ଝାରସୁଗୁଡ଼ାରୁ ନୂଆଦିଲ୍ଲୀ ବିମାନ ଉଡାଣ ହେଉ

ପ୍ରଭୁଙ୍କୁ ଚିଠି ଲେଖିଲେ ନବୀନ, ବୀର ସୁରେନ୍ଦ୍ର ସାଏଙ୍କ ନାମରେ ବିମାନବନ୍ଦରର ନାମକରଣ ଦାବି

ଭୁବନେଶ୍ୱର : ଆସନ୍ତା ୨୨ ତାରିଖରେ ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପିତ ହେବ। ତାହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ଝାରସୁଗୁଡ଼ା-ନୂଆଦିଲ୍ଲୀ ବିମାନ ଚଳାଚଳ ପାଇଁ ସେ ଅନୁରୋଧ କରିବା ସହ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ବିମାନବନ୍ଦରର ନାମକରଣ ଦାବିକୁ ଦୋହରାଇଛନ୍ତି।

ସେପ୍ଟେମ୍ବର ୨୨ରେ ବିମାନବନ୍ଦର ଉଦ୍‌ଘାଟିତ ହେବା ସହ ସେଠାରୁ ଉଡାନ୍‌ ଯୋଜନାରେ ବିମାନ ସେବା ଆରମ୍ଭ ହେବ। ମୁଖ୍ୟମନ୍ତ୍ରୀଙ୍କ ଚିଠିରେ ଦର୍ଶାଇଛନ୍ତି, ଓଡ଼ିଶାର ଶିଳ୍ପ ଓ ଖଣି ଅଞ୍ଚଳରେ ଝାରସୁଗୁଡ଼ା ରହିଛି। ପଶ୍ଚିମ ଓଡ଼ିଶାରେ ଏହି ସହରର କ୍ରମବର୍ଦ୍ଧିଷ୍ଣୁ ଗୁରୁତ୍ୱକୁ ଉପଲବ୍ଧି କରି ଝାରସୁଗୁଡ଼ାକୁ ବ୍ୟବସାୟିକ ଭିତ୍ତିରେ ବିମାନ ଚଳାଚଳ ଆରମ୍ଭ କରିବାର ଆବଶ୍ୟକତା ରହିଛି। ଏହି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ଗୋଟିଏ ଏୟାର ଇଣ୍ଡିଆ ବିମାନକୁ ଝାରସୁଗୁଡ଼ାରୁ ଯିବା ପାଇଁ ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ଝାରସୁଗୁଡ଼ା ବିମାନବନ୍ଦରକୁ ନାମିତ କରିବା ପାଇଁ ରାଜ୍ୟ ସରକାର ପୂର୍ବରୁ ଅନୁରୋଧ କରିଥିଲେ। ତେଣୁ ଏହାକୁ ତୁରନ୍ତ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ପୂର୍ବ ଅନୁରୋଧକୁ ଦୋହରାଇଛନ୍ତି।

ସମ୍ବନ୍ଧିତ ଖବର