ତିତ୍‌ଲି: ପୁଣି ଦାବି ଜଣାଇ‌େଲ ନବୀନ

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚିଠିଯୁଦ୍ଧ

ଭୁବନେଶ୍ବର : ତିତ୍‌ଲି କ୍ଷତିଗ୍ରସ୍ତ ଅଞ୍ଚଳ ପାଇଁ ଏ ପର୍ଯ୍ୟନ୍ତ କେନ୍ଦ୍ରୀୟ ସହାୟତା‌ ମିଳି ନାହିଁ। ଆଜି ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅର୍ଥ ଅଭାବରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ମରାମତି ଓ ପୁନଃନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ତୁରନ୍ତ କେନ୍ଦ୍ରୀୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ଶ୍ରୀ ପଟ୍ଟନାୟକ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ତିତଲି ବାତ୍ୟା, ବନ୍ୟା ଓ ଭୂସ୍ଖଳନ ଯୋଗୁ ୧୭ ଜିଲ୍ଲାର ୧୨୮ଟି ବ୍ଲକ୍ ପ୍ରଭାବିତ ହୋଇଛି। ୬୦.୩୧ ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ଦୁର୍ବିପାକର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍‌କାଳ ସବୁପ୍ରକାର ପଦକ୍ଷେପ ‌େନଇଥିଲେ। କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ଦେବା ସହ ନଷ୍ଟ ହୋଇଯାଇଥିବା ଘର, ଭିତ୍ତିଭୂମି ଆଦିର ମରାମତି କାର୍ଯ୍ୟ ତୁରନ୍ତ ଆରମ୍ଭ କରିଥିଲେ। ରାଜ୍ୟ ସରକାର ୨୭୭୯.୩୨ କୋଟି ଟଙ୍କାର କ୍ଷତି ଆକଳନ କରି ଏକ ସ୍ମାରକପତ୍ର ଜରିଆରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ଠାରୁ ୨୦୨୩.୧୩ କୋଟି ଟଙ୍କା ସହାୟତା ମାଗିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଗତ ଅକ୍ଟୋବର ୧୮ ତାରିଖରେ ଚିଠି ଲେଖି ୧୦୦୦ କୋଟି ଟଙ୍କା ଅନ୍ତରୀଣ ସହାୟତା ଦେବାକୁ ଅନୁରୋଧ କରାଯାଇଥିଲା। ଏହା ମଧ୍ୟରେ କେନ୍ଦ୍ରୀୟ ଟିମ୍ ନଭେମ୍ବର ପ୍ରଥମ ସପ୍ତାହରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଆମେ କୌଣସି ସହାୟତା ପାଇ ନାହୁଁ।

ମୁଖ୍ୟମନ୍ତ୍ରୀ ଆହୁରି ଜଣାଇଛନ୍ତି, ରିଲିଫ୍ ଓ ଭିତ୍ତିଭୂମି ପୁନରୁଦ୍ଧାର ବାବଦକୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଆର୍ଏଫ୍‌)ରୁ ୧୬୮୯.୧୩ କୋଟି ଟଙ୍କା ଖର୍ଚ କରାଯାଇଛି। ଫଳରେ ଏସ୍‌ଡିଆର୍‌ଏଫ୍ ପାଣ୍ଠିରେ ଆଉ ଅର୍ଥ ନାହିଁ। ଏହି ପାଣ୍ଠି ପୂରଣ ସହ ବାକି ରହିଥିବା ମରାମତି ଓ ପୁନଃନିର୍ମା‌ଣ କାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ୍‌ରୁ ଅର୍ଥ ଜରୁରୀ ହୋଇପଡ଼ିଛି। ତେଣୁ ଏନ୍‌ଡିଆର୍‌ଏଫ୍‌ରୁ ତୁରନ୍ତ ସହାୟତା ମିଳିଲେ ଅବଶିଷ୍ଟ କାମ ତ୍ବରାନ୍ବିତ କରାଯାଇପାରିବ। ଶ୍ରୀ ସିଂହ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ତୁରନ୍ତ କେନ୍ଦ୍ରୀୟ ସହୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ୬ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ତିତଲି କ୍ଷୟକ୍ଷତି ପାଇଁ ଆନ୍ଧ୍ରପ୍ରଦେଶକୁ ୫୩୯.୫୨ କୋଟି ଟଙ୍କାର ଆର୍ଥିକ ସହାୟତାକୁ ମଞ୍ଜୁର କରାଯାଇଥିଲା। ଏହି ବୈଠକରେ କେରଳର ବନ୍ୟା ଓ ନାଗାଲାଣ୍ଡ୍‌ର ଭୂସ୍ଖଳନ ପାଇଁ ମଧ୍ୟ ଅତିରିକ୍ତ ସହାୟତା ମଞ୍ଜୁର କରାଯାଇଥିଲା। କିନ୍ତୁ ଓଡ଼ିଶା ସରକାର ତିତଲି କ୍ଷୟକ୍ଷତି ପାଇଁ ୨୭୮୦ କୋଟି ଟଙ୍କା ଦାବି କରିଥିଲେ ବି ଟଙ୍କାଟିଏ ସହାୟତା ପ୍ରଦାନ କରାଯାଇ ନ ଥିଲା। ଏପରିକି ବୈଠକରେ ଓଡ଼ିଶା ଦାବି ସମ୍ପର୍କରେ ଆଲୋଚନା ହୋଇ ନ ଥିବା କୁହାଯାଇଥିଲା। ଏହା ପରେ ଗତ ୯ ତାରିଖରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା କରିଥିଲେ। ଓଡ଼ିଶାକୁ ଅତିରିକ୍ତ ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ପ୍ରଧାନ ଟ୍ବିଟ୍ କରି ଜଣାଇଥିଲେ। କିନ୍ତୁ ସେହି ଅର୍ଥ କେବେ ଓ କେତେ ମିଳିବ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ସମ୍ବନ୍ଧିତ ଖବର