କର୍ନୁଲ୍‌ କ୍ୱାରି ବିସ୍ଫୋରଣ: ତିନି ଶ୍ରମିକଙ୍କ ଶବ ପହଞ୍ଚିଲା, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଖଲ୍ଲିକୋଟ/ଭୁବନେଶ୍ୱର : ଗତ ଶୁକ୍ରବାର ଆନ୍ଧ୍ରପ୍ରଦେଶର କର୍ନୁଲ୍‌ ଜିଲ୍ଲା ଆଲୁର ମଣ୍ଡଳରେ ଏକ ଗ୍ରାନାଇଟ୍‌ ପଥର କ୍ୱାରି ବିସ୍ଫୋରଣରେ ଗଞ୍ଜାମର ୩ଜଣଙ୍କ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ୨ଜଣ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଆଜି ମରଶରୀର ଗାଁରେ ପହଞ୍ଚିବା ଖବର ଶୁଣିବା ପରେ ରମ୍ଭା ଥାନା ଅନ୍ତର୍ଗତ ବିଟି ନୂଆଗାଁ ଓ ଝାରେଡି ରାଧାଗୋବିନ୍ଦପୁର ଗାଁ ଶୋକରେ ବୁଡ଼ି ଯାଇଥିଲା।

ସୂଚନାନୁସାରେ, ମରଶରୀର ଗୁଡ଼ିକୁ ଗତକାଲି ରାତିରେ ବ୍ୟବଚ୍ଛେଦ କରାଯିବା ପରେ ବିମାନ ଯୋଗେ ପଠାଇବା ବ୍ୟବସ୍ଥା କରାଯାଇଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ଝାଡ଼ଖଣ୍ଡର ୭ ଓ ଗଞ୍ଜାମର ୩ଜଣଙ୍କ ମରଶରୀର ଆମ୍ବୁଲାନ୍‌ସ ଯୋଗେ ପୁଲିସ୍‌ ଏସ୍‌କର୍ଟରେ ପଠାଯାଇଥିଲା। ଆମ୍ବୁଲାନ୍‌ସ ବ୍ରହ୍ମପୁର ଦେଇ ସମ୍ପୃକ୍ତ ଗାଁରେ ପହଞ୍ଚିବ। ବିଟି ନୂଆଗାଁ ଓ ଝାରେଡ଼ି ରାଧାଗୋବିନ୍ଦପୁର ପରସ୍ପରଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଥିବାରୁ ଉଭୟ ଗାଁର ଲୋକ ଶତାଧିକ ସଂଖ୍ୟାରେ ଝାରେଡି ରାଧାଗୋବିନ୍ଦପୁର ଗାଁ ମୁହଁରେ ଅପେକ୍ଷା କରିଥିଲେ। ଶବ ପହଞ୍ଚବା ପରେ ଦୁଇ ଗାଁରେ ଶୋକର ଛାୟା ଖେଳିଯାଇଛି।

ଅନ୍ୟପକ୍ଷରେ, ଆନ୍ଧ୍ର ପ୍ରଦେଶର କୁରନୁଲଠାରେ ପଥର ଖଣି ଦୁର୍ଘଟଣାରେ ତିନି ଜଣ ଓଡ଼ିଆ ଶ୍ରମିକ ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକଟ କରିଛନ୍ତି। ମୃତକଙ୍କ ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମବେଦନା ଜଣାଇବା ସହିତ ତାଙ୍କ ସେମାନଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୨ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଏହି ଅର୍ଥ ଦିଆଯିବ। ଆହତଙ୍କ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର