ଲାଭ ନେଉଛ, ଅବହେଳା କରୁଛ : ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

ମୋଦୀଙ୍କୁ ପୁଣି ଚିଠି ଲେଖି ଅସନ୍ତୋଷ ଝାଡ଼ିଲେ

ଭୁବନେଶ୍ବର : କେନ୍ଦ୍ରରେ ଯିଏ ସରକାରରେ ରହିଲା ସେ ଓଡ଼ିଶାକୁ ଅବହେଳା କରିଆସିଛି। ଓଡ଼ିଶା ଲଗାତାର ଭାବେ ଦେଶର ଅବିକଶିତ ରାଜ୍ୟ ଭାବେ ପରିଗଣିତ ହେଉଛି। ଯୋଗାେଯାଗ ଘନତ୍ବ ଠାରୁ ଆରମ୍ଭକରି ରେଳପଥ, ବ୍ୟାଙ୍କିଙ୍ଗ୍ ସେବା, ଜାତୀୟ ରାଜପଥ, ବିମାନ ଯୋଗାେଯାଗ କ୍ଷେତ୍ରରେ ଓଡ଼ିଶା ଆଜି ବି ତଳେ ରହିଛି।

ଏମିତି କିଛି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ପୁଣିଥରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇଛନ୍ତି। ମୁଖ୍ୟମନ୍ତ୍ରୀ ସିଧା ସିଧା କହିଛନ୍ତି, ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହାସଲ କଲେ ବିକାଶ ‌‌କ୍ଷେତ୍ରରେ ଆଉ ଦି ପାଦ ଆଗକୁ ଯାଇହେବ। କେବଳ ସେତିକି ନୁେହଁ, ଜାତୀୟ ଅଭିବୃଦ୍ଧି ହାର ଠାରୁ ଓଡ଼ିଶା ଉପରେ ଥିଲେ େହଁ ଏହି ଦାବି ହାସଲ ହେଲେ ଶିଳ୍ପ େକ୍ଷତ୍ରରେ ବିକାଶ େହବା ସହିତ ଅଧିକ ନିଯୁକ୍ତି ସୁେଯାଗ ସୃଷ୍ଟି େହାଇପାରିବ।

ତିନି ପୃଷ୍ଠାର ଦୀର୍ଘ ଚିଠିରେ ମୁଖ୍ୟମନ୍ତ୍ରୀ ରାଜ୍ୟ େକଉଁ କେଉଁ େକ୍ଷତ୍ରରେ ବିକଳ ସ୍ଥିତିରେ ରହିଛି ଏବଂ କେଉଁ େକ୍ଷତ୍ରରେ ବିକାଶ ହାସଲ କରିଛି, ତାର ଏକ ସ୍ପଷ୍ଟ ଚିତ୍ର ରଖିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ କ୍ଷତି ଭରଣା ପର୍ଯ୍ୟାପ୍ତ ନୁହେଁ େବାଲି ଠାରିବାକୁ ଯାଇ ମୁଖ୍ୟମନ୍ତ୍ରୀ ଗତବର୍ଷ ଅକ୍ଟୋବର ୧୧ ତାରିଖରେ ତିତ୍‌ଲି ବାତ୍ୟା ଓ ପରବର୍ତ୍ତୀ ବନ୍ୟା କ୍ଷୟକ୍ଷତି ପ୍ରସଙ୍ଗ ଉଠାଇଛନ୍ତି। ଦର୍ଶାଇଛନ୍ତି, ଏହାର ଭରଣା ଓ ପୁନର୍ବାସ ପାଇଁ ରାଜ୍ୟ ସରକାର ଅଧିକ ସମ୍ବଳ ଆବଶ୍ୟକ କରୁଛନ୍ତି। ବାତ୍ୟା ଓ ବନ୍ୟାରେ ବହୁମାତ୍ରାରେ ଫସଲ, ବାସଗୃହ ନଷ୍ଟ ହେଲା, ତଥାପି ରାଜ୍ୟ ସରକାର ବିନା ଧନଜୀବନ ହାନିରେ ସମସ୍ତ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍‌ ତ୍ବାରାନ୍ବିତ କରିବା ସହ ଅଳ୍ପଦିନ ଭିତରେ ସ୍ବାଭାବିକ ଅବସ୍ଥା ଫେରାଇପାରିଛନ୍ତି।

ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଓଡ଼ିଶାର ସ୍ବତନ୍ତ୍ର ଭୌଗୋଳିକ ପାଣିପାଗ ଅବସ୍ଥିତି ଯୋଗୁଁ ବାରମ୍ବାର ପ୍ରାକୃତିକ ଦୁର୍ବିପାକର ଶିକାର ହେଉଛି। ଏପରିକି ୧୯୦୦ ମସିହାରୁ ୨୦୧୮ ମଧ୍ୟରେ ପ୍ରାୟ ପ୍ରତିବର୍ଷ ବନ୍ୟା, ବାତ୍ୟା, ଘୂର୍ଣ୍ଣିଝଡ଼ ଓ ମରୁଡ଼଼ି ପ୍ରକୋପ ସାମ୍ନା କରୁଛି ଓଡ଼ିଶା। ରାଜ୍ୟର ୮୦ ପ୍ରତିଶତ ଅଞ୍ଚଳ ଓ ପାଖାପାଖି ୯୦ ପ୍ରତିଶତ ଲୋକ ଏହାଦ୍ବାରା ଗଭୀର ଭାବେ ପ୍ରଭାବିତ େହଉଛନ୍ତି। ରାଜ୍ୟର ୩୫ ପ୍ରତିଶତ ଅଞ୍ଚଳରେ ବନ୍ୟା ଓ ବାତ୍ୟା ଯୋଗୁଁ ଅଧିକ କ୍ଷୟକ୍ଷତି ଘଟୁଛି। ଜଳବାୟୁରେ ବ୍ୟାପକ ପରିବର୍ତ୍ତନ କାରଣରୁ ଉପକୂଳ ଅଞ୍ଚଳଗୁଡ଼ିକ ବାତ୍ୟାପ୍ରବଣ ହୋଇସାରିଲାଣି। ସେହିପରି ଜଳବାୟୁ ପରିବର୍ତ୍ତନ ଯୋଗୁଁ ଓଡ଼ିଶା ନିୟମିତ ବ୍ୟବଧାନରେ ମରୁଡି ଦେଖୁଛି।

ମୁଖ୍ୟମନ୍ତ୍ରୀ ଚିଠିରେ ଜଣାଇଛନ୍ତି, ପ୍ରାକୃତିକ ଦୁର୍ବିପାକବେଳେ ସର୍ବସାଧାରଣ ସମ୍ପତ୍ତି ନଷ୍ଟ ହେଲେ ତାର ପୁନରୁଦ୍ଧାର ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ଓ ଜାତୀୟ ସହାୟତା ପାଣ୍ଠିର ବିନିଯୋଗ କରିବାରେ କଟକଣା ରହିଛି। ଜାତୀୟ ବିପର୍ଯ୍ୟୟ ପାଣ୍ଠି ଯେତିକି ରାଜ୍ୟକୁ ମିଳୁଛି ସେଥିରେ ସର୍ବସାଧାରଣ ସମ୍ପତ୍ତି ପୁନରୁଦ୍ଧାର ହୋଇପାରୁନାହିଁ। ଏଥିପାଇଁ ରାଜ୍ୟକୁ ଅଧିକ ଆର୍ଥିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଛି। ଏସବୁ ଆହ୍ବାନ ସତ୍ତ୍ବେ ଓଡ଼ିଶା ସାମାଜିକ ଓ ଅର୍ଥନୀତି କ୍ଷେତ୍ରରେ ମନ୍ଥର ଗତିରେ ବିକାଶ କରିଚାଲିଛି।

ବିଗତ ୬ ବର୍ଷ ଭିତରେ ଓଡ଼ିଶାର ଜିଡିପିରେ ୫୦ ପ୍ରତିଶତ ଅଭିବୃଦ୍ଧି ଘଟିଛି େବାଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୦୪-୦୫ରୁ ୧୦୧୧-୧୨ ଭିତରେ ରାଜ୍ୟର ଦାରିଦ୍ର୍ୟ ୨୪.୬୧ ପ୍ରତିଶତ କମିଛି। ଏହା ଜାତୀୟ ସ୍ତରରେ ଅନ୍ୟରାଜ୍ୟଠାରୁ ଯଥେଷ୍ଟ ଅଧିକ। ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିବା ସହ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ଫଳରେ ମାତୃ ଓ ଶିଶୁ ମୃତ୍ୟୁହାର କମାଇବା େକ୍ଷତ୍ରରେ ସଫଳତା ମିଳିଛି। ମ୍ୟାଲେରିଆ ନିରାକରଣରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଓଡ଼ିଶାକୁ ମାନ୍ୟତା ଦେବା ସହ ମମତା ଯୋଜନାରେ ୩୧ ଲକ୍ଷରୁ ଅଧିକ ମହିଳା ନିରାପଦ ମାତୃତ୍ବର ଲାଭ କରିଛନ୍ତି। ମିସନ ଶକ୍ତି ଜରିଆରେ ୬ ଲକ୍ଷ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ୭୦ ଲକ୍ଷ ମହିଳା ସଦସ୍ୟ ଆର୍ଥିକ ସ୍ତରରେ ଲାଭବାନ ହୋଇ ଆତ୍ମନିର୍ଭଶୀଳ ହୋଇପାରିଛନ୍ତି। ସେହିପରି ସରକାରଙ୍କ ଗ୍ରାମୀଣ ଆବାସ ଯୋଜନାରେ ୨୦ ଲକ୍ଷ ବାସଗୃହ ନିର୍ମାଣ ହୋଇଛି। ଯେଉଁଥିପାଇଁ ୨୦୧୬-୧୭ ମସିହାରେ ରାଜ୍ୟର ୬ଟି ଜିଲ୍ଲାକୁ ପୁରସ୍କୃତ କରାଯାଇଛି । ସେହିପରି ୨୦୦୦ ମସିହାରେ ରାଜ୍ୟରେ ଥିବା ୧୬ ଲକ୍ଷ ବିଦ୍ୟୁତ ଗ୍ରାହକ ସଂଖ୍ୟାରେ ବୃଦ୍ଧି ଘଟି ୭୨ ଲକ୍ଷରେ ପହଞ୍ଚିଛି । ୨୦୧୪ର ୮ ଲକ୍ଷ ହେକ୍ଟର ଜମିରେ ଥିବା ଜଳସେଚନ ସୁବିଧା ଯୋଗାଇଦିଆଯାଇଛି େବାଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡ଼ିଶା ୮ଲକ୍ଷ େହକ୍ଟର ଜମିକୁ ଜଳ ପହଞ୍ଚାଇସାରିଲାଣି। ପାଞ୍ଚବର୍ଷ ମଧ୍ୟରେ ୧୦ଲକ୍ଷ ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ ଅଳ୍ପ ଦିନ ମଧ୍ୟରେ ହାସଲ ହେବ।

ହେଲେ ଉଦ୍‌ବେଗର ବିଷୟ େହଉଛି, ଦେଶର ବିକାଶ ଓ ଅଭିବୃଦ୍ଧି େକ୍ଷତ୍ରରେ ଓଡ଼ିଶାର ଖଣିଜ ସଂପଦର ଅବଦାନ କିଛି କମ ନୁହେଁ। ଦେଶକୁ ଶକ୍ତି େକ୍ଷତ୍ରକୁ ସ୍ବାବଲମ୍ବୀ କରିବାରେ ଓଡ଼ିଶାରେ ଅବଦାନ ଅତୁଳନୀୟ। ସେମିତି େକାଇଲା ଖଣି କାରଣରୁ େରଳବାଇ ଲାଭାଂଶର ସିଂହଭାଗ ଓଡ଼ିଶାରୁ ମିଳୁଛି। ଏସବୁ ସତ୍ତ୍ବେ କେନ୍ଦ୍ର ସରକାର ରାଜ୍ୟକୁ କିଭଳି ଅବହେଳା କରୁଛନ୍ତି, ସେ ନେଇ ମୁଖ୍ୟମନ୍ତ୍ରୀ ଅସନ୍ତୋଷ ଝାଡିବା ସହିତ ଏହି ଦାବି ପୂରଣ କରିବା ପାଇଁ ନିେବଦନ କରିଛନ୍ତି।

ସମ୍ବନ୍ଧିତ ଖବର