୨୫୮୪୫ ‌କୋଟିର ୬ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରି

୧୮୦୭ କୋଟିର ୧୫ଟି ଶିଳ୍ପ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୮୦୭.୯୨ କୋଟି ଟଙ୍କା ବ୍ୟୟରେ ସ୍ଥାପିତ ୧୫ଟି ଶିଳ୍ପାନୁଷ୍ଠାନର କାର୍ଯ୍ୟାରମ୍ଭ କରିଛନ୍ତି। ଏସବୁ ଶିଳ୍ପ ମାଧ୍ୟମରେ ୮,୮୮୩ ଜଣ ବ୍ୟକ୍ତିଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ଅନୁମୋଦନ କତୃର୍ପକ୍ଷ(ଏଚ୍‌ଏଲ୍‌ସିଏ) ୨୫,୮୪୫ କୋଟିର ୬ଟି ବୃହତ୍‌ ମାନୁଫାକ୍ଚରି˚ ଶିଳ୍ପ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ପ୍ରସ୍ତାବିତ ଶିଳ୍ପଗୁଡ଼ିକ ଜରିଆରେ ପ୍ରାୟ ୧୩,୭୦୦ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସୂଚନା ଦିଆଯାଇଛି।

ଉତ୍ସବରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦ୍ରୁତ ଗତିରେ ଶିଳ୍ପ ପ୍ରକଳ୍ପଗୁଡ଼ିକ କାର୍ଯ୍ୟାରମ୍ଭ କରୁଥିବାରୁ ଆନନ୍ଦ ପ୍ରକାଶ କରିଥିଲେ। ସେ କହିଲେ, ରାଜ୍ୟ ସରକାରଙ୍କ ଘରୋଇ ଶିଳ୍ପା˚ଚଳ ପାର୍କ ନୀତି ନିବେଶକଙ୍କ ମଧ୍ୟରେ ଅନୁକୂଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଧାମରାରେ ଅନୁଷ୍ଠିତ ଶିଳ୍ପା˚ଚଳ ପାର୍କର ଗ୍ରାଉଣ୍ତବ୍ରେକି˚ ହୋଇଥିବାରୁ ଏହା ରାଜ୍ୟରେ ବନ୍ଦରଭିତ୍ତିକ ମାନୁଫାକ୍ଚରି˚ ଶିଳ୍ପକୁ ପ୍ରୋତ୍ସାହିତ କରିବ। ଏକ ବର୍ଷରୁ କମ୍‌ ସମୟ ମଧ୍ୟରେ ୬୪ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଦ୍ବାରା ପ୍ରାୟ ୩୦,୦୦୦ ଯୁବକ ଯୁବତୀଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି।

ଏହା ସହିତ ନବରଙ୍ଗପୁରରେ ପ୍ରସ୍ତାବିତ ମକା ପ୍ରକ୍ରିୟାକରଣ ପ୍ଲାଣ୍ଟ ଶିଳ୍ପ ପଛୁଆ ଜିଲ୍ଲାରେ ନୂଆ ନିଯୁକ୍ତି ସୃଷ୍ଟି ଦିଗରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଉଲ୍ଲେଖଯୋଗ୍ୟ, ରାଜ୍ୟ ଶିଳ୍ପାୟନର ପ୍ରମୁଖ ସ୍ଥାନରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ୧୫ରୁ ୮ଟି ପ୍ରକଳ୍ପ ରହିଛି। ଏହା ପୂର୍ବ ଭାରତର ଖାଦ୍ୟ ପ୍ରକ୍ରିୟାକରଣ ହବ୍‌ ଭାବେ ଓଡ଼ିଶାର ସ୍ଥାନକୁ ସୁଦୃଢ଼ କରୁଛି। ସେହିପରି ରାଜ୍ୟ ସରକାର ପ୍ରଣୟନ କରିଥିବା ଓଡ଼ିଶା ଏରୋସ୍ପେସ୍‌ ଓ ଡିଫେନ୍ସ ମାନୁଫାକଚରିଂ ନୀତି ମାନୁଫକଚରିଂ ଶିଳ୍ପ ସ୍ଥାପନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ବୋଲି ଶ୍ରୀ ପଟ୍ଟନାୟକ ଆଶାପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ଆଉ କିଛିଦିନ ପରେ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଆରମ୍ଭ ହେଉଥିବାରୁ ଏହାର ବୃହତ୍‌ ସଫଳତା ହାସଲ ପାଇଁ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର