ୍ବାଇ , ଭୁବନେଶ୍ୱର ଓ ବେଙ୍ଗୁଲୁରରେ ରାଜ୍ୟ ସରକାରଙ୍କୁ ମୋଟ ୩ ଲକ୍ଷ ୬୪ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ପ୍ରତିଶ୍ରୁତି ମିଳିଥିଲା। ୨୦୧୭ ସୁଦ୍ଧା ଏ ମଧ୍ୟରୁ ୨ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଓଡ଼ିଶାରେ ହୋଇସାରିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର