ମହାନଦୀ ଆନ୍ଦୋଳନକୁ ଜୋର୍‌ଦାର୍‌ କରିବ ବିଜେଡି : ‘ପାଣି ବନ୍ଦ କରିଦେଇଛି ବିଜେପି’

ଭୁବନେଶ୍ୱର : କେନ୍ଦ୍ରର ବିଜେପି ସରକାର ଓ ଛତିଶଗଡ଼ର ବିଜେପି ସରକାର ଆମ ରାଜ୍ୟକୁ ମହାନଦୀ ପାଣି ବନ୍ଦ କରିଦେଇଛନ୍ତି। ଗାଁକୁ ଯାଇ ଲୋକଙ୍କୁ ଏଇ କଥା ବୁଝାଅ। ବ୍ୟାପକ ଜନସଚେତନତା ସୃଷ୍ଟି କର। ବିଜେଡିର ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ଅବସରରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୫ଟି ଜିଲ୍ଲାର ଜନପ୍ରତିନିଧିମାନଙ୍କୁ ଏମିତି ଆହ୍ଵାନ ଦେଇଛନ୍ତି।

ବିଜେଡି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଏଥିପାଇଁ ଏକ କର୍ମଶାଳା ଆଜି ଆୟୋଜନ କରାଯାଇଥିଲା। ମହାନଦୀ ଅବବାହିକାର ୧୫ଟି ଜିଲ୍ଲାର ବିଧାୟକ, ବିଧାୟିକା, ସାଂସଦ, ଜିଲ୍ଲା ସଭାପତି, ଜିଲ୍ଲା ପର୍ଯ୍ୟବେକ୍ଷକ, ଛାମୁଆ ସଂଗଠନର ସଭାପତି, ବ୍ଲକ୍‌ ଓ ନଗର ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ୍‌ ଅଧ୍ୟକ୍ଷ, ପୌରପାଳିକା ଅଧ୍ୟକ୍ଷମାନେ ଅଂଶଗ୍ରହଣ କରିଥିଲେ। ଦଳର ଛାମୁଆ ସଂଗଠନର କର୍ମକର୍ତ୍ତମାନେ ମଧ୍ୟ ଯୋଗ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ, ମହାନଦୀ ଟ୍ରିବ୍ୟୁନାଲ୍‌ ଗଠନ ପାଇଁ ରାଜ୍ୟ ସରକାର ଆବେଦନ କରିଥିଲେ। କିନ୍ତୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍‌ ଗଠନ କଲେନି। ଆମେ ସୁପ୍ରିମକୋର୍ଟ ଗଲା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଏହା ଗଠନ ହେଉଛି। ମହାନଦୀ ଶୁଖିଗଲାଣି। ଏଥିରେ ପାଣି ନାହିଁ। ଛତିଶଗଡ଼ ସରକାର ପାଣି ଛାଡ଼ୁନାହାନ୍ତି। ଏପରି ଅବିଚାର ବିରୋଧରେ ବିଜେଡିର ସଂଗ୍ରାମ ଜାରି ରହିବ। ମହାନଦୀ ପାଇଁ ତା’ର ଉପନଦୀ ଇବ୍‌ ଓ ତେଲ୍‌ ନଦୀ କଳରେ ୧୬,୫୦୦ ହେକ୍ଟର୍‌ରୁ ଅଧିକ ବନୀକରଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ‘ସବୁଜ ମିସନ୍‌’ ଜରିଆରେ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

ଏହି ଅବସରରେ ‘ମହାନଦୀ ପାଇଁ ମହାସଂଗ୍ରାମ’ ନାମକ ଏକ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡ଼ିଶାରେ ମହାନଦୀର ସ୍ଥିତି ଓ ସଦ୍ୟତମ ସମସ୍ୟା ଉପରେ ଏକ ପ୍ରମାଣିକ ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା। ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଆଜିର କର୍ମଶାଳା ଆରମ୍ଭରେ ମହାନଦୀ ସଙ୍କଟର ଘଟଣା ପ୍ରବାହ ଉପରେ ଦେବୀ ପ୍ରସାଦ ମିଶ୍ର, ସୂର୍ଯ୍ୟ ନାରାୟଣ ପାତ୍ର, କିଶୋର କୁମାର ମହାନ୍ତି ଓ ଅରୁଣ କୁମାର ସାହୁ
ସୂଚନା ଦେଇଥିଲେ। ପରେ ସୁଖାସୋଡ଼ା ଗ୍ରାମ ଯେଉଁଠି ମହାନଦୀ ଓଡ଼ିଶାରେ ପ୍ରବେଶ କରିଛି, ସେହି ଗ୍ରାମର ଚାଷୀ ଟୀକାରାମ ଭୋଇ ମହାନଦୀର ତଳମୁଣ୍ଡରେ ଥିବାରୁ ଚାଷୀକୂଳ କିପରି ହଇରାଣ ହେଉଛନ୍ତି, ସେ ସମ୍ପର୍କରେ ଉଲ୍ଲେଖ କରିଥିଲେ। ମହାନଦୀ ସଙ୍କଟର ବୈଷୟିକ ଦିଗ ଉପରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଇଂ ଶ୍ରୀଧର ବେହେରା ଓ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଆଲୋଚନା କରିଥିଲେ। ମହାନଦୀ ବିବାଦର ଆଇନ୍‌ଗତ ଦିଗ ଉପରେ ଅସିମ ଅମିତାଭ ଦାସ ସୂଚନା ଦେଇଥିଷଲ।

ମହାନଦୀ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ସଂଗ୍ରାମ ଅଭିଯାନ ସମ୍ପର୍କରେ ଦଳର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଦାସବର୍ମା ପ୍ରସ୍ତାବ ଆଗତ କରିଥିଲେ। ବିଧାୟକ ପଦ୍ମନାଭ ବେହେରା, ଅତନୁ ସବ୍ୟସାଚ୍ଚୀ ନାୟକ, ରାସେଶ୍ୱରୀ ପାଣିଗ୍ରାହୀ, ସାଂସଦ ପ୍ରତାପ କେଶରୀ ଦେବ, ଭର୍ତ୍ତୃହରି ମହତାବ, ତଥାଗତ ଶତପଥୀ, ନଗେନ୍ଦ୍ର ପ୍ରଧାନ, କୁଳମଣି ସାମଲ, କଳିକେଶ ନାରାୟଣ ସିଂହଦେଓ, ସୌମ୍ୟରଞ୍ଜନ ପଟ୍ଟନାୟକ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଅଶୋକ ଚନ୍ଦ୍ର ପଣ୍ଡା, ସୁଶାନ୍ତ ସିଂହ, ବେଦ ପ୍ରକାଶ ଅଗ୍ରଓ୍ଵାଲ, ସରକାରୀ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ, ପ୍ରମିଳା ମଲ୍ଲିକ, ବିଷ୍ଣୁଚରଣ ଦାସ ଏହି ଅଭଯାନ ସମ୍ପର୍କରେ ଆଲୋଚନା କରିଥିଲେ। ଶେଷରେ ଦଳର ସାଧାରଣ ସମ୍ପାଦକ ଦେବାଶିଷ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଗାମୀ ଦୁଇ ଦିନ ମଧ୍ୟରେ ପ୍ରତିନିଧିମାନଙ୍କୁ ଜଣାଇ ଦିଆଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର