ପୁରୀ/ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପୁରୀରେ ଚଳିତ ବର୍ଷ ପାଇଁ ହବିଷ୍ୟାଳୀ କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ସମସ୍ତ ହବିଷ୍ୟାଳୀ ମା’ମାନଙ୍କୁ ନମସ୍କାର କରିବା ସହିତ ‘ପୁରୀରେ ହବିଷ୍ୟାଳୀମାନଙ୍କ ପାଇଁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି, ଆପଣମାନେ ଖୁସି ତ’ କହି ସମସ୍ତଙ୍କୁ କାର୍ତ୍ତିକ ବ୍ରତ ପାଇଁ ଶୁଭେଚ୍ଛା ଜଣାଇଥିଲେ। ମା’ମାନଙ୍କୁ ଆନନ୍ଦରେ କାର୍ତ୍ତିକ ବ୍ରତ ପାଳନ କରିବାକୁ ପରାମର୍ଶ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡିଓ କନଫ୍ରେନସିଂ ଉଦ୍ଘାଟନ ପାଇଁ ପୁରୀ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହବିଷ୍ୟାଳୀମାନେ ପରଦାରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ସହିତ ତାଙ୍କ ବାର୍ତ୍ତା ଶୁଣିଥିଲେ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦର ରମା ଦଳାଇ ଓ ବାରିପଦାର ମମତା ଦେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ରହଣି କେନ୍ଦ୍ରରେ ହୋଇଥିବା ବ୍ୟବସ୍ଥାକୁ ନେଇ ଖୁସି ପ୍ରକଟ କରିଥିଲେ। ଉଦ୍ଘାଟନ ପରେ ପରେ ହବିଷ୍ୟାଳୀମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା। ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିରରେ ନିର୍ଦ୍ଧାରିତ ସମୟରେ ଦ୍ବାର ଫିଟା ଓ ମଙ୍ଗଳଆଳତି ନୀତି ଅନୁଷ୍ଠିତ ହୋଇଥିଲା।
ଆଜି ଠାରୁ ହବିଷ୍ୟାଳୀମାନେ ସେମାନଙ୍କ କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହଜାର ହଜାର ହବିଷ୍ୟାଳୀଙ୍କ ଉପସ୍ଥିତି ଯୋଗୁଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ଉଠିଛି। ବ୍ରତଧାରୀ ହବିଷ୍ୟାଳୀମାନେ ଆଜି ଭୋର୍ରୁ ସେମାନଙ୍କ ବ୍ରତ ପାଇଁ ପିଣ୍ଡିରେ ପୂଜାର୍ଚ୍ଚନା କରିବା ସହିତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଚଳିତ ବର୍ଷ ପୁରୀ ସହରର ୩ଟି ସ୍ଥାନରେ ପ୍ରାୟ ୩ ହଜାର ହବିଷ୍ୟାଳୀ ରହିବା ପାଇଁ ବନ୍ଦୋବସ୍ତ କରାଯାଇଛି। ସେଥିରୁ ରେଳବାଇ ଟୁରିଷ୍ଟ କମ୍ପ୍ଲେକ୍ସରେ ୯୦୦, ମୋଚିସାହି କଲ୍ୟାଣ ମଣ୍ଡପରେ ୬୦୦ ଏବଂ ନରେନ୍ଦ୍ରକୋଣସ୍ଥିତ ନବନିର୍ମିତ ହିବଷ୍ୟାଳୀ କେନ୍ଦ୍ରରେ ୧୫୦୦ ହବିଷ୍ୟାଳୀଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି। ସେମାନଙ୍କୁ ଟୁରିଷ୍ଟ କମ୍ପ୍ଲେକ୍ସରୁ ଶ୍ରୀମନ୍ଦିରକୁ ନେବାକୁ ୩ଟି ବସ୍ର ବ୍ୟବସ୍ଥା କରାଯାଇଛି। ଅକ୍ଟୋବର ୧୩ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ହବିଷ୍ୟାଳୀମାନେ ଏହି କେନ୍ଦ୍ରରେ ରହିବେ। ସେମାନଙ୍କ ଖାଇବା, ରହିବା ଓ ସ୍ବାସ୍ଥ୍ୟସେବା ପାଇଁ ପ୍ରତି କେନ୍ଦ୍ରରେ ବ୍ୟବସ୍ଥା ହୋଇଛି।
ପ୍ରାୟ ୫୦୦ରୁ ଅଧିକ ଅଧିକାରୀ, ୧୨୦ ସ୍ବେଚ୍ଛାସେବୀ ଓ ରେଡକ୍ରସ୍ର ୬୦ ଜଣ ସଦସ୍ୟଙ୍କୁ ହବିଷ୍ୟାଳୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ନିୟୋଜିତ କରାଯାଇଛି। ସନ୍ଧ୍ୟାରେ ପ୍ରତି କେନ୍ଦ୍ରରେ ପ୍ରବଚନ ପାଇଁ ବ୍ୟବସ୍ଥା କରାଯାଇଛି। ଆଜି ସୁଦ୍ଧା ତିନିଟି କେନ୍ଦ୍ରରେ ପ୍ରାୟ ୨୫୭୭ ହବିଷ୍ୟାଳୀ ନାମ ପଞ୍ଜୀକରଣ କରିଥିବା ବେଳେ ବେଳେ ପ୍ରାୟ ୨୧୮୩ ହବିଷ୍ୟାଳୀ କେନ୍ଦ୍ରରେ ପହଞ୍ଚିଥିବା ଜଣାପଡ଼ିଛି। ପୁରୀରେ ହବିଷ୍ୟାଳୀ ଯୋଜନା ୨୦୧୬ରୁ ଆରମ୍ଭ ହୋଇଛି। ପୁରୀରେ ଉଦ୍ଘାଟନ କାର୍ଯ୍ୟକ୍ରମରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ, ପୁରୀ ଏସ୍ପି ଉମାଶଙ୍କର ଦାଶ, ପର୍ଯ୍ୟଟନ ଅଧିକାରୀ ବିଜୟ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିବାବେଳେ ରାଜ୍ୟ ଲୋକସେବା ଭବନରେ ଆୟୋଜିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍. ବାଲକ୍ରିଷ୍ଣନ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।