କେରଳରୁ ଫେରିଥିବା ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଧନା

ଭୁବନେଶ୍ୱର : କେରଳରେ ବନ୍ୟା ବିପନ୍ନଙ୍କ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ସମ୍ବର୍ଧିତ କରିଛନ୍ତି। ସେମାନେ ରାଜ୍ୟର ଗର୍ବ ଓ ଗୌରବ ବୃଦ୍ଧି କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସେମାନଙ୍କ କଲ୍ୟାଣ ପାଣ୍ଠିକୁ ପ୍ରତିବର୍ଷ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେମାନଙ୍କ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ଅଗ୍ନିଶମ ସେବା ପୁଲିସ ମହାନିର୍ଦେଶକ ବି.କେ.ଶର୍ମା କହିଲେ, ଓଡ଼ିଶାରୁ ଟିମ୍‌ ଲିଡର ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ୨୪୫ଜଣ ଅଗ୍ନିଶମ କର୍ମଚାରୀ କେରଳକୁ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଯାଇଥିଲେ। ସାଙ୍ଗରେ ସେମାନେ ୬୪ଟି ପାଓ୍ଵାର ବୋଟ୍‌ ମଧ୍ୟ ନେଇଥିଲେ। ସେମାନେ କେରଳର ଆଲାପୁଝା ଓ କୋଟାୟାମ ଜିଲ୍ଲାରେ ୫ ହଜାରରୁ ଅଧିକ ଲୋକଙ୍କୁ ପାଣିଘେରରୁ ଉଦ୍ଧାର କରିଥିଲେ। ଓଡ଼ିଶାର ଏହି ଟିମ୍‌କୁ ଦକ୍ଷିଣ ଭାରତର ପ୍ରମୁଖ ଖବରକାଗଜରେ ଉଚ୍ଚପ୍ରଶଂସା କରାଯାଇଥିଲା। କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ରୂପା ତାରକସିର ଏକ ଉପହାର ଦେଇଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର