ପ୍ରତି ମାସରେ ‘ପିଠା’ ଶିବିର

ସ୍ବଚ୍ଛତା, ଉତ୍ତରଦାୟୀ ପାଇଁ ନୂଆ ଯୋଜନା

ଭୁବନେଶ୍ବର : ଲୋକଙ୍କୁ ସଶକ୍ତ କରିବା ସହିତ ସରକାରୀ ଯୋଜନାର ସ୍ବଚ୍ଛତା ବଜାୟ ରଖିବା ତଥା ଉତ୍ତରଦାୟିତ୍ବ ନିର୍ଧାରଣ ପାଇଁ ସରକାର ‘ପିଠା’ ନାମ‌ରେ ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ଏ େନଇ ସୂଚନା େଦଇଥିଲେ। ଚଳିତମାସ ଠାରୁ ଏହି େଯାଜନା କାର୍ଯ୍ୟକାରୀ େହବ।

ସରକାରଙ୍କ ପକ୍ଷରୁ କୁହାଯାଇଛି, ଆମ ଗାଁ ଆମ ବିକାଶର ଏହା ଏକ ଉପଯୋଜନା ଭାବେ କାର୍ଯ୍ୟ କରିବ। ପିପୁଲ୍ସ ଏମ୍ପାୱାରମେଣ୍ଟ୍-ଏନାବ୍ଲିଂ ଟାନ୍ସପରେନ୍ସି ଆଣ୍ଡ ଆକାଉଣ୍ଟେବିଲିଟି ଅଫ୍ ଓଡ଼ିଶା ଇନିସିଏଟିଭ୍‌ସ୍ (ପିଠା) ନାମକ ଏହି ଯୋଜନାରେ ଗ୍ରାମ ପଞ୍ଚାୟତସ୍ତରରେ ପ୍ରତିମାସ ୧୫ରୁ ୨୦ ତାରିଖ ମଧ୍ୟରେ ଶିବିରମାନ ଆୟୋଜନ କରାଯିବ। ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ସାମାଜିକ ଓ ବ୍ୟକ୍ତିଗତ ଯୋଜନାର ଲାଭ ସମ୍ପର୍କିତ ସ୍ବଚ୍ଛତାରେ ଏହି ଶିବିର ମାଧ୍ୟମରେ ଉନ୍ନତି ଅଣାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାରଙ୍କ ‘ଥ୍ରି-ଟି’ ପଦକ୍ଷେପ ବା ଟେକ୍ନୋଲୋଜି, ଟ୍ରାନ୍ସ‌ପରେନ୍ସି ଏବଂ ଟିମ୍ ୱାର୍କ ମଡେଲ୍‌ର ‘ପିଠା’ ହେଉଛି ଏକ ଅଂଶବିଶେଷ। ଗ୍ରାମପଞ୍ଚାୟତ ସ୍ତରରେ ପ୍ରତିମାସରେ ଯେଉଁ ଶିବିରମାନ ଆୟୋଜନ କରାଯିବ ସେଥିରେ ଏଲ୍‌ଇଡି ବଣ୍ଟନର ଠାରୁ ଆରମ୍ଭ କରି ମଧୁ ବାବୁ ପେନ୍‌ସନ୍‌ ଯୋଜନା, କଳାକାର ପେନ୍‌ସନ୍‌, ନିର୍ମାଣ ଶ୍ରମିକଙ୍କ ଲାଭ ଏବଂ ସ୍ଥାନୀୟ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅନ୍ୟାନ୍ୟ ବ୍ୟକ୍ତିଗତ ଲାଭ ଉପରେ ପଦକ୍ଷେପ ନିଆଯିବ। ବିଭିନ୍ନ ପ୍ରସଙ୍ଗରେ ସରକାର ନେଉଥିବା ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉପରେ ସଚେତନତା ସୃଷ୍ଟି କରାଯିବ।

କେବଳ ସେତିକି ନୁହେଁ, ସରକାରୀ ଯୋଜନା ଗୁଡ଼ିକୁ ବ୍ଲକସ୍ତରର ପର୍ଯ୍ୟବେକ୍ଷକମାନେ ନିରୀକ୍ଷଣ କରିବେ। ଯୋଜନାର କାର୍ଯ୍ୟକାରିତାରେ ସ୍ବେଚ୍ଛାସେବୀ ଓ ସାମାଜିକ କର୍ମୀମାନେ ସହାୟତା କରିବେ। ‘ପିଠା’ ଆୟୋଜନ ପାଇଁ ଆକର୍ଷଣୀୟ ପୁରସ୍କାର ବ୍ୟବସ୍ଥା କରାଯାଇଛି। ସବୁ ମାସରେ ପ୍ରତି ବ୍ଲକର ଶ୍ରେଷ୍ଠ ପଞ୍ଚାୟତକୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଶିବିର ଶେଷ ହେବା ପରେ ପ୍ରତି ଜିଲ୍ଲାର ଶ୍ରେଷ୍ଠ ପଞ୍ଚାୟତଗୁଡ଼ିକୁ ଜିଲ୍ଲାସ୍ତରରେ ପୁରସ୍କୃତ କରାଯିବ। ଏଥିସହିତ ରାଜ୍ୟସ୍ତରରେ ମଧ୍ୟ ଶ୍ରେଷ୍ଠ ପଞ୍ଚାୟତ, ବ୍ଲକ୍ ଏବଂ ଜିଲ୍ଲା ଗୁଡ଼ିକୁ ସମ୍ମାନିତ କରାଯିବା ସହ ସ୍ବତନ୍ତ୍ର ପାଣ୍ଠିରେ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର